ମହିଳା ଦିନିକିଆ ବିଶ୍ୱକପ ୨୦୨୫: ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ମୁକାବିଲା

Published By : Prameya-News7 Bureau | June 16, 2025 IST

internet

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)। ଏଥର ଭାରତ ଓ ଶ୍ରୀଲଙ୍କା ଉଭୟ ମିଶି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବେ। ୩୦ ସେପ୍ଟେମ୍ବରରୁ ଆରମ୍ଭ କରି ନଭେମ୍ବର ୨ ତାରିଖ ୨୦୨୫ ଯାଏ ବିଶ୍ୱକପ୍ ଖେଳାଯିବ। 

ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳିବେ ଦୁଇ ଆୟୋଜକ ଟିମ୍‌- ଭାରତ ଓ ଶ୍ରୀଲଙ୍କା। ସେପ୍ଟେମ୍ବର ୩୦ ତାରିଖରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ଟିମ ମୁହାଁମୁହିଁ ହେବେ। ସେହିପରି  ଗତ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ଅକ୍ଟୋବର ୧ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଇନ୍ଦୋରରେ ଖେଳାଯିବ। ନ୍ୟୁଜିଲାଣ୍ଡ ମଧ୍ୟ ଗତ ଥର ଆଇସିସି ମହିଳା ଟି-୨୦ ବିଶ୍ୱକପର ବିଜେତା ହୋଇଛି। 

ତେବେ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ରୋମାଞ୍ଚକର ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୫ ତାରିଖ ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ। ମହିଳା ଦିନିକିଆ ବିଶ୍ୱକପର ଏହା ୧୩ ତମ ସଂସ୍କରଣ ହୋଇଥିବା ବେଳେ ଏଥିରେ ୮ ଟିମ୍ ଭାଗ ନେବେ। ଏକ ସିଙ୍ଗଲ ରାଉଣ୍ଡ-ରବିନ୍ ଫର୍ମାଟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ। ଯେଉଁଠାରେ ପ୍ରତ୍ୟେକ ଦଳ ପରସ୍ପର ସହିତ ଥରେ ମୁକାବିଲା କରିବେ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ।

ତେବେ ସମସ୍ତ ଦଳ ୨୪ ସେପ୍ଟେମ୍ବରରୁ ଦୁଇଟି ଲେଖାଏ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ଭାରତ ପ୍ରଥମ ଅଭ୍ୟାସ୍ ମ୍ୟାଚ୍ ୨୪ ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ଇଂଲଣ୍ଡ ସହ ଖେଳିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ୨୭ ସେପ୍ଟେମ୍ବରରେ ଗୌହାଟୀରେ ଦକ୍ଷିଣ ଆଫ୍ରିକା ସହିତ ଖେଳିବ। 

ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ହେବ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ପ୍ରଥମ ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ଥିବା ଦଳ ସହ ଖେଳିବ। ସେହିପରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଟିମ୍ ଦ୍ୱିତୀୟ ସେମିଫାଇନାଲରେ ପରସ୍ପର ସହ ମୁକାବିଲା କରିବେ। ୨୯ ଅକ୍ଟୋବରରେ ଦୁଇଟି ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ଫାଇନାଲ୍ ୨ ନଭେମ୍ବରରେ ଖେଳାଯିବ। ଏହି ବିଶ୍ୱକପ୍ ହାଇବ୍ରିଡ୍ ମଡେଲରେ ୫ଟି ଭେନ୍ୟୁରେ ଅନୁଷ୍ଠିତ ହେବ। ଏଥିରେ ଭାରତରେ ବେଙ୍ଗାଲୁରୁ, ଗୁୱାହାଟି, ଇନ୍ଦୋର ଓ ବିଶାଖାପାଟନମ, ସେହିପରି ଶ୍ରୀଲଙ୍କାର କେବଳ କଲୋମ୍ବ କ୍ରିକେଟ୍ ଫିଲ୍ଡକୁ ବଛାଯାଇଛି। 

ଦେଖନ୍ତୁ ପୂରା କାର୍ଯ୍ୟସୂଚୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.