ନୂଆଦିଲ୍ଲୀ ୮।୩: ମୁଦ୍ରା କୌଣସି ଦେଶର ଆର୍ଥିକ ପରିସ୍ଥିତିକୁ ଦର୍ଶାଇଥାଏ। ଯଦି କୌଣସି ଦେଶର ଅର୍ଥ ବ୍ୟବସ୍ଥା ମଜଭୁତ ତେବେ ସେହି ଦେଶର ମୁଦ୍ରା ମୂଲ୍ୟ ମଧ୍ୟ ଅଧିକ। ହେଲେ କିଛି ଦେଶର ମୁଦ୍ରା ଏତେ ଦୁର୍ବଳ ଯେ ଗୋଟିଏ ଭାରତୀୟ ଟଙ୍କା ଆଗରେ ଶହେ ବା ହଜାରେ ୟୁନିଟ ସହିତ ସମାନ ହେଉଛି। ଏହାର କାରଣ ହେଉଛି ଆର୍ଥିକ ସଂକଟ, ରାଜନୈତିକ ଅସ୍ଥିରତା ଓ ଅନ୍ତର୍ଜାତୀୟ ଚାପ। ନିକଟରେ ଫୋର୍ବସ୍ ବିଶ୍ୱର ସବୁଠୁ ଦୁର୍ବଳ ୧୦ ଦେଶଙ୍କ ମୁଦ୍ରା ତାଲିକା ଜାରି କରିଛନ୍ତି, ତେବେ ଏଥିରେ ପାକିସ୍ତାନ ନାହିଁ।
ଇରାନ ରିୟାଲ
ଇରାନର ମୁଦ୍ରା ରିୟାଲ ବିଶ୍ୱର ସବୁଠୁ ଦୁର୍ବଳ ମୁଦ୍ରା ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ଇରାନ ଅର୍ଥ ବ୍ୟବସ୍ଥା ଉପରେ ଅନ୍ତର୍ଜାତୀୟ କଟକଣା ଓ ରାଜନୈତିକ ଅସ୍ଥିରତାର ଖରାପ ପ୍ରଭାବ ପଡିଛି। ଏହା ଛଡା ବୃଦ୍ଧି ହେଉଥିବା ମୁଦ୍ରାସ୍ପିତି ହାର ଓ ଆମେରିକା ସମେତ ଅନ୍ୟ ଦେଶଙ୍କ ସହିତ ଉତ୍ତେଜନା ରିୟାଲର ମୂଲ୍ୟ ହ୍ରାସ କରିଛି। ଭାରତୀୟ ମୁଦ୍ରାରେ ୧ ଟଙ୍କା ଇରାନୀୟ ରିୟାଲରେ ୪୯୭ଟଙ୍କା ହେଉଛି।
ଭିଏତନାମ ଡୋଙ୍ଗ
ଇରାନ ପଛକୁ ରହିଛି ଭିଏତନାମ ମୁଦ୍ରା ଡୋଙ୍ଗ। ଭିଏତନାମ ଡୋଙ୍ଗ ଦୀର୍ଘ ସମୟରୁ ଦୁର୍ବଳ ମୁଦ୍ରା ହୋଇ ରହିଛି। ଭିଏତନାମର ଅର୍ଥ ବ୍ୟବସ୍ଥା ସ୍ଥିର ରହିଛି। ହେଲେ ଏହାର ମୁଦ୍ରା ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଖୁବ୍ କମ। ଦେଶର ମୁଦ୍ରା ଦୁର୍ବଳ ହେବାର ମୁଖ୍ୟ କାରଣ ହେଉଛି ଏହାର ନିୟନ୍ତ୍ରିତ ବିନିମୟ ଦର ପ୍ରଣାଳୀ ଓ ବୈଶ୍ୱିକ ବଜାରରେ ଦୁର୍ବଳ ସ୍ଥିତି। ଏଣୁ ଭାରତୀୟ ମୁଦ୍ରାରେ ୧ ଟଙ୍କା ଭିଏତନାମ ଡୋଙ୍ଗରେ ୨୯୯ ଟଙ୍କା ହେଉଛି।
ସିଏରା ଲିୟୋନିୟନ ଲିୟୋନ (ଏସଏଲଏଲ)
ସିଏରା ଲିୟୋନର ମୁଦ୍ରା ମଧ୍ୟ ବିଶ୍ୱର ସବୁଠୁ ଦୁର୍ବଳ ମୁଦ୍ରା ମଧ୍ୟରେ ଅନ୍ୟତମ। ଏହି ଦେଶ ଦୀର୍ଘ ସମୟ ଧରି ଗୃହଯୁଦ୍ଧ, ରାଜନୈତିକ ଅସ୍ଥିରତା ଓ ଦାରିଦ୍ର୍ୟ ସାଙ୍ଗକୁ ୨୦୧୪ ମସିହାର ଇବୋଲା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଛି। ଏଣୁ ସିୟେରା ଲିୟୋନର ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ବିଶ୍ୱ ବଜାରରେ ଏହାର ମୁଦ୍ରା ମୂଲ୍ୟ ବହୁତ କମ। ଭାରତୀୟ ମୁଦ୍ରାରେ ୧ ଟଙ୍କା ଲିୟୋନରେ ୨୬୮ ଏସଏଲଏଲ।
ଲାଓସିୟନ କିପ୍ (ଏଲଏକେ)
ଲାଓସର ମୁଦ୍ରା ବହୁତ ଦୁର୍ବଳ, କାରଣ ଏହାର ଅର୍ଥ ବ୍ୟବସ୍ଥା ବହୁତ କ୍ଷୁଦ୍ର। ଏହା ଛଡା ଏହି ଦେଶଟି ବୈଦେଶିକ ନିବେଶ ଓ ବିଦେଶୀ ସହାୟତା ଉପରେ ନିର୍ଭର କରୁଛି। ଦେଶରେ ମେନୁଫେକ୍ଟରିଂ ଓ ଏକ୍ସପର୍ଟ ସ୍ତର ମଧ୍ୟ ଖୁବ୍ କମ୍। ଏଣୁ ମୁଦ୍ରାର ମୂଲ୍ୟ ବିଶ୍ୱରେ ସବୁଠୁ କମ ରହିଛି। ଭାରତୀୟ ମୁଦ୍ରାରେ ୧ ଟଙ୍କା ଲାଓସିୟନ କିପରେ ୨୫୯ ଏଲଏକେ ହେଉଛି।
ଇଣ୍ଡୋନେସୀୟ ରୂପେୟା (ଆଇଡିଆର)
ଇଣ୍ଡୋନେସିୟା ରୂପେୟା ଦୁର୍ବଳ ହେବାର ମୁଖ୍ୟ କାରଣ ପ୍ରାକୃତିକ ସଂସାଧନର ମୂଲ୍ୟ ହ୍ରାସ। ଇଣ୍ଡୋନେସିୟାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ ଟୁରିଜିମ, ତୈଳ, ଗ୍ୟାସ୍ ଓ କୋଇଲା ଉପରେ ନିର୍ଭରଶୀଳ। ତେବେ ଏହି ପ୍ରାକୃତିକ ସଂଶାଧନର ମୂଲ୍ୟ ହ୍ରାସ ଯୋଗୁ ଦେଶର ମୁଦ୍ରା ମୂଲ୍ୟ ମଧ୍ୟ ହ୍ରାସ ହୋଇଛି। ଭାରତୀୟ ମୁଦ୍ରାରେ ୧ ଟଙ୍କା ଇଣ୍ଡୋନେସିଆ ଆଇଡିଆରରେ ୧୮୮ ଟଙ୍କା ହେଉଛି।
ଉଜବେକିସ୍ତାନ ସୋମ (ୟୁଜେଡ୍ଏସ୍)
ଉଜବେକିସ୍ତାନରେ ସରକାର ଦ୍ୱାରା ନିୟନ୍ତ୍ରିତ ଅର୍ଥ ବ୍ୟବସ୍ଥାକୁ ମୁକ୍ତ ବଜାର ଆଡକୁ ପରିବର୍ତ୍ତିତ କରାଯାଉଛି। ଏହି ପରିବର୍ତ୍ତନ କାରଣରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଦ୍ରାର ମୂଲ୍ୟ ହ୍ରାସ ହୋଇଛି। କାରଣ ନିବେଶକ ଓ ବ୍ୟବସାୟୀ ନୂଆ ଅର୍ଥନୀତିକୁ ନେଇ ଏବେବି ଅସମଞ୍ଜସ ସ୍ଥିତିରେ ଅଛନ୍ତି। ଏଣୁ ଦେଶର ମୁଦ୍ରା ମୂଲ୍ୟ ହ୍ରାସ ହୋଇଛି। ଭାରତୀୟ ମୁଦ୍ରାରେ ୧ ଟଙ୍କା ଏବେ ଉଜବେକିସ୍ତାନ ମୁଦ୍ରା ସୋମରେ ୧୫୧ ୟୁଜେଡଏସ୍ ହେଉଛି।
ଗିନି ଫ୍ରାଙ୍କ(ଜିଏନଏଫ)
ଗିନିର ମୁଦ୍ରା ମଧ୍ୟ ବିଶ୍ୱରେ ବେଶ୍ ଦୁର୍ବଳ। ଦେଶରେ ଲଗାତାର ରାଜନୈତିକ ଅସ୍ଥିରତା, ଦୁର୍ନୀତି ଓ ଧିମା ଆର୍ଥିକ ଅଭିବୃଦ୍ଧି ଯୋଗୁ ଏହାର ମୁଦ୍ରା ଫ୍ରାଙ୍କର ମୂଲ୍ୟ ହ୍ରାସ ହେଉଛି। ଭାରତୀୟ ମୁଦ୍ରାରେ ୧ ଟଙ୍କା ଗିନି ଫ୍ରାଙ୍କରେ ୧୦୧ ଜିଏନଏଫ ସହିତ ସମାନ।
ପାରାଗୁଏ ଗୁଆରନୀ (ପିୱାଇଜି)
ପାରାଗୁଏର ଅର୍ଥବ୍ୟବସ୍ଥାରେ ଦାରିଦ୍ର୍ୟତା, ବେକାରୀ ଓ ଉଚ୍ଚ ମୁଦ୍ରାସ୍ପିତି ଭଳି ସମସ୍ୟା ଲାଗି ରହିଛି। ଏହି ସବୁ ଆର୍ଥିକ ପ୍ରସଙ୍ଗ କାରଣରୁ ପାରାଗୁଏର ମୁଦ୍ରା ଗୁଆରନୀର ମୂଲ୍ୟ ବିଶ୍ୱ ବଜାରରେ ବହୁତ କମ୍ ହୋଇଛି। ଭାରତୀୟ ମୁଦ୍ରାରେ ୧ ଟଙ୍କା ପାରାଗୁଏ ଗୁଆରନୀରେ ୯୨ ପିୱାଇଜି ହେଉଛି।
କମ୍ବୋଡିଆ ରିୟାଲ(କଏଚଆର)
କମ୍ବୋଡିଆ ମୁଦ୍ରା ଏତେ ଦୁର୍ବଳଯେ ଦେଶରେ ପର୍ଯ୍ୟଟକ ଓ ଅଧିକାଂଶ ଲୋକେ ଆମେରିକୀୟ ଡଲାର ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ସ୍ଥାନୀୟ ବଜାରରେ ମଧ୍ୟ ରିୟାଲ ବଦଳେ ଡଲାରକୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଫଳରେ ଏଠାରେ ରିୟାଲର ଚାହିଦା ଓ ମୂଲ୍ୟ ଉଭୟ ହ୍ରାସ ହୋଇଛି। ଏଠାରେ ଭାରତୀୟ ମୁଦ୍ରାରେ ୧ ଟଙ୍କା ୪୭.୬୭ କେଏଚଆର ରହିଛି।
ୟୁଗାଣ୍ଡା ସିଲିଂ (ୟୁଏସଏଚ)
ୟୁଗାଣ୍ଡାର ମୁଦ୍ରା ଦୀର୍ଘ ବର୍ଷରୁ ଦୁର୍ବଳ ରହିଛି। ୧୯୭୦ ଦଶକରେ ଇଦି ଅମିନଙ୍କ ଶାସନ କାଳରେ ଦେଶର ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଥିଲା। ଏଥିରୁ ୟୁଗାଣ୍ଡା ମୁଦ୍ରା ସିଲିଂ ଏ ପର୍ଯ୍ୟନ୍ତ ମୁକୁଳି ପାରି ନାହିଁ। ଆଜି ବି ସିଲିଂ ଦର ବିଶ୍ୱ ବଜାରରେ ଢେର କମ ରହିଛି। ଏଠାରେ ଭାରତୀୟ ୧ ଟଙ୍କାର ମୂଲ୍ୟ ୪୩ ୟୁଜିଏକ୍ସ ରହିଛି।