News7 Logo

ଏସିଆ କପ୍‌ରେ ଟିମ୍ ଇଣ୍ଡିଆର କ୍ରମାଗତ ଦ୍ଵିତୀୟ ବିଜୟ, ରୋମାଞ୍ଚର ମୁକାବିଲାରେଜାପାନକୁ ୩-୨ରେ ଦେଲା ମାତ୍

NEWS7

ନୂଆଦିଲ୍ଲୀ: ବିହାରର ରାଜଗିରରେ ଖେଳା ଯାଉଥିବା ଏସିଆ କପ୍ ୨୦୨୫ରେ ଲଗାତାର ଦ୍ଵିତୀୟ ବିଜୟ ହାସଲ କରିଛି ଆୟୋଜକ ଭାରତ। ଭାରତୀୟ ହକି ଦଳ ରୋମାଞ୍ଚକର ମ୍ୟାଚ୍‌ରେ ଶକ୍ତିଶାଳୀ ଜାପାନକୁ ୩-୨ରେ ମାତ୍ ଦେଇଛି। ଆଜିର ବିଜୟ ପରେ ଭାରତ ସେମି ଫାଇନାଲ୍‌ ଅଭିମୁଖେ ଆଉ ପାଦେ ଆଗେଇଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ(୫ମ ମିନିଟ୍ ଓ ୪୬ତମ ମିନିଟ) ଓ ମନଦୀପ ସିଂ(୪ମ ମିନିଟ)ରେ ଗୋଲ୍ ଦେଇଥିଲେ। ଜାପାନ ନିଜର ପ୍ରଥମ ମ୍ୟାଚ୍‌ରେ କଜାକସ୍ତାନକୁ ୭-୦ରେ ହରାଇଥିଲା। ଅନ୍ୟପଟେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଚୀନକୁ ୪-୩ରେ ହରାଇଥିଲା। ଲଗାତାର ଦ୍ଵିତୀୟ ବିଜୟ ପରେ ସେପ୍ଟେମ୍ବର ୧ରେ ଭାରତ ନିଜର ତୃତୀୟ ମ୍ୟାଚ୍‌ରେ କଜାକସ୍ତାନକୁ ଭେଟିବ।

ଭାରତୀୟ ଦଳ ଆରମ୍ଭରୁ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ପ୍ରଥମ କ୍ଵାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇଥିଲା। କ୍ଵାର୍ଟରର ଚତୁର୍ଥ ମିନିଟ୍‌ରେ ମନଦୀପ ସିଂ ଦମଦାର ଫିଲ୍ଡ ଗୋଲ୍ ଦେଇଥିଲେ। ପୁଣି ଗୋଟିଏ ମିନିଟ୍ ପରେ ଅଧିନାୟକ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରୁ ଗୋଲ୍ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି କ୍ଵାର୍ଟରରେ ଦୁଇ ଦଳ ପକ୍ଷରୁ କୌଣସି ଗୋଲ୍ ହୋଇ ନ ଥିଲା। ଅନେକ ସୁଯୋଗ ମିଳିଥିଲେ ହେଁ ଦୁଇ ଦଳର ଖେଳାଳି ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ହାପ୍ ଟାଇମ୍ ପର୍ଯ୍ୟନ୍ତ ଭାରତ ୨-୦ରେ ଅଗ୍ରଣୀ ରହିଥିଲା।

 

1⃣5⃣0⃣ 𝐀𝐍𝐃 𝐂𝐎𝐔𝐍𝐓𝐈𝐍𝐆! 🤩

Hockey India congratulates Krishan B Pathak on playing his 150th match for the Indian men's hockey team.#HockeyIndia #IndiaKaGame

(1/2) pic.twitter.com/oCusVLsaCA

— Hockey India (@TheHockeyIndia) August 31, 2025

 

 

ତୃତୀୟ କ୍ଵାର୍ଟରରେ ଜାପାନ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଏହାର ଫାଇଦା ଦଳକୁ ବି ମିଳିଥିଲା। ତୃତୀୟ କ୍ଵାର୍ଟରର ଅଷ୍ଟମ ମିନିଟ୍‌ରେ କଓ୍ଵାବେ କୋସେଇ ଜାପାନ ପାଇଁ ଗୋଲ୍ ଦେଇ ଦଳକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ତୃତୀୟ କ୍ଵାର୍ଟର ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ପୁଣି ଚତୁର୍ଥ କ୍ଵାର୍ଟରର ଆରମ୍ଭରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଅଧିନାୟକ ହରମନପ୍ରୀତ ସିଂ ଏହାର ଫାଇଦା ଉଠାଇ ଗୋଲ୍ ଦେଇଥିଲେ ଏବଂ   ଭାରତ ୩-୧ରେ ଅଗ୍ରଣୀ ହାସଲ କରିଥିଲା। ଜାପାନ ଗୋଲ୍ ଦେବା ପାଇଁ ଖୁବ୍ ଲଢିଥିଲା ଏବଂ ଖେଳ ଶେଷ ହେବାର ଦୁଇ ମିନିଟ୍ ପୂର୍ବରୁ କଓ୍ଵାବେ କୋସେଇ ଗୋଲ୍ ଦେବାରେ ସଫଳ ହୋଇଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ଆଉ ଭାରତ ଏହି ରୋମାଞ୍ଚକର ମୁକାବିଲାକୁ ୩-୨ରେ ଜିତି ନେଇଛନ୍ତି। 

ଏସିଆ କପ୍‌ରେ ଭାରତୀୟ ଦଳ ଜାପାନ, ଚୀନ ଓ କଜାକିସ୍ତାନ ସହ ଗ୍ରୁପ ଏରେ ରହିଛି। ଗ୍ରୁପ ବିରେ ଚୀନ ତାଇପେ, ମାଲେସିଆ, ଦକ୍ଷିଣ କୋରିଆ ଓ ବାଂଲାଦେଶ ରହିଛି। ଏସିଆ କପ୍‌ର ବିଜେତା ଦଳକୁ ଆଗାମୀ ହକି ବିଶ୍ଵକପ୍‌ରେ ସିଧାସଳଖ ଏଣ୍ଟ୍ରି ମିଳିବ। 

ସୂଚନାଯୋଗ୍ୟ, ଏହା ହେଉଛି ଏସିଆ  କପ୍ ହକି ଟୁର୍ଣ୍ଣାମେଣ୍ଟର ୧୭ତମ ସଂସ୍କରଣ। ଏ ପର୍ଯ୍ୟନ୍ତ ଭାରତୀୟ ଦଳ ତିନି ଥର ଏସିଆ କପ୍ ଜିତି ପାରିଛି। ଦଖ ଶେଷ ଥର ୨୦୧୭ରେ ଟୁର୍ଣ୍ଣାମେଣ୍ଟ ଜିତିବାରେ ସଫଳ ହୋଇଥିଲା। ଏହା ପୂର୍ବରୁ ଭାରତ ୨୦୦୩ ଏବଂ ୨୦୦୭ରେ ଚାମ୍ପିଅନ ହୋଇଥିଲା। ଦକ୍ଷିଣ କୋରିଆ ସର୍ବାଧିକ ୫ ଥର ଏବଂ ପାକିସ୍ତାନ ୩ ଥର ଚାମ୍ପିଅନ ହୋଇଛି। ପାକିସ୍ତାନୀ ଦଳ ସୁରକ୍ଷା କାରଣ ଦର୍ଶାଇ ଏ୍‌ଥର ଟୁର୍ଣ୍ଣାମେଣ୍ଟରୁ ହଟିବାକୁ ନିଷ୍ପତ୍ତି ନେଇଥିଲା।