ରୋମାଞ୍ଚ ମୋଡ଼ରେ ଶେଷ ଟେଷ୍ଟ, ପଞ୍ଚମ ଦିନରେ ଆସିବ ଓଭାଲ ଟେଷ୍ଟର ଫଳାଫଳ

Published By : Prameya-News7 Bureau | August 03, 2025 IST

ଲଣ୍ଡନ: ବର୍ଷା କାରଣରୁ ରୋମାଞ୍ଚକର ମୋଡ଼ରେ ପହଞ୍ଚି ଯାଇଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଓଭାଲ ଟେଷ୍ଟ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬ ଓ୍ଵିକେଟ୍ ହରାଇ  ୩୩୯ ରନ କରିଛି। ତୃତୀୟ ସେସନରେ ବର୍ଷା ହେବା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅମ୍ପାୟର ଖେଳ ସମାପ୍ତି ଘୋଷଣା କରିଛନ୍ତି। ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୩୫ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୪ ଓ୍ଵିକେଟ୍। ଯଦି କ୍ରିସ ଓ୍ଵକ୍ସ ବ୍ୟାଟିଂ କରି ନ ପାରନ୍ତି ତେବେ ୩ଟି ଓ୍ଵିକେଟ୍ ନେଲେ ଭାରତ ମ୍ୟାଚ୍ ଜିତିବ। ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ମ୍ୟାଚ୍‌ର ଫଳାଫଳ ଆସିବ। ଇଂଲଣ୍ଡ ପକ୍ଷରୁ କ୍ରିଜରେ ଅଛନ୍ତି ଜେମି ସ୍ମିଥ(୨ ରନ) ଓ ଜେମି ଓଭରଟନ। 

୩୭୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ତୃତୀୟ ଦିନର ଖେଳ ଶେଷ ଆଡ଼କୁ ଜ୍ୟାକ କ୍ରାଉଲି(୧୪ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଚତୁର୍ଥ ଦିନର ପ୍ରଥମ ସେସନରେ ବେନ ଡକେଟ୍ ଆଉଟ୍ ହୋଇଥିଲେ। ସେ ୫୪  ରନର କରି ପାଭିଲିୟନ ଫେରିଥିଲେ। ଅଧିନାୟକ ଓଲି ପୋପ ୨୭ ରନ କରି ପାଭିଲିୟନ ଫେରିଥଲେ। ୧୦୬ ରନରେ ୩ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ରହିଥିଲା। ହେଲେ ଜୋ ରୁଟ୍ ଓ ହ୍ୟାରି ବ୍ରୁକ ପାଲଟା ଆକ୍ରମଣ କରିଥିଲେ। ଦୁହେଁ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଭାରତକୁ ବ୍ୟାକଫୁଟ୍‌ରେ ରଖିଥିଲେ। ବିଶେଷ କରି ବ୍ରୁକ ଧୂଆଁଧାର ବ୍ୟାଟିଂ କରି ମ୍ୟାଚ୍‌କୁ ଇଂଲଣ୍ଡ କବଜାକୁ ଆଣିଥିଲେ। ରୁଟ୍ ଓ ବ୍ରୁକ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୩୦୧ ରନରେ ପହଞ୍ଚାଇଥିଲେ। ଭାରତୀୟ ବୋଲରଙ୍କୁ ନାକେଦମ କରାଇଥିବା ବ୍ରୁକଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ ଆକାଶ ଦୀପ। 

ଏହି ଯୋଡ଼ି ଭାଙ୍ଗିବା ପରେ ଭାରତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା।। ଜ୍ୟାକବ ବେଥେଲ(୫) ପ୍ରସିଦ୍ଧଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ତେବେ ସବୁଠୁ ବଡ଼ ସଫଳତା ଭାରତକୁ ଦେଇଥିଲେ ପ୍ରସିଦ୍ଧ କୃଷ୍ଣା। ଜୋ ରୁଟ୍‌ ୧୦୫ ରନରେ ଆଉଟ୍ ହେବାରୁ ମ୍ୟାଚ୍‌ ରୋମାଞ୍ଚକର ମୋଡ଼ ନେଇଥିଲା। ପ୍ରତିଟି ରନ ପାଇଁ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଲିଛି। ତେବେ ୩୩୯/୬ ସ୍କୋରରେ ବର୍ଷା ହେବାରୁ ଅମ୍ପାୟର ଚତୁର୍ଥ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ। ମ୍ୟାଚ୍‌ ରୋମାଞ୍ଚର ଚରମରେ ପହଞ୍ଚି ଯାଇଛି।

ସୂଚନାଯୋଗ୍ୟ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିଲା। ଜବାବରେ ଇଂଲଣ୍ଡ ୨୪୭ ରନ କରି ୨୩ ରନ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତ ଜୟସ୍ଵାଲଙ୍କ ୧୧୮ ରନ ସହ ଆକାଶ ଦୀପଙ୍କ ୬୬ ରନ, ଜାଡ଼େଜାଙ୍କ ୫୩ ରନ ଓ ଓ୍ଵାଶିଂଟନ ସୁନ୍ଦରଙ୍କ ୫୩ ରନ ବଳରେ ଦ୍ଵିତୀୟ ଇନିଂସରେ ୩୯୬ ରନ କରିଥିଲା। ଫଳରେ ଇଂଲଣ୍ଡ ସମ୍ମୁଖରେ ରହିଛି ୩୭୪ ରନର ବିଜୟ ଲକ୍ଷ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.