ଯୁଦ୍ଧ ମଧ୍ୟରେ ଇରାନକୁ ସହଯୋଗ କଲା ଏହି ଛୋଟ ଦେଶ, ଖୋଲିଦେଲା ନିଜ ସୀମା

Published By : Prameya-News7 Bureau | June 16, 2025 IST

ଅସଗାବତ୍ ୧୬।୬: ଇସ୍ରାଏଲର ଘନଘନ ଆକ୍ରମଣରେ ତ୍ରସ୍ତ ଇରାନର ସହାୟତା ନିମନ୍ତେ ଏକ ଛୋଟ ଦେଶ ସାମ୍ନାକୁ ଆସିଛି। ଏହି ଦେଶ ହେଉଛି ତୁର୍କମେନିସ୍ତାନ ଯିଏ ପାକିସ୍ତାନ, ତୁର୍କି ଓ ସାଉଦୀ ଆରବ ଭଳି ଦେଶଙ୍କ ପୂର୍ବରୁ ଇରାନକୁ ବହୁତ ବଡ଼ ସହଯୋଗ କରିଛି। ତୁର୍କମେନିସ୍ତାନ ଇରାନ ଛାଡି ଯାଉଥିବା ନାଗରିକଙ୍କ ନିମନ୍ତେ ନିଜର ସୀମା ଖୋଲି ଦେଇଛି। ଏହି ରାସ୍ତାରେ ତୁର୍କିମେନିସ୍ତାନ ଇରାନରେ ଫସି ରହିଥିବା ନିଜ ନାଗରିକ, କୂଟନୀତିଜ୍ଞ ଓ ସେମାନଙ୍କ ପରିବାରଙ୍କୁ ମଧ୍ୟ ବାହାର କରିଛି। 

ଇରାନ ରାଜଧାନୀ ତେହେରାନ ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ଏୟାରଫୋର୍ସ, ଡ୍ରୋନ ଓ କ୍ଷେପଣାସ୍ତ୍ର ଇରାନର ସର୍ବନାଶ କରିବାରେ ଲାଗିଛନ୍ତି। ଏହି ଆକ୍ରମଣ ପରେ ତେହେରାନରେ ଏବେ ହଇଚଇ ସୃଷ୍ଟି ହୋଇଛି। ଲୋକେ ସହର ଛାଡି ପଳାୟନ କରିବାରେ ଲାଗିଛନ୍ତି। ଏଥିରେ ତୁର୍କିମେନିସ୍ତାନର ରାଷ୍ଟ୍ରପତି ସର୍ଦ୍ଦାର ବର୍ଦ୍ଦିମୁହାମେଦୋଭ ଦେଶର ବର୍ଡର ଖୋଲି ଇରାନକୁ ଆଶ୍ୱସ୍ତ କରିଛନ୍ତି। 

ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ ଇରାନରେ ଥିବା ବିଦେଶୀ କୂଟନୀତିଜ୍ଞ, ସେମାନଙ୍କ ପରିବାର ଓ ଅନ୍ୟ ନାଗରିକଙ୍କ ନିମନ୍ତେ ବର୍ଡର ଖୋଲା ରହିଛି। ଏହି ରାସ୍ତା ଦେଇ ପ୍ରଥମେ କାଜାକିସ୍ତାନ, କିର୍ଗିସ୍ତାନ, ଉଜବେଗିସ୍ତାନ ଓ ତାଜିକସ୍ତାନର ପାଖାପାଖି ୧୨୦ ଜଣ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରକୁ ବାହାର କରାଯାଇଛି। ଏମାନେ ସୀମା ପାର କରି ତୁର୍କିମେନିସ୍ତାନ ପହଞ୍ଚି ଯାଇଛନ୍ତି। 

ତୁର୍କିମେନିସ୍ତାନ ଇରାନ ଛାଡୁଥିବା ଲୋକଙ୍କ ନିମନ୍ତେ କେବଳ ବର୍ଡର ଖୋଲିନି ସେମାନଙ୍କ ଖାଇବା, ରହିବା ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଇଛି। ତୁର୍କିମେନିସ୍ତାନ ସରକାର ଏହା ସୁନିଶ୍ଚିତ କରୁଛନ୍ତି ସୀମା ପାର କରି ଆସୁଥିବା ଇରାନ ଲୋକେ ଯେପରି କୌଣସି ପ୍ରକାରର ଅସୁବିଧାରେ ନ ପଡନ୍ତି ଓ ପ୍ରକ୍ରିୟା ସୂଚାରୁ ରୂପେ ଚାଲି ରହେ। ଇରାନରେ ଫସିଥିବା ଚେକ୍ ରିପବ୍ଲିକାନ ନାଗରିକଙ୍କ ପାଇଁ ତାଙ୍କ ଦେଶ ବିମାନ ପଠାଇବାର ବ୍ୟବସ୍ଥା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.