ଭୁବନେଶ୍ବର: ଯାଜପୁରରେ ବ୍ୟାପୁଥିବା ଝାଡ଼ାବାନ୍ତି ଏବେ ବଡ଼ ଚିନ୍ତାର କାରଣ ପାଲଟିଛି। ଏଥିରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅବଶ୍ୟ ସ୍ଥିତିରେ କିଛିଟା ସୁଧାର ଆସିଥିଲେ ହେଁ ଏବେ ବି ନୂଆ ରୋଗୀ ଡାକ୍ତରଖାନା ମାନଙ୍କରେ ଭର୍ତ୍ତି ହେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ। ମେଡିକାଲ ଟିମ୍ ମଧ୍ୟ ଗାଁ ଗାଁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମେଡିସିନ୍ ଯୋଗାଇଦେଉଛନ୍ତି।
ଏହାରି ମଧ୍ୟ କେନ୍ଦ୍ରୀୟ ଟିମ୍ ଯାଜପୁରରେ ବ୍ୟାପୁଥିବା ଝାଡ଼ାବାନ୍ତିର କାରଣ କହିଛନ୍ତି। ଟିମ୍ର କହିବା ଅନୁଯାୟୀ, ଯାଜପୁରରେ କଲେରା ବ୍ୟାପିଛି। ଏହା ସହ କିଛି ଡାଇରିଆ ମାମଲା ବି ଅଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିମ ଭାବେ ରାଜ୍ୟ ସରକାରଙ୍କୁ ଅନେକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ପାନୀୟ ଓ ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ୱଚ୍ଛତା ନେଇ ପରାମର୍ଶ ଦିଆଯାଇଛି। ଯାଜପୁର ପରେ ଅନ୍ୟ କେଉଁ ଜିଲ୍ଲା ଯିବୁ, ତାହା ଖୁବ ଶୀଘ୍ର ସ୍ଥିର ହେବ ବୋଲି କେନ୍ଦ୍ରୀୟ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉକି, ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ପ୍ରାୟ ୮ ଜଣକ ମୃତ୍ୟୁ ହେଲାଣି। ଏବେବି ୨୬୦ ଜଣ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପ୍ରୟାସ କରୁଛି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ । ୨୦ ଜଣିଆ ଟିମ୍ ପହଞ୍ଚି ଗାଁକୁ ଯାଇ ସଚେତନା କରାଉଛନ୍ତି।
ବିଞ୍ଝାରପୁର ବ୍ଲକ ଓ ବରୀ ବ୍ଲକ ଅଞ୍ଚଳରେ ଥିବା ଜଳଖିଆ ଦୋକାନ, ଢ଼ାବା, ମିଠା, ଫାଷ୍ଟ ଫୁଡ୍, ଗୁପଚୁପ, ଚାଟ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ, ଚିକେନ, ମଟନ ଦୋକାନ ଆଦି ଦୁଇ ସପ୍ତାହ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତହସିଲଦାର।