LIVE TV

ଟ୍ୟାକ୍ସି ଡ୍ରାଇଭର ହତ୍ୟା, ଖୋଲୁଛି ଗୁମର; ମ୍ୟାଡାମଙ୍କୁ ଖୋଜୁଛି ପୋଲିସ

NEWS7
taxi driver

ଭୁବନେଶ୍ଵର:  ଚନ୍ଦକାରୁ ମିଳିଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଚାକିରି କେଳେଙ୍କାରୀରୁ ତାଙ୍କ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେହି ମ୍ୟାଡାମଙ୍କୁ ପୋଲିସ ଖୋଜୁଥିବା ବେଳେ ଏବେ ସୁଦ୍ଧା ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି କମିଶନରେଟ ପୋଲିସ

ଜବ୍ ସ୍କାମରୁ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ବଢିବାରେ ଲାଗିଛି ଏଭଳି ସନ୍ଦେହ ।  କାରଣ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧରଙ୍କୁ ଅପହରଣ କରିଥିବା ଲୋକେ ତାଙ୍କ ପତ୍ନୀଙ୍କୁ ଫୋନରେ ଟଙ୍କା ମାଗୁଛନ୍ତି । ଟଙ୍କା ଦେଲେ ସ୍ବାମୀ ମୁକ୍ତି ପାଇବେ ବୋଲି କହୁଛନ୍ତି । ତେବେ କାହିଁକି ବିଦ୍ୟାଧରଙ୍କୁ ଅପରହଣ କରିଛନ୍ତି ଏହି ଲୋକେ । ଏହା ପଛରେ ରହିଛି ଚାକିରି କେଳାଙ୍କାରୀ ଓ ଏହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ମାଡାମ୍ । 

ବରମୁଣ୍ଡା ଅଞ୍ଚଳରେ ଜବ୍ କନସଲଟାନ୍ସି ଖୋଲିଥିବା ଜ୍ୟୋତ୍ସ୍ନା ନାମକ ମହିଳାଙ୍କ ପାଖରେ ଚାକିରି କରୁଥିଲେ ବିଦ୍ୟାଧର । ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ଏହି ମାଡାମ୍ ବିଦ୍ୟାଧରଙ୍କ ଜରିଆରେ କୁଆଡେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ଥିଲେ । ଏହାପରେ ଆଉ ଧରା ଛୁଆଁ ଦେଇନଥିଲେ । ଚାକିରି ନାଁରେ ଠକେଇ ପରେ, ଟଙ୍କା ଫେରି ନପାଇବାରୁ ଆଶାୟୀ ପ୍ରାର୍ଥୀ ମାନେ ମିଶି ମଧ୍ୟସ୍ଥି ସାଜିଥିବା ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ କରିଥିଲେ । ତେବେ ଅପହରଣକାରୀଙ୍କ ଘରେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ । ଏହାପରେ ତାର ମୃତଦେହକୁ ଅପହରଣକାରୀମାନେ ଚନ୍ଦକାରେ ଆଣି ଫିଙ୍ଗିଦେଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ଏହି ଘଟଣାରେ ଏବେ ସୁଦ୍ଧା ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଅପହରଣ କରିଥିବା ଯୁବକ ମାନେ ଯାଜପୁରଓ ଗଜପତି ଜିଲ୍ଲାର ବୋଲି କୁହାଯାଉଛି । ଏହି ଘଟଣାରେ କିଛି କଲେଜ ଛାତ୍ରଙ୍କ ସମ୍ପୃକ୍ତି ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ । ହତ୍ୟାକାଣ୍ଡ ପରେ ଫେରାର ଥିବା ଜ୍ୟୋସ୍ନା ମ୍ୟାଡାମ୍ଙ୍କୁ ଖୋଜୁଛି ପୋଲିସ । ଗତ ୧୫ ତାରିଖରେ ଗାଡ଼ି ଧରି ବାହାରକୁ ଯାଇଥିବା ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗାଁର ବିଦ୍ୟାଧର ସାହୁ ଘରକୁ ଫେରିନଥିଲେ । ତାଙ୍କୁ ଅପହରଣ କରାଯାଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

ତେବେ ଗତ ଦୁଇ ଦିନ ହେଲା କୌଣସି ଏକ ଅଜଣା ନମ୍ବରରୁ ବିଦ୍ୟାଧରଙ୍କ ପରିବାର ପାଖକୁ ଲଗାତର ଫୋନ୍ ଆସୁଥିଲା । ବିଦ୍ୟାଧରଙ୍କ ବଦଳରେ ୨ କୋଟି ୪୦ ଲକ୍ଷ ଟଙ୍କା ତାଙ୍କ ପତ୍ନୀ ଙ୍କ ଠାରୁ  ଦାବି କରୁଥିଲେ ଅପହରଣକାରୀ । ଆଉ ଶନିବାର ସକାଳେ ଚନ୍ଦକା ରାସ୍ତାରେ ବିଦ୍ୟାଧରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ବଡ଼ଗଡ଼ ଓ ଚନ୍ଦକା ଥାନା ପୋଲିସ ମିଶି ଏହି ଘଟଣାର ତଦନ୍ତ କରୁଛନ୍ତି । ହତ୍ୟା ପଛରେ ବକେୟା ଟଙ୍କା କାରଣ ବୋଲି କୁହାଯାଉଛି ।