ଅପରେସନ "ସିନ୍ଦୂର" ଉପରେ ପାକିସ୍ତାନର ୟୁ-ଟର୍ଣ୍ଣ, ଚୀନକୁ ଦେଲା ଅସ୍ତ୍ରବିରତି ଶ୍ରେୟ; ପ୍ରଥମେ ଟ୍ରମ୍ପଙ୍କ କରୁଥିଲା ଗୁଣ ଗାନ

NEWS7
tata-ac-and-car-clash-a-quintal-of-cannabis-came-out-of-the-vehicle-after-the-accident

ନୂଆଦିଲ୍ଲୀ: ୨୦୨୫ ମେ’ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୈନ୍ୟ ସଂଘର୍ଷ ଓ ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆମେରିକା ପରେ ଚୀନ କିଛି ଦିନ ପୂର୍ବେ ଅସ୍ତ୍ରବିରତି କରାଇଛି ବୋଲି ଦାବି କରିଥିଲା । ଏହି ପୂରା ଖେଳରେ ସବୁଠି ରୋଚକ ଭୂମିକା ପାରିସ୍ତାନର ରହିଛି । ପ୍ରଥମେ ଏହି କାମ ପାଇଁ ଆମେରିକାକୁ ଶ୍ରେୟ ଦେଉଥିବା ପାକିସ୍ତାନର ଏବେ ସ୍ୱର ବଦଳୁ ଥିବା ଦେଖିବାକୁ ମିଳିଛି । ଏବେ ପାକିସ୍ତାନ, ଚୀନର ସେହି ଦାବି ଉପରେ ମୋହର ମାରିଛି, ଯେଉଁଥିରେ ବେଜିଂ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ଭୂମିକା କଥା କହିଥିଲା ।

ପାକିସ୍ତାନ ବିଦେଶ କାର୍ଯ୍ୟାଳୟର ମୁଖପାତ୍ର ଅନ୍ଦ୍ରାବି ଏକ ସାମ୍ୱାଦିକ ସମ୍ମିଳନୀରେ ଚୀନର ଦାବିକୁ ସ୍ପଷ୍ଟ କରିଛନ୍ତି । ଅନ୍ଦ୍ରାବିଙ୍କ ଅନୁସାରେ, ମେ ୬ରୁ ୧୦ ମଧ୍ୟରେ ସଂଘର୍ଷ ସମୟରେ ଚୀନର ଶୀର୍ଷ ନେତୃତ୍ୱ ଲଗାତାର ପାକିସ୍ତାନ ସହ ସମ୍ପର୍କରେ ଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଚୀନ କେବଳ ପାକିସ୍ତାନ ସହ ନୁହେଁ ବରଂ ଭାରତୀୟ ନେତୃତ୍ୱ ସହ ମଧ୍ୟରେ ଯୋଗାଯୋଗରେ ଥିଲା । ତାଙ୍କ ମତରେ ଚୀନର ଏହି ସକ୍ରିୟ ଏବଂ ସକାରାତ୍ମକ କୂଟନୀତି ଯୋଗୁ ସୀମାରେ ଉତ୍ତେଜନା ଓ ଯୁଦ୍ଧ ସ୍ଥିତି ଟଳିଯାଇଥିଲା ।

ଚୀନ ଏବଂ ପାକିସ୍ତାନର ଏହି ଦାବିର ବିପରୀତରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରଖିଛି । ଭାରତ ଆରମ୍ଭରୁ ହିଁ ଅସ୍ତ୍ରବିରତିରେ ତୃତୀୟ ପକ୍ଷର ହସ୍ତକ୍ଷେପ କିମ୍ୱା ମଧ୍ୟସ୍ଥତାକୁ ମୂଳକୁ ଖଣ୍ଡନ କରିଆସୁଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବିଦେଶୀ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି ଯେ ଅପରେସନ ସିନ୍ଦୂର ସମୟରେ ଅସ୍ତ୍ରବିରତିରେ କୌଣସି ବିଦେଶୀ ଚାପ ନାହିଁ, ବରଂ ଗ୍ରାଉଣ୍ଡ ସ୍ଥିତି ଓ ସୈନ୍ୟ ଆଲୋଚନା କାରଣରୁ ହୋଇଥିଲା । ଭାରତ ଅନୁସାରେ, ପାକିସ୍ତାନ ଡିଜିଏମଓ ଭାରତୀୟ ସମକକ୍ଷଙ୍କ ଯୋଗାଯୋଗ କରି ଆକ୍ରମଣ ରୋକିବାକୁ ଅନୁରୋଧ କରିଥିଲା । ଏହା ପରେ ଶାନ୍ତି ସ୍ଥାପନ ହୋଇଥିଲା । ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟସ୍ଥତା ଦାବିକୁ ଭାରତ ଖଣ୍ଡନ କରିସାରିଛି ।

ବିଶେଷଜ୍ଞଙ୍କ ମତରେ ପାକିସ୍ତାନର ଏହି ସଦ୍ୟ ବୟାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ବିଳମ୍ୱରେ କାହିଁକି ଏହି ବୟାନ ? ଏତେ ସମୟ ଯାଏ ଚୁପ୍ ରହିବା ପରେ ହଠାତ୍ ଚୀନକୁ ଶ୍ରେୟ ଦେବା ପାକିସ୍ତାନର ବଦଳିଥିବା କୂଟନୀତିକ ରଣନୀତିର ଅଂଶ ବୋଲି ବିବେଚନା କରାଯାଉଛି । ଏହା ପୂର୍ବରୁ ପାକିସ୍ତାନ ଏହି ପୂରା ମାମଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସବୁଠି କହି ବୁଲୁଥିଲା । ଏବେ ହଠାତ୍ ଚୀନ ପକ୍ଷ ନେବା ଦର୍ଶାଉଛି ଯେ ପାକିସ୍ତାନ ଏହି କ୍ଷେତ୍ରରେ ବେଜିଂର ଭୂମିକାକୁ ଦୁନିଆ ସାମନାରେ ଅଧିକ ମଜଭୁତ ବୋଲି ଦର୍ଶାଇବାକୁ ଯାଉଛି ।