ନୂଆଦିଲ୍ଲୀ ୩୦।୧୦:  ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଏପରି ୟୁନିଭର୍ସିଟିଙ୍କ ତାଲିକା ଜାରି କରିଛନ୍ତି ଯେଉଁଗୁଡିକ ଦେଶରେ ତଞ୍ଚକତାରେ ଚାଲିଥିବା ଜଣାପଡିଛି। ୟୁଜିସି ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଏପରି ବିଶ୍ୱବିଦ୍ୟାଳୟମାନଙ୍କରେ ପଢୁଛନ୍ତି ବା ଏଠାରୁ ଡିଗ୍ରି ନେଇଛନ୍ତି ତାହା ମାନ୍ୟ ହେବ ନାହିଁ। ଏହି ତାଲିକାରେ ଦିଲ୍ଲୀର ସବୁଠୁ ଅଧିକ ୟୁନିଭର୍ସିଟିଙ୍କ ନାମ ରହିଛି। ଏହା ଛଡା ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ପୁଡୁଚେରୀ ୟୁନିଭର୍ସିଟିମାନ ମଧ୍ୟ ଅଛନ୍ତି।

ଏହି ଜାଲ ୟୁନିଭର୍ସିଟିଙ୍କ ନାମ ୟୁଜିସି ଜାରି କରିଛନ୍ତି ଓ କହିଛନ୍ତି ଏପରି ଅନୁଷ୍ଠାନ କୌଣସି ପ୍ରକାରର ଡିଗ୍ରି ଦେଇ ପାରିବେନି। ୟୁଜିସି ଆକ୍ଟ ୧୯୫୬ ଅନୁସାରେ ଦେଶରେ ୟୁନିଭର୍ସିଟିମାନଙ୍କୁ ମାନ୍ୟତା ଦିଆଯାଏ। ସେହି ଅନୁସାରେ ସେମାନେ ଡ୍ରିଗ୍ରୀ ଦେଇ ଥାଆନ୍ତି। ହେଲେ ଯେଉଁ ୨୨ ୟୁନିଭର୍ସିଟିଙ୍କ ତାଲିକା ଜାରି ହୋଇଛି ସେମାନଙ୍କ ମଧ୍ୟରୁ କେହି ଗୋଟେ ବି ୟୁନିଭର୍ସିଟି ନିକଟରେ ଏପରି କୌଣସି ମାନ୍ୟତା ନାହିଁ। ଏଥିରେ ତାଜା ମାମଲା ଦିଲ୍ଲୀର କୋଟଲା ମୁବାରକପୁରରେ ଚାଲୁଥିବା ଇନିଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇଞ୍ଜିନିୟରିଂକୁ ନକଲୀ ବୋଲି କୁହାଯାଇଛି।

ୟୁଜିସି କହିଛନ୍ତି ଯେ ଏହି ୟୁନିଭର୍ସିଟିକୁ ନା ତ ରାଜ୍ୟ ସରକାର ନା କେନ୍ଦ୍ର ସରକାର କାହାର ହେଲେ ମାନ୍ୟତା ନାହିଁ। ଅର୍ଥାତ ଯେଉଁ ଛାତ୍ର ଛାତ୍ରୀ  ଏଠୁ ପାଠ ପଢି ଡିଗ୍ରି ନେଇଛନ୍ତି ତାହା କୌଣସି କାମରେ ଆସିବନି। ଦିଲ୍ଲୀରେ ଏହି ଭଳି ମୋଟ ୧୦ଟି ୟୁନିଭର୍ସିଟି ଓ ଇନିଷ୍ଟିଚ୍ୟୁଟ୍ କୁ ୟୁଜିସି ନକଲୀ ବୋଲି କହିଛନ୍ତି। ଏହି ସଂସ୍ଥାଗୁଡିକ ୟୁଜିସିର ସେକ୍ସନ ୨(ଏଫ) ଓ ୩ ଅନୁସାରେ ଅମାନ୍ୟ। ବିନା ମାନ୍ୟତାରେ ଏମାନେ ଆଇନତଃ ନିଜକୁ ଲିଗାଲ ବୋଲି କହୁଛନ୍ତି।

ଏଥିରେ ଉତ୍ତର ପ୍ରଦେଶର ଗାନ୍ଧି ହିନ୍ଦୀ ବିଦ୍ୟାପୀଠ ଏଲହାବାଦ, ନେତାଜୀ ସୁଭାଷଚନ୍ଦ୍ର ବୋସ ୟୁନିଭର୍ସିଟି (ଓପନ ୟୁନିଭର୍ସିଟି) ଅଚଲତାଲ ଆଲିଗଡ଼,  ଭାରତୀୟ ଶିକ୍ଷା ପରିଷଦ, ଲକ୍ଷ୍ନୌ, ମହାମାୟା ଟେକ୍ନିକାଲ ୟୁନିଭର୍ସିଟି ନୋୟେଡା ଆଦି ଥିବା ବେଳେ ଆନ୍ଧ୍ର ପ୍ରଦେଶର କ୍ରାଏଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଡିମଡ୍ ୟୁନିଭର୍ସିଟି, ବିଶାଖାପାଟଣାର ବାଇବେଲ ଓପନ ୟୁନିଭର୍ସିଟି ଅଫ ଇଣ୍ଡିଆ ଆଦି ଅଛନ୍ତି। ପଶ୍ଚିମବଙ୍ଗର ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ଅଲ୍ଟରନେଟିଭ ମେଡିସିନ, କୋଲକାତା, ଇନିଷ୍ଟିଚ୍ୟୁଟ୍ ଅଫ ଅଲ୍ଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ ଡାୟମମଣ୍ଡ ହାର୍ବର ରୋଡ ଆଦି ରହିଛି।