ହଇଜାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ- ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା...

Published By : Prameya-News7 Bureau | June 15, 2025 IST

ଭୁବନେଶ୍ଵର: କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ହଇଜା । ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ୟାପିଛି ହଇଜା । ଏଥିରେ ଲୋକଙ୍କ ପ୍ରାଣହାନୀ ବି ଘଟିଛି। ଡାଇରିଆକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପରୋକ୍ଷରେ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ଏହା ସହିତ ସେ ଡାଇରିଆ ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି। 

ନବୀନ ରବିବାର ଏକ୍ସରେ  ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି।ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି।




ସେ ଲେଖିଛନ୍ତି ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ଵଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଡ଼ିଶାରେ ହଇଜା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେବା ସମସ୍ତଙ୍କୁ ବେଶ୍ ଚକିତ ଓ ବିଚଳିତ କରୁଛି। ଲୋକଙ୍କ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ, ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ।

Also read: ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ ଏଆଇ କ୍ୟାମେରା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆପ୍

ସୂଚନାଯୋଗ୍ୟ, ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ବ୍ୟାପିବାରେ ଲାଗିଛି। କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୯ ରେ ୨୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କାଲି ଓ୍ବାର୍ଡ ନମ୍ବର ୧୨ ପେଣ୍ଠ ସାହିର କୃପାସିନ୍ଧୁ ମଲ୍ଲିକଙ୍କ ମେଡିକାଲରେ ମୃତ୍ୟୁ ହୋଇଛି। ସେହିଭଳି ରାଜଧାନୀର କଳିଙ୍ଗ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରୁ ୫୦ରୁ ଅଧିକ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୂଷିତ ପାଣିରୁ ସଂକ୍ରମଣ ବ୍ୟାପିଥିବା ଜଣାପଡିଛି। 

ବିଏମ୍ ସି ଓ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।  କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଡାଇରିଆରେ ୫ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ର ଜଣେ ବୃଦ୍ଧାଙ୍କର ଝାଡାବାନ୍ତି ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ମେଡିକାଲ ଟିମ୍ ଶ୍ୟାମସୁନ୍ଦରପୁର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.