ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବଡ଼ ଦାବି, କହିଲେ-ସୁପ୍ରିମକୋର୍ଟରେ ହେଉ ତାମିଲରେ ବିତର୍କ

Published By : Prameya-News7 Bureau | June 16, 2025 IST

ଚେନ୍ନାଇ ୧୬।୬: ଭାଷା ବିବାଦ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ସୋମବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ତାମିଲ ଭାଷାକୁ ସୁପ୍ରିମକୋର୍ଟରେ କୋର୍ଟ ଲାଙ୍ଗୁଏଜର ମାନ୍ୟତା ମିଳୁ। ଷ୍ଟାଲିନ କହିଛନ୍ତି ଯେ ସୁପ୍ରିମକୋର୍ଟ ଓ ମାଡ୍ରାସ ହାଇକୋର୍ଟରେ ତାମିଲ ଭାଷାରେ ବିତର୍କକୁ ଅନୁମତି ମିଳିବା ଦରକାର ଏଥି ପାଇଁ ଦୀର୍ଘ ସମୟରୁ ଦାବି ହେଉଛି। ଏହି ପ୍ରସଙ୍ଗରେ ସେ ବିଚାରପତିମାନଙ୍କ ସମର୍ଥନ କାମନା କରିଛନ୍ତି। 

ତେବେ ତାମିଲ ଭାଷାରେ କୋର୍ଟ ରାୟ ଦେଉଥିବାରୁ ଷ୍ଟାଲିନ ପ୍ରସନ୍ନତା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଷ୍ଟାଲିନ ଦୀର୍ଘ ସମୟରୁ ତାମିଲ ଭାଷା ପ୍ରସଙ୍ଗ ଉଠାଉଛନ୍ତି। ସେ ସବୁବେଳେ ତାମିଲ ଭାଷାକୁ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଓ ଅଧିକାରୀକ ଭାଷାର ମାନ୍ୟତା ଦେବାକୁ ଓକିଲାତି କରିଆସୁଛନ୍ତି। ସେ ତାମିଲନାଡୁରେ ଲଗାତାର ହିନ୍ଦୀକୁ ବିରୋଧ ମଧ୍ୟ କରୁଛନ୍ତି। କହୁଛନ୍ତି କେନ୍ଦ୍ର ସରକାର ଆମ ଉପରେ ହିନ୍ଦୀକୁ ଲଦି ଦେଉଛନ୍ତି। ସେ କହିଛନ୍ତି ତାମିଲନାଡୁ କୌଣସି ଭାଷାକୁ ବିରୋଧ କରେନି। ହେଲେ କୌଣସି ଭାଷାକୁ ତାମିଲ ଉପରେ ବୋଝ ହେବାକୁ ମଧ୍ୟ ଆମେ ଦେବୁନି। 

ଷ୍ଟାଲିନ ଓ ତାଙ୍କ ପାର୍ଟି ଡିଏମକେ ତାମିଲନାଡୁରେ ଦୁଇଭାଷା (ତାମିଲ ଓ ଇଂରାଜୀ) ନୀତିକୁ ସମର୍ଥନ କରୁଛନ୍ତି। ସେ କେନ୍ଦ୍ର ସରକାରଙ୍କ ତ୍ରିଭାଷା (ତାମିଲ, ହିନ୍ଦୀ ଓ ଇଂରାଜୀ) ନୀତିକୁ ବିରୋଧ କରୁଛନ୍ତି। ପାର୍ଟିର କହିବା କଥା ହେଉଛି ତାମିଲ ଭାଷା ଓ ସଂସ୍କୃତିକୁ ହିନ୍ଦୀ ଦୁର୍ବଳ କରିବ। ଏଣୁ ଷ୍ଟାଲିନ ହିନ୍ଦୀକୁ ଅଣ ହିନ୍ଦୀଭାଷୀ ରାଜ୍ୟଙ୍କ ଉପରେ କେନ୍ଦ୍ର ସରକାର ଲଦିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରୁଛନ୍ତି। ସେ କହିଛନ୍ତି ହିନ୍ଦୀ କେବଳ ଏକ ମୁଖା, ଏହା ପଛରେ ସଂସ୍କୃତକୁ ପ୍ରୋତ୍ସାହନ ଦେବା କେନ୍ଦ୍ର ସରକାରଙ୍କ ଅସଲ ଉଦ୍ଦେଶ୍ୟ। 

ଡିଏମକେ ୧୯୩୭-୩୯  ଓ ୧୯୬୫ ମସିହାରେ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଫଳରେ ତାମିଲନାଡୁର ଭାଷାଗତ ପରିଚୟ ମଜଭୁତ ହୋଇଥିଲା। ଷ୍ଟାଲିନ ଏହି ଆନ୍ଦୋଳନର ଐତିହ୍ୟକୁ କେବଳ ଆଗକୁ ବଢାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ.ଆନ୍ନା ଦୂରାଇ (ଆନ୍ନା) ୧୯୬୮ ମସିହାରେ ରାଜ୍ୟରେ ଦୁଇଭାଷା ନୀତିକୁ ଆଇନରେ ପରିଣତ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.