ଥାନା ଭିତରେ ଉଡ଼ିଲା ଚେୟାର ଆଉ ଫୁଲକୁଣ୍ଡ, ଅଭିଯୁକ୍ତକୁ କୋର୍ଟ ଫରଓ୍ବାର୍ଡ ପରେ ତାତିଲେ ଗ୍ରାମବାସୀ

Published By : Prameya-News7 Bureau | June 10, 2025 IST

ଭୁବନେଶ୍ବର ୧୦ଥାନା ଭିତରେ ଖଣ୍ଡଯୁଦ୍ଧ । ଉଡ଼ିଲା ଚେୟାର ଆଉ ଫୁଲକୁଣ୍ଡ । ଆଇଆଇସିଙ୍କୁ ଆକ୍ରମଣ ସହ ଥାନା ଭିତରେ ପଶି ଭଙ୍ଗାରୁଜା । ଭୁବନେଶ୍ବର ଇନ୍‌ଫୋସିଟି ଥାନାରେ ପୋଲିସ-ପବ୍ଲିକ ମୁହାଁମୁହିଁର ହାଇଡ୍ରାମା ସିନ୍ । ଅଭିଯୁକ୍ତକୁ ଗିରଫ ନୁହେଁ ବରଂ ଟଙ୍କା ଫେରସ୍ତ କରାଇବା ପାଇଁ ହେଲା ରାସ୍ତାରୋକ । ଥାନା ଭିତରେ ଚେୟାର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଥାନା ଅଧିକାରୀଙ୍କୁ ଆକ୍ରମଣ କଲେ ।ପୋଲିସ-ପବ୍ଲିକ୍ ଧସ୍ତାଧସ୍ତିରେ ଜଣେ ମହିଳା ଆହତ ହୋଇଛନ୍ତି । ଠକେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ନେଇ ଅଳସୁଆ ଗାଁ ଲୋକଙ୍କ ସହ ପୋଲିସର ଖଣ୍ଡଯୁଦ୍ଧ ହୋଇଥିଲା । 

ଅଳସୁଆ ଅଞ୍ଚଳରେ ରହୁଥିବା ଅଜୟ ମହାନ୍ତି ୪୨ ଜଣ ଲୋକଙ୍କୁ ସାହାଯ୍ୟ ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ । ଆଜି-କାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ । ବ୍ୟାଙ୍କ୍‌ରୁ ଲୋନ୍ କରି ସାହାଯ୍ୟ କରିଥିବା ଲୋକେ ତାଙ୍କ ଟଙ୍କା ଫେରସ୍ତ ପାଇଲେ ନାହିଁ । ସେପଟେ ଗାଁ ଲୋକଙ୍କ ଦୁଆରେ ବ୍ୟାଙ୍କ ଅଧିକାରୀ ଜଗି ବସିବାରୁ ଗ୍ରାମବାସୀ ସ୍ଥାନୀୟ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଫେରାର ଠକକୁ ପିଛାକରି ଗାଁ ଲୋକେ ଥାନା ଜିମା ଦେଇଥିଲେ । ଅଭିଯୁକ୍ତ ଅଜୟ ମହାନ୍ତି ଲୋକଙ୍କ ଟଙ୍କା ଫେରାଇବାକୁ ମନା କରିବାରୁ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତେବେ ସ୍ଥାନୀୟ ଗ୍ରାମବାସୀ କିନ୍ତୁ ଅଜୟଙ୍କ ଗିରଫ ନୁହେଁ ବରଂ ଟଙ୍କା ଫେରସ୍ତ ଦାବି କରିଥିଲେ । 

ଅଜୟକୁ କୋର୍ଟ ଚାଲାଣ ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଗିରଫ ନୁହେଁ ଟଙ୍କା ଫେରାଅ ନାରା ଦେଇଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ପୋଲିସ ସହିତ ଯୁକ୍ତିତର୍କ କରିବା ସହ ଭଙ୍ଗାରୁଜା କରି ଆଇଆଇସିଙ୍କ ଚାମ୍ବର ଭିତରକୁ ଧସେଇ ପଶିଥିଲେ । ଏହାକୁ ରୋକିବାକୁ ଯାଇ ଉଭୟ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ଥାନା ଅଧିକାରୀଙ୍କ ସମେତ ଏକାଧିକ ମହିଳା ପୋଲିସ ଆହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ଫୋର୍ସ, ତିନି ଥାନାର ଅଧିକାରୀ ଓ କର୍ମଚାରୀ ସମେତ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଥିଲେ । ସେପଟେ ଘଟଣାର ଯାଞ୍ଚ ହେବା ଓ ବ୍ୟାଙ୍କ୍ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘର ଆଗରେ ନବସିବାକୁ ଚିଠି ଲେଖି ଜଣାଇବା ପ୍ରତିଶ୍ରୁତି ପରେ ରାସ୍ତା ରୋକରୁ ହଟିଥିଲେ ଅଳସୁଆ ଗ୍ରାମବାସୀ ।

You Can Read: 

ଭିଜିଲାନ୍ସ ପଞ୍ଝାରେ ଲମତାପୁଟ ଜେଇ ସୁଚିସ୍ମିତା ପରିଜା, ୮ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.