ପାଟନା: ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ତେଜ ପ୍ରତାପ ଯାଦବ। ପୂର୍ବତନ ବିହାର ବିଧାୟକ ତେଜପ୍ରତାପଙ୍କୁ ବାପା ଲାଲୁ ପ୍ରସାଦ ଯାଦବ ଅଶୋଭନୀୟ ଆଚରଣ ଓ ଜୀବନ ଶୈଳୀ ପାଇଁ ଦଳରୁ ନିଲମ୍ବିତ କରିଥିଲେ। ହେଲେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ତେଜ ପ୍ରତାପ ଶନିବାର ଘୋଷଣା କରିଛନ୍ତି।
ଏହା ପୂର୍ବରୁ ଶନିବାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମଧ୍ୟ ଏନେଇ ସୂଚନା ଦେଇଥିଲେ ତେଜ ପ୍ରତାପ। ସେ କହିଥିଲେ ଯେ ଯଦି ତାଙ୍କୁ ଦଳରୁ ଟିକେଟ ନ ମିଳେ ତେବେ ସେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବୈଶାଳୀ ଜିଲ୍ଲାର ମହୁଆ ବିଧାନସଭାରୁ ନିର୍ବାଚନ ଲଢ଼ିବେ। ସେ କହିଥିଲେ “ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ମହୁଆରୁ ନିର୍ବାଚନ ଲଢ଼ିବାକୁ ଯାଉଛି। ମୁଁ ଏବଂ ମୋର ଦଳ ତେଜ ପ୍ରତାପ ଯାଦବ ଲୋକଙ୍କଠାରୁ ବହୁତ ସମର୍ଥନ ପାଉଛୁ। ଯୁବପିଢ଼ି ମଧ୍ୟ ଆମକୁ ବହୁ ପରିମାଣରେ ସମର୍ଥନ କରୁଛନ୍ତି।”
ସୂଚନା ଥାଉକି ଚଳିତ ବର୍ଷ ମେ ମାସରେ ତେଜ ପ୍ରତାପ ଯାଦବ ତାଙ୍କ ବାନ୍ଧବୀ ଅନୁଷ୍କା ଯାଦବଙ୍କ ସହ ସମ୍ପର୍କ ସାର୍ବଜନୀନ କରିବା ପରେ ବାପା ଲାଲୁ ଯାଦବ ତାଙ୍କୁ ଆରଜେଡି ଏବଂ ତାଙ୍କ ପରିବାରରୁ ବହିଷ୍କାର କରିଥିଲେ। ଏହାପରେ ସେ ତାଙ୍କ ବିଷୟରେ ହୋଇଥିବା ସୋସିଆଲ୍ ମିଡିଆ ପୋଷ୍ଟକୁ ଅସ୍ୱୀକାର କରିଥିଲେ। ତାଙ୍କ ଆକାଉଣ୍ଟ ହ୍ୟାକ୍ କରି କେହି ଏମିତି ପୋଷ୍ଟ କରିଥାଇ ପାରେ ବୋଲି କହିଥିଲେ। ହେଲେ ତଥାପି ତାଙ୍କ ଉପରେ ଦଳ ୬ ବର୍ଷ ପାଇଁ ନିଲମ୍ବନ ନିର୍ଦ୍ଦେଶ ଲଗାଇଛି।
ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ତେଜ ପ୍ରତାପ କହିଛନ୍ତି “ମହୁଆର ଲୋକମାନେ କେବଳ ମୋତେ ଏଠାରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ସେମାନେ କହୁଛନ୍ତି ଯେ ଯଦି ଆରଜେଡିର ଅନ୍ୟ କାହାକୁ ଏଠାରେ ପ୍ରାର୍ଥୀ କରାଯାଏ, ତେବେ ସେମାନେ ତାଙ୍କୁ ଭୋଟ ଦେବେ ନାହିଁ। ଯଦି ଦଳ (ଆରଜେଡି) ମୋତେ ଟିକେଟ୍ ଦିଏ, ତେବେ ମୁଁ ଆରଜେଡି ପାଇଁ ନିର୍ବାଚନ ଲଢ଼ିବି। ଯଦି ଏହା ନ ହୁଏ, ତେବେ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବି, କିନ୍ତୁ କେବଳ ମହୁଆରୁ ଲଢ଼ିବି। ଏହା ମୋର କାର୍ଯ୍ୟଭୂମି। ”
ମହୁଆ ହେଉଛି ସେହି ବିଧାନସଭା କ୍ଷେତ୍ର ଯେଉଁଠାରୁ ତେଜ ପ୍ରତାପ ୨୦୧୫ ରାଜ୍ୟ ନିର୍ବାଚନରେ ଜିତିଥିଲେ ଏବଂ ନୀତିଶ କୁମାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଆରଜେଡିର ମୁକେଶ କୁମାର ରୋଶନ ମହୁଆରୁ ବର୍ତ୍ତମାନର ବିଧାୟକ।