ନୂଆଦିଲ୍ଲୀ: ତାଞ୍ଜାନିଆରେ ନିର୍ବାଚନ ସହ ଜଡିତ ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୭୦୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମୁଖ୍ୟ ବିରୋଧୀ ଦଳ ଚାଡେମା ଦାବି କରିଛନ୍ତି । ଚାଡେମା ମୁଖପାତ୍ର ଜନ୍ କିଟୋକା ଶୁକ୍ରବାର କହିଛନ୍ତି," ଡାର ଏସ ସଲାମରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୫୦ ଏବଂ ମୱାଞ୍ଜାରେ ୨୦୦ରୁ ଅଧିକ । ଦେଶର ଅନ୍ୟାନ୍ୟ ସ୍ଥାନରୁ ମିଳିଥିବା ସଂଖ୍ୟା ସହିତ ଯୋଡାଗଲେ, ମୋଟ ସଂଖ୍ୟା ପ୍ରାୟ ୭୦୦।"

ବୁଧବାର ଏକ ବିବାଦୀୟ ସାଧାରଣ ନିର୍ବାଚନ ପରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ନିର୍ବାଚନ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଏବଂ ତାଙ୍କ ଶାସକ ଚାମା ଚା ମାପିଣ୍ଡୁଜି (ସିସିଏମ) ଦଳ ସପକ୍ଷରେ ପଡ଼ିଥିବା ଦେଖାଯାଇଥିଲା । ବୁଧବାର ଅନୁଷ୍ଠିତ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଦର୍ଶନକାରୀମାନେ ପୋଷ୍ଟର ଚିରି ଦେଇଥିଲେ, ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଏବଂ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଥିଲେ । ଦାର୍ ଏସ୍ ସଲାମ୍, ମୱାଞ୍ଜା, ଡୋଡୋମା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରଦର୍ଶନକାରୀ ଉଗ୍ର ହୋଇ ରାସ୍ତାକୁ ଓହ୍ଲାଇ ପୋଲିସ ଏବଂ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଥିଲେ ।

ଉତ୍ତେଜନା ବୃଦ୍ଧି ପାଇବା ପରେ, ସରକାର ଇଣ୍ଟରନେଟ୍ ବନ୍ଦ କରିବା ସହ କର୍ଫ୍ୟୁ ଜାରି କରିଥିଲେ । ଶୁକ୍ରବାର ତୃତୀୟ ଦିନ ପାଇଁ ତାଞ୍ଜାନିଆର ଇଣ୍ଟରନେଟ୍ କଟକଣା ବଳବତ୍ତର ରହିଥିଲା । ବିଦେଶୀ ସାମ୍ବାଦିକମାନଙ୍କୁ ଘଟଣାର କଭରେଜ୍ କରିବାରୁ ବାରଣ କରାଯାଇଥିଲା । ସେନା ମୁଖ୍ୟ ଜେନେରାଲ୍ ଜାକବ୍ ମକୁଣ୍ଡାଙ୍କ ଏକମାତ୍ର ସରକାରୀ ପ୍ରତିକ୍ରିୟା ଦେଇଥିଲେ । ସେ ପ୍ରଦର୍ଶନକାରୀଙ୍କୁ "ଅପରାଧୀ" ବୋଲି ଆଖ୍ୟା ଦେଇଥିଲେ ଏବଂ ଖୁବଶୀଘ୍ର ଶାନ୍ତି ସ୍ଥାପନ ହେବ ବୋଲି କହିଥିଲେ ।

ଏପି ରିପୋର୍ଟ ଅନୁଯାୟୀ, ସେମି-ଅଟୋନୋମସ ଅଞ୍ଚଳ ଏବଂ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର, ଜାଞ୍ଜିବାରରେ, ସିସିଏମର ସଭାପତି ହୁସେନ ମ୍ୱିନିଙ୍କୁ ୭୮.୮% ଭୋଟ ସହିତ ବିଜୟୀ ଘୋଷଣା କରାଯାଇଥିଲା । ଯାହା ଆନ୍ଦୋଳନକୁ ଅଧିକ ଉଗ୍ର କରିଥିଲା । ବିରୋଧୀ ଦଳ ACT-Wazalendo ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଏହାକୁ ନିରପେକ୍ଷ ନୁହେଁ ବୋଲି କହିଥିଲେ ।

ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା କିମ୍ବା ବିରୋଧୀଙ୍କ ଦାବି ଉପରେ ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି । ଉତ୍ତେଜନା ଅଧିକ ଥିବାରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରଖାଯାଇଛି । ସେପଟେ ବିଦେଶରେ ଥିବା ତାଞ୍ଜାନିଆବାସୀ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିବା ପାଇଁ ଅନଲାଇନ୍ ଆଲୋଚନା କରୁଛନ୍ତି । ଶୁକ୍ରବାର ଜାତିସଂଘ ତାଞ୍ଜାନିଆ ସରକାରଙ୍କୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ସେଫ୍ ମାଗାଙ୍ଗୋ କହିଛନ୍ତି, "ଆମେ ସୁରକ୍ଷା ବାହିନୀକୁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଅନାବଶ୍ୟକ ବଳ ପ୍ରୟୋଗରୁ ନିବୃତ୍ତ ରହିବାକୁ ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଆହ୍ୱାନ କରୁଛୁ ।"