ପାଟନା ୧୪।୧୧: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଫଳାଫଳରୁ ରାଜ୍ୟରେ ଶାସକ ମେଣ୍ଟର ସରକାର ନିଶ୍ଚିତ ହୋଇଯାଇଛି। ଏଥିରେ ବିଜେପି ବିହାରରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ବିଜେପି ୯୧ ଆସନ ସହ ଆଗରେ ଚାଲିଛି। ଏବେ ନିର୍ବାଚନ ଆୟୋଗ ଯେଉଁ ସବୁ ଆସନରେ ଭୋଟଗଣନା ସରିଗଲାଣି ସେହି ସବୁ ଆସନର ଫଳ ଘୋଷଣା କରୁଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନ ଆରଜେଡି ନେତା ତେଜସ୍ୱୀ ଯାଦବ ଲଢୁଥିବା ରାଘୋପୁର ନିର୍ବାଚନ ମଣ୍ଡଳିର ଫଳାଫଳ ଘୋଷଣା କରିଛନ୍ତି। ଏଥିରେ ତେଜସ୍ୱୀ ଯାଦବ ବିଜୟୀ ହୋଇଛନ୍ତି।

ପ୍ରାରମ୍ଭିକ ଭୋଟ ଗଣନା କାଳରେ ତେଜସ୍ୱୀ ଲିଡ କରିଥିଲେ। ହେଲେ ଯେପରି ଭୋଟ ଗଣନା ରାଉଣ୍ଡ ବଢିବାରେ ଲାଗିଲା ତେଜସ୍ୱୀ ପଛେଇବାରେ ଲାଗିଥିଲେ। ତେବେ ପରବର୍ତ୍ତି ପର୍ଯ୍ୟାୟ ଗଣନା କାଳରେ ପରିସ୍ଥିତି ବଦଳି ଥିଲା ଓ ତେଜସ୍ୱୀ ପୁଣି ଲିଡ କରିଥିଲେ। ଏବେ ତେଜସ୍ୱୀ ଜିତିସାରିଲେଣି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୩ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଏଠାରେ ତେଜସ୍ୱୀଙ୍କ ମୁକାବିଲା ବିଜେପିର ସତୀଶ କୁମାରଙ୍କ ସହ ହୋଇଛି।

ବିଜେପିର ସତୀଶ କୁମାରଙ୍କୁ ୧୦୨୫୮୭ଟି ଭୋଟ ମିଳିଥିବା ବେଳେ ତେଜସ୍ୱୀଙ୍କୁ ୧ଲକ୍ଷ ୧୬ ହଜାର ୪୬୭ଟି ଭୋଟ ମିଳିଛି। ଏଣୁ ତେଜସ୍ୱୀ ୧୩ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ରାଘୋପୁରରେ ତେଜସ୍ୱୀ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଛନ୍ତି। ତେଜସ୍ୱୀ ଏହି ଆସନରୁ ତୃତୀୟବାର ବିଜୟୀ ହୋଇଛନ୍ତି। ରାଘୋପୁର ତେଜସ୍ୱୀଙ୍କ ପାରମ୍ପରିକ ଆସନ । ୨୦୧୫ ମସିହାରୁ ତେଜସ୍ୱୀ ଏହି ନିର୍ବାଚନମଣ୍ଡଳିରୁ ଲଗାତାର ଜିତି ଆସୁଛନ୍ତି। ଏଠାରେ ଚଳିତ ନିର୍ବାଚନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତାରେ ତେଜସ୍ୱୀ ବିଜେପି ପ୍ରାର୍ଥୀଙ୍କୁ ମାତ ଦେଇଛନ୍ତି।