LIVE TV

ସିଏଜି ରିପୋର୍ଟରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ, ଆଦିବାସୀଙ୍କ ୧୪୯ କୋଟି ଟଙ୍କା ଖାଇଗଲେ ସରକାରୀ ଯନ୍ତ୍ରୀ

NEWS7
CAG report

ଭୁବନେଶ୍ଵର: ଖାଇଗଲେ ଗରିବ ଆଦିବାସୀଙ୍କ ଟଙ୍କା ।  ସିଏଜି ରିପୋର୍ଟରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଆଦିବାସୀଙ୍କ କଲ୍ୟାଣ ପାଇଁ ଆସୁଥିବା ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରୁଥିଲେ ଦାୟିତ୍ବରେ ଥିବା ଇଞ୍ଜିନିୟରମାନେ । ମୋବାଇଲ୍‌ ରିଚାର୍ଜ କରୁଥିଲେ, ବିଦ୍ୟୁତ୍‌- ପାଣି ବିଲ୍ ଦେଉଥିଲେ । ଏପରିକି ସରକାରୀ ଅର୍ଥକୁ ନିଜ ବ୍ୟକ୍ତିଗତ ଖାତାକୁ ପଠାଉଥିଲେ । ସେହି ଟଙ୍କାକୁ ଏଟିଏମ୍‌ ଜରିଆରେ ଉଠାଉଥିଲେ । ୟୁପିଆଇ ଜରିଆରେ ଅନ୍ୟକୁ ପଠାଉଥିଲେ ।  ମ୍ୟୁଚୁଆଲ୍‌ ଫଣ୍ଡ୍‌ ଓ ଷ୍ଟକ୍ ବଜାରରେ ନିବେଶ କରୁଥିଲେ । ଏଭଳି ତଥ୍ୟ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ବାବୁଙ୍କୁ ଘାରିଛି ଟଙ୍କାଖିଆ ନିଶା । ଚଳୁ କରିଦେଲେ ଆଦିବାସୀଙ୍କ କଲ୍ୟାଣକାରୀ ଯୋଜନାର କୋଟି କୋଟି ଟଙ୍କା । ଏମିତି ସାଂଘାତିକ ତଥ୍ୟ ଏବେ ୨୦୨୩ ସିଏଜି ରିପୋର୍ଟରୁ ପଦାକୁ ଆସିଛି । ଆଦିବାସୀଙ୍କ କଲ୍ୟାଣ ବାବଦରେ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେଥିରୁ ଅଧିକାଂଶ ଟଙ୍କା ଯନ୍ତ୍ରୀମାନଙ୍କ ପକେଟ୍କୁ ଯାଉଥିବା ଧରିଛନ୍ତି ସିଏଜି । ବିଭିନ୍ନ କାର୍ଯ୍ୟ ଦାୟିତ୍ଵରେ ଥିବା ଯନ୍ତ୍ରୀମାନେ ସରକାରୀ ଅର୍ଥକୁ ନିଜ ବ୍ୟକ୍ତିଗତ ଖାତାକୁ ପଠାଇଛନ୍ତି । ସେହି ଟଙ୍କାକୁ ଏଟିଏମ୍ ଜରିଆରେ ଉଠାଇବା ସହ ୟୁପିଆଇ ଜରିଆରେ ମୋବାଇଲ୍ ରିଚାର୍ଜ, ବିଦ୍ୟୁତ୍ ବିଲ ଓ ପାଣି ବିଲ୍ ଦେଇଛନ୍ତି । ଏମିତି କି ନିଜ ବ୍ୟକ୍ତିଗତ ବୀମାର ପ୍ରିମିୟମ ବି ଦେଇଛନ୍ତି ଦାୟିତ୍ବରେ ଥିବା JE  AE ଆଦିବାସୀ କଲ୍ୟାଣ ଓ ବିକାଶମୂଳକ ଯୋଜନାର ପାଣ୍ଠିକୁ କିଭଳି ଆଖିବୁଜା ହଡ଼ପ କରାଯାଇଛି, ତାହା ଉପରୁ ଏଭଳି ଢଙ୍ଗରେ ପରଦା ଉଠାଇଛନ୍ତି ସିଏଜି।

 ଆଦିବାସୀଙ୍କ କଲ୍ୟାଣ ଯୋଜନାରେ ଦିଆଯାଇଥିବା ୧୪୮ କୋଟି ୭୫ ଲକ୍ଷ ଟଙ୍କାକୁ  ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ମିଳିମିଶି ଖାଇଥିବା ସିଏଜି ରିପୋର୍ଟରେ ଧରାପଡ଼ିଛି । ଯାହାକୁ ନେଇ ତେଜିଛି ରାଜନୀତି। ସିଏଜିଙ୍କ ରିପୋର୍ଟକୁ ନେଇ ବିଜେଡିକୁ ଘେରିଛି ବିଜେପି । ବିଜେଡି ସରକାରରେ ଏହି ଅର୍ଥ ଲୁଟ୍ ହୋଇଛି । କେବଳ ଇଞ୍ଜିନିଅର ନୁହନ୍ତି ବିଜେଡି ନେତା ବି ଏହି ଲୁଟ୍ ଅର୍ଥର ଭାଗିଦାରୀ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ଏ ଘଟଣା ସାମ୍ନାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବା ୨୦୨୩ ମାର୍ଚ୍ଚ ସୁଦ୍ଧା ଅନୁପାଳନ ସମୀକ୍ଷା ରିପୋର୍ଟରେ ଅନେକ ସାଂଘାତିକ ତଥ୍ୟ ରହିଛି।  ବିଭାଗୀୟ କାମ ପାଇଁ କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କ ଦ୍ବାରା ୮୫ଟି ଖାତାରେ ଅର୍ଥ ହେରଫେର ହୋଇଥିବା ଜଣାପଡିଛି। ତେବେ ସିଏଜି ରିପୋର୍ଟକୁ ନେଇ ବିଜେପି ଓ କଂଗ୍ରେସର ଅଭିଯୋଗର କଡା ଜବାବ ଦେଇଛି ବିଜେଡି। ବିଜେଡି କହିଛି, ଯଦି ରିପୋର୍ଟରେ ସତ୍ୟତା ଅଛି, ସରକାର ଆକ୍ସନ ନିଅନ୍ତୁ। ପୂର୍ବ ସରକାରକୁ ବଦନାମ ପାଇଁ ପାଇଁ ସବୁବେଳେ ଏମିତି ବାହାନା କରାଯାଉଛି ବୋଲି ଦଳ କହିଛି।

ଆଦିବାସୀଙ୍କ ପାଇଁ ସରକାର କୋଟି କୋଟି  ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେ ଟଙ୍କା କେମିତି ବାଟମାରଣା ହେଉଛି ସିଏଜି ରିପୋର୍ଟରୁ ଧରାପଡିଛି। ଏବେ ଅପେକ୍ଷା କରାଯାଇଛି ଯେଉଁ ଯନ୍ତ୍ରୀମାନେ ମିଳିମିଶି କୋଟି କୋଟି ଟଙ୍କା ବାଟମାରଣା କରିଛନ୍ତି ସେହି ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ତଦନ୍ତ ହୋଇ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।