'୧୨ ବର୍ଷରୁ ରିଲେସନଶିପରେ ଅଛି...', ବାସ୍ ଗୋଟିଏ ପୋଷ୍ଟ, ପୁଅକୁ ତ୍ୟାଗ କରି ଦେଲେ ଲାଲୁ

Published By : Prameya-News7 Bureau | May 25, 2025 IST

ପାଟନା: ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ବିହାର ରାଜନୀତିରେ ଶନିବାର ରାତିରେ ରାଜନୈତିକ ଭୂକମ୍ପ ଅନୁଭୂତ ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ବିହାର ରାଜନୀତିରେ ଚହଳ ପକାଇଛି। ତେଜ ସୋସିଆଲ ମିଡିଆରେ ଅନୁଷ୍କା ଯାଦବ ନାମକ ଯୁବତୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ। ଏଥିରେ ତେଜ ପ୍ରତାପ ଜଣାଇଥିଲେ ଯେ, ସେ ଓ ଅନୁଷ୍କା ଗତ ୧୨ ବର୍ଷରୁ ପରସ୍ପରକୁ ଜାଣିଛନ୍ତି ଏବଂ ଭଲ ପାଉଛନ୍ତି। ଏହା ପରେ ସାମାଜିକ ଗଣମାଧ୍ୟମଠୁ ନେଇ ଅନେକ ନେତା ତେଜ ପ୍ରତାପଙ୍କ ଜରିଆରେ ଆରଜେଡି ଉପରେ ହମଲା କରିଥିଲେ। ଏଥିରେ ବ୍ୟଥିତ ହୋଇ ଲାଲୁ ଯାଦବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଅ ତେଜ ପ୍ରତାପଙ୍କୁ ଛଅ ବର୍ଷ ପାଇଁ ପାର୍ଟିରୁ ବହିଷ୍କାର କରିଛନ୍ତି। ଏଥିସହ ପୁଅକୁ ପରିବାରରୁ ଦୂରେଇବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।

କଣ ପୋଷ୍ଟ କରିଥିଲେ ତେଜ ପ୍ରତାପ

ଗତକାଲି ରାତିରେ ସାମାଜିକ ଗଣମାଧ୍ୟମରେ  ପୋଷ୍ଟ କରି ତେଜ ପ୍ରତାପ ଲେଖିଥିଲେ ଯେ, ମୁଁ ତେଜ ପ୍ରତାପ ଯାଦବ ଏବଂ ଏହି ଫଟୋରେ ଯିଏ ଦେଖା ଯାଉଛନ୍ତି ତାଙ୍କ ନାଁ ଅନୁଷ୍କା ଯାଦବ। ଆମେ ଦୁହେଁ ଗତ ୧୨ ବର୍ଷରୁ ପରସ୍ପରକୁ ଜାଣିଛୁ ଏବଂ ଭଲ ମଧ୍ୟ ପାଉଛୁ। ଆମେ ଗତ ୧୨ ବର୍ଷ ଧରି ରିଲେସନଶିପରେ ଅଛୁ। ମୁଁ ବହୁତ ଦିନରୁ ଏହି କଥା ଆପଣ ମାନଙ୍କୁ କହିବାକୁ ଚାହୁଁଥିଲି, ମାତ୍ର ବୁଝି ପାରୁନଥିଲି କେମିତି କହିବି। ଏଥିପାଇଁ ଆଜି ଏହି ପୋଷ୍ଟ ଜରିଆରେ ହୃଦୟର କଥା ଆପଣ ସମସ୍ତଙ୍କ ଗହଣରେ ରଖୁଛି। ଆଶା କରୁଛି ଲୋକେ ମୋ କଥା ଓ ଭାବନାକୁ ବୁଝି ପାରିବେ। କିଛି ସମୟ ଭିତରେ ଏହି ପୋଷ୍ଟ ସୋସିଆଲ ମିଡିଆରେ କ୍ଷୀପ୍ର ଗତିରେ ଭାଇରାଲ୍ ହୋଇଥିଲା।

ଡିଲିଟ୍ କଲେ ଫଟୋ ଓ କହିଲେ ହ୍ୟାକ୍ ହୋଇଥିଲା

ତେଜ ପ୍ରତାପ କିଛି ସମୟ ପରେ ଉକ୍ତ ପୋଷ୍ଟକୁ ସୋସିଆଲ ମିଡିଆରେ ଡିଲିଟ୍ କରିଥିଲେ। ଏହା ପରେ ସେ ସଫେଇ ଦେଇ ଦାବି କରିଛନ୍ତି ଯେ, ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇ ଯାଇଥିଲା। ସେ ଲେଖିଛନ୍ତି, ମୋର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ହ୍ୟାକ୍ କରାଯାଇ ମୋର ଫଟୋକୁ ଭୁଲ୍ ଭାବେ ଏଡିଟ୍ କରାଯାଇ ମୋର ପରିବାରକୁ ହଇରାଣ କରାଯିବା ସହ ବଦନାମ କରାଯାଉଛି। ମୁଁ ନିଜର ଶୁଭଚିନ୍ତକ ଓ ଅନୁଗାମୀଙ୍କୁ ଅପିଲ୍ କରୁଛି ଯେ, ସେମାନେ ସତର୍କ ରୁହନ୍ତୁ ଓ କୌଣସ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ତେବେ ସାମାଜିକ ଗଣମାଧ୍ୟମରେ ଅନ୍ୟ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ତେଜ ପ୍ରତାପଙ୍କ ସହିତ ଅନୁଷ୍କା ଯାଦବ ଥିବା ଦାବି କରାଯାଉଛି।

ତା ସହ ସଂପର୍କ ନାହିଁ

ମାମଲା ବଢୁଥିବା ଦେଖି ଲାଲୁ ଯାଦବ ତେଜ ପ୍ରତାପଙ୍କୁ ପାର୍ଟି ଓ ପରିବାରରୁ ବହିଷ୍କାର କରିଛନ୍ତି। ସେ ରବିବାର ଅପରାହ୍ଣରେ ଏକ୍ସରେ ଲେଖିଛନ୍ତି, ବ୍ୟକ୍ତିଗତ ଜୀବନ ପାଇଁ ଆମର ନୈତିକତା ମୂଲ୍ୟର ଅବହେଳନା କରିବା ଆମ ସାମାଜିକ ନ୍ୟାୟ ପାଇଁ ସାମୂହିକ ସଂଘର୍ଷକୁ ଦୁର୍ବଳ କରୁଛି। ଜ୍ୟୋଷ୍ଠ ପୁତ୍ରଙ୍କ ଗତିବିଧି, ଲୋକ ଆଚରଣ ତଥା ଦାୟିତ୍ଵହୀନ ବ୍ୟବହାର ଆମ ପରିବାର ମୂଲ୍ୟବୋଧ ଓ ସଂସ୍କାର ଅନୁରୂପ ନୁହେଁ। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ପାର୍ଟି ସହ ପରିବାରରୁ ଦୂର କରୁଛି। ଏବେ ତାର ପାର୍ଟି ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ। ତାଙ୍କୁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.