ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ (Seafood Processing Unit) ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୬ ଜଣ ଶ୍ରମିକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।

କେଉଁଠି ଓ କେମିତି ଘଟିଲା ଏହି ଦୁର୍ଘଟଣା?

ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେୟାର୍ ଗ୍ରାମରେ ଥିବା 'ସେଣ୍ଟ ପିଟର୍ସ ଆଣ୍ଡ ପଲ୍ ସିଫୁଡ୍ସ ଏକ୍ସପୋର୍ଟସ୍' ନାମକ ଏକ ଚିଙ୍ଗୁଡ଼ି ତଥା ସାମୁଦ୍ରିକ ଖାଦ୍ୟ ରପ୍ତାନି କାରଖାନାରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, କାରଖାନାରେ ଲାଗିଥିବା ଏକ Valve କୌଣସି କାରଣରୁ ଖରାପ ହୋଇଯିବାରୁ ସେଥିରୁ ପ୍ରବଳ ମାତ୍ରାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ନିର୍ଗତ ହୋଇଥିଲା।

ଗ୍ୟାସ୍ ନିର୍ଗତ ହେବା ପରେ ସେଠାରେ କାମ କରୁଥିବା ଶ୍ରମିକମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ମୁଣ୍ଡ ବୁଲାଇବା ସହ ବାନ୍ତି କରିଥିଲେ। ଅଧିକାଂଶ ପ୍ରଭାବିତ ଶ୍ରମିକ ଦେଶର ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରୁ ଆସି ସେଠାରେ କାମ କରୁଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଆହତ ଓ ଅସୁସ୍ଥ ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଯଥାଶୀଘ୍ର ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ସ୍ପର୍ଶକାତର ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ ରାଜେନ୍ଦ୍ର ଆରଲେକର। ଲୋକ ଭବନ (ରାଜଭବନ) ପକ୍ଷରୁ ଜାରି ଏକ ବିବୃତ୍ତିରେ ରାଜ୍ୟପାଳ କହିଛନ୍ତି, ‘ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲାୟମ୍ ନିକଟ କନ୍ନିଗାଇପେୟାର୍ ଗ୍ରାମରେ ଥିବା ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ଘଟିଥିବା ଦୁଃଖଦ ଆମୋନିଆ ଗ୍ୟାସ୍ ଲିକ୍ ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁର୍ଘଟଣାରେ କେତେକ ମୂଲ୍ୟବାନ ଜୀବନ ଚାଲିଯାଇଛି ଏବଂ ଅନେକ ଶ୍ରମିକ ଆହତ ହୋଇଛନ୍ତି।’