ରିଲିଜ ହେଲା ଚଳଚ୍ଚିତ୍ର ‘ତେଜସ୍ୱିନୀ’, ଗଞ୍ଜାମର ଗୌରବ ସ୍ୱାସ୍ଥ୍ୟକର୍ମୀଙ୍କ ସଂଘର୍ଷମୟ ଜୀବନୀକୁ ନେଇ ଆଧାରିତ

Published By : Prameya-News7 Bureau | April 26, 2024 IST

ବ୍ରହ୍ମପୁର ୨୬।୪: ଓଡ଼ିଆ ଚଳଚ୍ଚିତ୍ର ତେଜସ୍ୱିନୀ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ କେ.କୃଷ୍ଣା କୁମାରୀଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ବିନୀ । କୃଷ୍ଣା କୁମାରୀ ନିଜର ନିଷ୍ଠାପର ସେବା ଓ ସେବା ପ୍ରତି ତାଙ୍କର ଜୀବନ ଉତ୍ସର୍ଗୀକୃତ କରିଥିବା ଯୋଗୁଁ  ୨୦୧୭ ମେ’ ମାସରେ ଦିଲ୍ଲୀରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ଠାରୁ ଫ୍ଲୋରେନ୍ସ ନାଇଟ ଏଙ୍ଗେଲ ପୁରସ୍କାର ପାଇଥିଲେ । ପିଲାଟୁ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିତାଇଥିବା ସଂଘର୍ଷମୟ ଜୀବନ ଏବଂ ନିଷ୍ଠାପର ସେବାକୁ ନେଇ ତେଜସ୍ୱିନୀ ଚଳଚ୍ଚିତ୍ର ନିର୍ମିତ ହୋଇଛି ।

ଫ୍ଲୋରେନ୍ସ ନାଇଟ ଏଙ୍ଗେଲ ପୁରସ୍କାର ପାଇବା ସମ୍ପର୍କରେ ଜାଣିବାକୁ ପାଇଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ କୁନାଲ ପଟ୍ଟନାୟକ । କୃଷ୍ଣାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ ସାଙ୍ଗକୁ ତାଙ୍କ ସେବାକୁ ନେଇ ଏକ ଚଳଚ୍ଚିତ୍ର କରିବାକୁ ସେ ମନସ୍ତ କରିଥିଲେ । ଏହାପରେ ତେଜସ୍ବିନୀ ନାମକ ଏକ ଚଳଚ୍ଚିତ୍ର କରିବା ସହିତ ସେଥିରେ କୃଷ୍ଣା କୁମାରୀଙ୍କ ଜୀବନ କାହାଣୀ ସହ ୧୬ଟି ସଚେତନତା ବାର୍ତ୍ତାକୁ ଅନ୍ତର୍ଭୁକ୍ତ କରି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହି ଚଳଚ୍ଚିତ୍ରଟି ୪୦ଟି ଦେଶରେ ପ୍ରଦର୍ଶିତ ହୋଇ ୫ଟି ଆଓ୍ବାର୍ଡ଼ ମଧ୍ୟ ପାଇସାରିଛି । ଏହି ଚଳଚ୍ଚିତ୍ରରେ ନିଜେ କୃଷ୍ଣା ଓ ବେଶ ନାମାଦୀମୀ ଅଭିନେତା, ଅଭିନେତ୍ରୀ ମାନଙ୍କୁ ନେଇ ନିର୍ମିତ ହୋଇଛି । ଆଜି ବ୍ରହ୍ମପୁରର ଗୌତମ ସିନେମା ହଲରେ ଏହି ତେଜସ୍ବିନୀ ଚଳଚ୍ଚିତ୍ର ପ୍ରିମିୟର ହୋଇଛି । ବ୍ରହ୍ମପୁର ସମେତ ରାଜ୍ୟର ୨୫ଟି ସିନେମା ହଲରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ନିଜ ଜୀବନୀକୁ ନେଇ ଚଳଚ୍ଚିତ୍ର ହୋଇଥିବାରୁ ବହୁତ ଖୁସି ଲାଗୁଛି ଏବଂ ଏହା ସମାଜର ବିଶେଷ କରି ମହିଳାଙ୍କ ଉପରେ ପ୍ରଭାବ ପକାଇବ ବୋଲି ଆଶା ରଖିଥିବା କହିଛନ୍ତି କ୍ରୀଷ୍ଣା କୁମାରୀ । ଏଭଳି ଚଳଚ୍ଚିତ୍ରରେ ଅଭିନୟ କରିବା ଏବଂ ଏହା ସମାଜ ଉପରେ ବେଶ ପ୍ରଭାବ ପକାଇବା ସହ ଆଦୃତ ଲାଭ କରିବ ବୋଲି କହିଛନ୍ତି ସିନେ କଳାକାର ।

 ସିନେମା ହଲକୁ ଆସି ଚଳଚ୍ଚିତ୍ର ଦେଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି କୃଷ୍ଣା କୁମାରୀ । ଏହି ଚଳଚ୍ଚିତ୍ର କେବଳ କୃଷ୍ଣାଙ୍କ ଜୀବନୀ ନୁହେଁ ବରଂ ଏଥିରେ ରହିଥିବା ୧୬ଟି ସଚେତନତା ବାର୍ତ୍ତା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବ ବୋଲି କୃଷ୍ଣା ଆଶା ରଖିଥିବା କହିଛନ୍ତି । ଆଉ ଏହି ତେଜସ୍ବିନୀ ନିଶ୍ଚିତ ଭାବେ ଲୋକଙ୍କ ଦ୍ବାରା ଆଦୃତ ହେବ ବୋଲି କହିଛନ୍ତି କୃଷ୍ଣା କୁମାରୀ । ବହୁ ସଂଖ୍ୟାରେ  ଦର୍ଶକ ଏହି ଚଳଚ୍ଚିତ୍ରକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି । ଅନ୍ଧ ବିଶ୍ୱାସ, କୁସଂସ୍କାର, ସ୍ଵଚ୍ଛତା ଭଳି ଅନେକ ଶିକ୍ଷଣୀୟ ମେସେଜ ଏହି ଚଳଚ୍ଚିତ୍ରରୁ ଦେଖିବାକୁ ମିଳିଥିବା ଦର୍ଶକ କହିଛନ୍ତି । ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ବି ଏହି ଚଳଚ୍ଚିତ୍ରଟିକୁ ସିନେମା ହଲରେ ବସି ଦେଖିବା ସହ ବେଶ ତାରିଫ କରିଛନ୍ତି ।

 You Can Read :

ସାରା ରାଜ୍ୟରେ ପ୍ରଚଣ୍ଡ ତାତି : ୪ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.