ଅବୁଧାବୀ ‘ଶାନ୍ତି ବାର୍ତ୍ତା’କୁ ଜେଲେନସ୍କି କହିଲେ ସକରାତ୍ମକ, ହେଲେ ଚିନ୍ତା ବଢାଇଛି ଋଷିଆର ତାଜା ଆକ୍ରମଣ

NEWS7
the-meeting-of-the-director-general-of-police-to-deal-with-mao

କିଭ୍ ୨୪।୧: ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କି ଆବୁଧାବୀ ତ୍ରୀପାକ୍ଷୀୟ ଶାନ୍ତିବାର୍ତ୍ତାକୁ ଶନିବାର ସକରାତ୍ମକ ବୋଲି କହିଛନ୍ତି। ଜେଲେନସ୍କି ଟେଲିଗ୍ରାମରେ ଏହି ସୂଚନା ଦେଇଛନ୍ତି। ୟୁଏଇର ଆବୁଧାବୀରେ ଆମେରିକା ମଧ୍ୟସ୍ଥତାରେ ଋଷିଆ ଓ ୟୁକ୍ରେନ ପ୍ରତିନିଧି ଦଳଙ୍କର ଗୋଟିଏ ଟେବୁଲରେ ତ୍ରିପାକ୍ଷୀୟ ଆଲୋଚନା ହୋଇଛି । ୪ ବର୍ଷ ହେଲା ଲାଗି ରହିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ପ୍ରଥମ ଥର ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଋଷିଆ ଓ ୟୁକ୍ରେନ ପ୍ରତିନିଧିଙ୍କ ସହ ବସି ଗୋଟିଏ ଟେବୁଲରେ ଏହି ଆଲୋଚନା କରିଛନ୍ତି।

ଯୁଦ୍ଧ ସମାପ୍ତ କରିବା ପାଇଁ ପାରମିଟର୍ସ ଉପରେ ହୋଇଛି ଚର୍ଚ୍ଚା
ଜେଲେନସ୍କି ଟେଲିଗ୍ରାମରେ ସୂଚନା ସେୟାର କରି ଉଲ୍ଲେଖ କରିଛନ୍ତି ଯେ ‘ ବୈଠକରେ ଜାରି ଯୁଦ୍ଧକୁ ସମାପ୍ତ କରିବା ପାଇଁ ସମ୍ଭାବିତ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ବିସ୍ତୃତ ଚର୍ଚ୍ଚା ହୋଇଛି’। ଜେଲେନସ୍କି ଜୋର ଦେଇ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେରିକାର ଦେଖରେଖ ଓ ନିୟନ୍ତ୍ରଣର ଆବଶ୍ୟକତା ରହିଛି, ଯାହାଦ୍ୱାରା ବାସ୍ତବିକ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ ବୋଲି ଜେଲେନସ୍କି କହିଛନ୍ତି।

କିଏ ସବୁ ଥିଲେ ସାମିଲ?
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆମେରିକା ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶ୍ନର ଯୋଗ ଦେଇଥିଲେ। ସେହିପରି ୟୁକ୍ରେନ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ଋସ୍ତମ ଉମେରୋଭ ଓ ସୈନ୍ୟ ଗୁଇନ୍ଦା ମୁଖ୍ୟ କାଇରିଲୋ ବୁଡାନୋଭ ଅଂଶଗ୍ରହଣ କରିଥିବା ବେଳେ ଋଷିଆ ପକ୍ଷରୁ ସାମରିକ ଗୁଇନ୍ଦା ଓ ସେନା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସବୁ ପକ୍ଷ ଆଲୋଚନାର ଟିକନିକ୍ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ନିଜନିଜ ରାଜଧାନୀକୁ ଦେବା ସହ ପରବର୍ତ୍ତି ପଦକ୍ଷେପରେ ସମନ୍ୱୟ ପାଇଁ ସହମତି ପ୍ରକାଶ କରିଛନ୍ତି।

ବାର୍ତ୍ତା ଉପରେ ଋଷିୟ ମିଜାଇଲର ପ୍ରହାର
ଗୋଟିଏପଟେ ଆବୁଧାବୀରେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଅପରପଟେ ଋଷିଆ ୟୁକ୍ରେନ ଉପରେ ଡ୍ରୋନ ଓ ମିଜାଇଲ ଆକ୍ରମଣ ବଢାଇ ଦେଇଛି। ଶନିବାର ପ୍ରତ୍ୟୁଷରେ ହୋଇଥିବା ଏହି ଆକ୍ରମଣରେ ରାଜଧାନୀ କିଭ ଓ ଦ୍ୱିତୀୟ ବଡ଼ ସହର ଖାରକିଭକୁ ଟାର୍ଗେଟ୍ କରାଯାଇଥିଲା। ଏହି ମିଜାଇଲ ଓ ଡ୍ରୋନ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ବିଦେଶମନ୍ତ୍ରୀ ଆନ୍ଦ୍ରୀୟ ସିବିହା ଋଷିଆର ଏହି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ପୁଟିନଙ୍କ ମିଜାଇଲ ନା ଆମର ସାଧାରଣ ଲୋକଙ୍କୁ ଶିକାର କରିଛି ବରଂ ଆଲୋଚନା ଟେବୁଲ ଉପରେ ପ୍ରହାର କରିଛି।

ଖୁବଶୀଘ୍ର ପରବର୍ତ୍ତି ଆଲୋଚନା
ଜେଲେନସ୍କିଙ୍କ ଅନୁସାରେ ସୈନ୍ୟ ପ୍ରତିନିଧି ଆଗାମୀ ସମ୍ଭାବିତ ବୈଠକ ନିମନ୍ତେ ପ୍ରସଙ୍ଗ ସନ୍ଧାନ କରିଛନ୍ତି, ଯାହା ଆଗାମୀ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ହୋଇପାରେ। ତେବେ କ୍ଷେତ୍ରିୟ ବିବାଦ ଏବେବି ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। କ୍ରେମଲିନ ସ୍ପଷ୍ଟ ଭାବେ କହିଛି ଯେ ଶାନ୍ତି ପାଇଁ ୟୁକ୍ରେନକୁ ତାର ପୂର୍ବାଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ପଡିବ, ଯାହାକୁ ଋଷିଆ ଅବୈଧ ଭାବେ ନିଜର କ୍ଷେତ୍ର ଘୋଷଣା କରିଛି।