LIVE TV

ଏଥର ନୂଆ ପ୍ରଣାଳୀରେ ହେବ ବିହାରର ଭୋଟ ଗଣତି

NEWS7
EC

ପାଟନା ୫।୧୦: ବିହାର ବିଧାନସଭା ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ପାଖାପାଖି ଶେଷ ହୋଇଛି। ଏହିକ୍ରମରେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଓ ତାଙ୍କ ଟିମ୍ ୩ ଦିବସୀୟ ବିହାର ଗସ୍ତର ଶେଷ ଦିନରେ ରବିବାର ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଜ୍ଞାନେଶ କୁମାର ଏ ପର୍ଯ୍ୟନ୍ତର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ ଏଥର ଭୋଟ ଗଣନା ସମ୍ପୂର୍ଣ୍ଣ ନୂଆ ପ୍ରଣାଳୀରେ ହେବ। ଇଭିଏମ ଓ ଭିଭିପିଏଟି ପ୍ରକ୍ରିୟାକୁ ପାରଦର୍ଶି କରିବା ପାଇଁ ଖାସ ପ୍ରାବଧାନ କରାଯାଇଛି। ଏଥିରେ ଯଦି କୌଣସି ବୁଥରେ ଇଭିଏମ ଓ ଭିଭିପିଏଟିରେ ମିସ୍ ମ୍ୟାଚ୍ ହେଲା ତେବେ ବୁଥରେ ସମସ୍ତ ଭିଭିପିଏଟି ଚିଟ୍ ର ଗଣତି ହେବ। ସେହିପରି ପୋଷ୍ଟାଲ ବାଲଟ ଗଣନା ଇଭିଏମର ଶେଷ ଦୁଇ ରାଉଣ୍ଡ ଗଣନା ପୂର୍ବରୁ ବାଧ୍ୟତାମୂଳକ କରାଯିବ। ଏହା ଦ୍ୱାରା ଭୋଟ ଗଣନାରେ ବିଶ୍ୱାସ ଓ ପାରଦର୍ଶିତା ରହି ପାରିବ।

ଜ୍ଞାନେଶ କୁମାର କହିଛନ୍ତି ଯେ ଏଥର ବିହାରରେ ମୋଟ ୯୦ ହଜାର ମତଦାନ କେନ୍ଦ୍ର ସ୍ଥାପନା କରାଯିବ। କୌଣସି ବୁଥରେ ୧୨ଶହରୁ ଅଧିକ ମତାଦାତା ରହିବେ ନାହିଁ। ଏହା ଦ୍ୱାରା ଭୋଟିଂ କାଳରେ ଭିଡ ଓ ଲମ୍ବା ଧାଡି ରହିବ ନାହିଁ। ଏହା ଛଡା ପ୍ରଥମ ଥର ସବୁ ବୁଥର ୱେବକାଷ୍ଟିଂ ହେବ। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାର ଲାଇଭ ଦେଖରେଖ ହୋଇ ପାରିବ ଓ ଅନିୟମିତତାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ।

ନିର୍ବାଚନ ଆୟୋଗ ଏଥର ମତଦାତାଙ୍କ ସୁବିଧା ନିମନ୍ତେ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ଏବେ ଭୋଟର ଆଇଡି କାର୍ଡ ୧୫ ଦିନ ମଧ୍ୟରେ ଉପଲବ୍ଧ କରାଯିବ। ପୂର୍ବରୁ ଭୋଟର ଆଇଡି କାର୍ଡ ମିଳିବାକୁ ମାସମାସ ଲାଗି ଯାଉଥିଲା। ଏବେ ଭୋଟରଙ୍କୁ ଏହି ସୁବିଧା ଦିଆଯିବ ଯେ ସେମାନେ ବୁଥ ବାହାରେ ମୋବାଇଲ ରୁମରେ ନିଜର ସୂଚନା ଯାଞ୍ଚ କରିପାରିବେ ଓ କାର୍ଡ ସମ୍ପର୍କିତ କାର୍ଯ୍ୟ ସେହିଠାରେ ପୁରା କରିପାରିବେ।