ନୂଆଦିଲ୍ଲୀ: ହଂକଂର ୱାଙ୍ଗ ଫୁକ୍ କୋର୍ଟ ହାଉସିଂ କମ୍ପ୍ଲେକ୍ସର ଏକ ଉଚ୍ଚ ଟାୱାର ଭିତରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ସନ୍ଧ୍ୟାରେ ଜୀବିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ଅନୁଯାୟୀ, ବଞ୍ଚିଯାଇଥିବା ବ୍ୟକ୍ତି କମ୍ପ୍ଲେକ୍ସ ଭିତରେ ଥିବା ଏକ କୋଠା ୱାଙ୍ଗ ତାଇ ହାଉସର ୧୬ତମ ମହଲାରେ ଥିଲେ । ସେପଟେ ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ଏବେ ୭୭ରେ ପହଞ୍ଚିଛି, ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ଅଛନ୍ତି । ଅନ୍ୟପଟେ ୭୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୋଠା ମରାମତିରେ ବ୍ୟବହୃତ ଅତ୍ୟନ୍ତ ଜ୍ୱଳନଶୀଳ ଷ୍ଟାଇରୋଫୋମ୍ ନିଆଁକୁ ଅଧିକ ଭୟାନକ କରିଥିଲା । ଷ୍ଟାଇରୋଫୋମ୍ ଏକ ପ୍ରକାର ଥର୍ମୋକୁଲ୍ ଏବଂ ଏହା ଶୀଘ୍ର ନିଆଁ ଧରିଥାଏ । ନିଆଁ ଦେଖୁ ଦେଖୁ ସାତଟି କୋଠାକୁ ଗ୍ରାସ କରିଥିଲା । ଏହାକୁ ଗତ ଦଶନ୍ଧି ମଧ୍ୟରେ ସହରର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ବିବେଚନା କରାଯାଉଛି ।

ପ୍ରତ୍ୟେକ ମହଲାରେ ଲିଫ୍ଟ ଝରକା ବାହାରେ ଷ୍ଟାଇରୋଫୋମ୍ ଥିବା ତଦନ୍ତକାରୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ନିଆଁ ଲାଗିବା ପରେ ଏହା ତୁରନ୍ତ ଜଳିବା ଆରମ୍ଭ କରିଥିଲା ଏବଂ କରିଡର ଦେଇ ଆପାର୍ଟମେଣ୍ଟଗୁଡ଼ିକରେ ବ୍ୟାପିଥିଲା । କୋଠାଗୁଡ଼ିକର ବାହାର ଭାଗରେ ଥିବା ଜାଲି ଏବଂ ଚାଦର ମଧ୍ୟ ସୁରକ୍ଷା ମାନଦଣ୍ଡ ପୂରଣ କରିନଥିଲେ ।

ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି

ତଦନ୍ତରେ ସ୍ପଷ୍ଟ ହୋଇଛି ଯେ ମରାମତିରେ ବ୍ୟବହୃତ ସାମଗ୍ରୀ ବେଆଇନ ଏବଂ ବିପଜ୍ଜନକ ଥିଲା । ଠିକାଦାର କମ୍ପାନିର ଦୁଇଜଣ ନିର୍ଦ୍ଦେଶକ ଏବଂ ଜଣେ ପରାମର୍ଶଦାତାଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଅନିଚ୍ଛାକୃତ ହତ୍ୟା ଅଭିଯୋଗ ମାମଲା ରୁଜୁ କରାଯାଇଛି । ସେମାନେ ସ୍କାଫୋଲ୍ଡିଂ ନେଟ୍ ଏବଂ ଷ୍ଟାଇରୋଫୋମ୍ ଭଳି ନିଷେଧ ସାମଗ୍ରୀ ବ୍ୟବହାର କରିଥିଲେ ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଅନେକ ଲୋକ ଏବେ ବି ଫସି ରହିଛନ୍ତି

ଅଧିକାରୀମାନେ କହିଛନ୍ତି ଯେ ସାତଟି କୋଠାରେ ଏବେ ବି ୬୨ ଜଣ ଲୋକ ଫସି ରହିଛନ୍ତି । ଉଦ୍ଧାରକାରୀ ଦଳ ନିଆଁକୁ ନିୟନ୍ତ୍ରଣ କରିବା ଏବଂ ୩୧ ମହଲା କୋଠାରୁ ଲୋକଙ୍କୁ ବାହାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଏପର୍ଯ୍ୟନ୍ତ ଜଣେ ମହିଳା, ଜଣେ ବୟସ୍କ ଏବଂ ଅନେକ ଗୃହ ପାଳିତ ପଶୁଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଉପର ମହଲାରେ ଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି ।