ବିହାର SIR: ଇଲେକ୍ସନ କମିସନଙ୍କୁ ଝାଡିଲେ ସୁପ୍ରିମକୋର୍ଟ, ଜାଣନ୍ତୁ ପଚାରିଲେ କ’ଣ?

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ ୧୪।୮: ବିହାରରେ ଭୋଟର ଲିଷ୍ଟର ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ନର୍ବାଚନ ଆୟୋଗଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ପଚାରିଛନ୍ତି ଯଦି ଭୋଟର ଲିଷ୍ଟରେ ୨୨ ଲକ୍ଷ ଲୋକଙ୍କୁ ମୃତ ଘୋଷିତ କରାଯାଇଛି, ତେବେ ସେମାନଙ୍କ ତାଲିକା କାହିଁକି ସାର୍ବଜନିକ କରାଯାଇ ନାହିଁ? କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯଦି ଏହା କରିଦିଆଯିବ ତେବେ ଏହି ପୁରା ଅଭିଯାନକୁ ନେଇ ଯେଉଁ ରାଜନୈତିକ ନାରେଟିଭ ଚଳା ଯାଉଛି ତାହା ଆପେ ଆପେ ବନ୍ଦ ହୋଇଯିବ। 

ଏହି ମାମଲା ଏବେ ବିହାର ରାଜନୀତିରେ ହଲଚଲ ସୃଷ୍ଟି କରିଛି ଓ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନବାଚୀ ଲଗାଇଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ବାଗଚୀ ଏହି ମାମଲାରେ ଶୁଣାଣି କରି ନିର୍ବାଚନ ଆୟୋଗ ଯେଉଁ ଡ୍ରାଫ୍ଟ ତିଆରି କରିଛନ୍ତି, ସେହି ଅନୁସାରେ ୨୨ ଲକ୍ଷ ଲୋକେ ମୃତ ମିଳିଛନ୍ତି। ଯଦି ଏପରି ହୋଇଥାଏ ତେବେ ସେହି ଲିଷ୍ଟ ଜାରି କରିବାରେ ଅସୁବିଧା କ’ଣ? ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯଦି ବୁଥ ଲେବୁଲରେ ଏହି ଲିଷ୍ଟ ଜାରି କରିଦିଆଯାଏ, ଏହି ଅଭିଯାନକୁ ନେଇ ଯେଉଁ ଭୁଲ ନାରେଟିଭ ଚଳା ଯାଉଛି ତାହା ସମାପ୍ତ ହୋଇଯିବ। 

କୋର୍ଟ ଏହା ମଧ୍ୟ ପଚାରିଛନ୍ତି କେତେ ଲୋକଙ୍କ ପାଖରେ ନିର୍ବାଚନ ଆୟୋଗଙ୍କ ଅଧିକାରୀ ପହଞ୍ଚିଛନ୍ତି ଓ ସେମାନଙ୍କୁ ନେଇ କଣ ସୂଚନା ମିଳିଛି? ଜଷ୍ଟିସ୍ ବାଗଚୀ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରି କହିଛନ୍ତି ଯେ ନିର୍ବାଚନ ଆୟୋଗ କର୍ମଚାରୀ ନିଜକୁ ନିଜେ କାହାର ନାମ ଡିଲିଟ କରିପାରିବେନି। କାହାର ନାମ ହଟିବା ପୂର୍ବରୁ ତାଙ୍କୁ ଅଭିଯୋଗ କରିବାର ସୁଯୋଗ ମିଳିବା କଥା, କାରଣ ଏହା ଜାଣିବା ନାଗରିକର ମୂଳ ଅଧିକାର ଯେ ତା ନାମ କାହିଁକି ହଟା ଗଲା। 

କୋର୍ଟଙ୍କ କଡ଼ା ପ୍ରଶ୍ନରେ ନିର୍ବାଚନ ଆୟୋଗଙ୍କ ଓକିଲ ନିଜ ପକ୍ଷ ରଖିଛନ୍ତି। ସେ କହିଛନ୍ତି ‘ଏବେ ଯେଉଁ ଲିଷ୍ଟ ପ୍ରସ୍ତୁତ କରାଯାଇଛି ତାହା କେବଳ ଏକ ଡ୍ରାଫ୍ଟ ଓ ଏ ପର୍ଯ୍ୟନ୍ତ ଭୋଟର ଲିଷ୍ଟରୁ କାହାର ନାମ ଡିଲିଟ କରାଯାଇ ନାହିଁ।’ଓକିଲ କହିଛନ୍ତି କେବଳ ନାଜ୍ୟ କାଗଜପତ୍ର ମଗା ଯାଉଛି ଓ ଭୋଟର ଲିଷ୍ଟକୁ ଅପଡେଟ କରିବାକୁ ଉଦ୍ୟମ କରାଯାଉଛି। ଏହି ପ୍ରକ୍ରିୟାରେ ଲୋକଙ୍କ ଇପିଆଇସି କାର୍ଡ ଅପଡେଟ ହେବ ନଚେତ ତାଙ୍କ ନାମ ହଟାଯିବ। 

ଏଥିରେ କୋର୍ଟ ମୋଟ ଭୋଟରଙ୍କ ସଂଖ୍ୟା ପଚାରିବାରୁ ଓକିଲ କହିଛନ୍ତି ଯେ ବିହାରରେ ମୋଟ ୭.୮୯କୋଟି ଲୋକ ଅଛନ୍ତି। ଏମାନଙ୍କ ମଧ୍ୟରୁ ୭.୨୪ କୋଟି ଲୋକେ ଭୋଟର ଲିଷ୍ଟରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ୬୫ ଲକ୍ଷ ଲୋକଙ୍କୁ ତାଲିକାରୁ ହଟାଯାଇଛି, ଏଥିରୁ ୨୨ ଲକ୍ଷ ଲୋକେ ମୃତ ବୋଲି ଜଣାପଡିଛନ୍ତି। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ସବୁଠୁ ବଡ଼ ସମସ୍ୟା ଏହି ୬୫ ଲକ୍ଷ ଲୋକଙ୍କୁ ନେଇ ସୃଷ୍ଟି ହୋଇଛି।  ଆପଣ କହିଛନ୍ତି ୬.୨୪ କୋଟି ଭୋଟରଙ୍କ ନା ସୂଚନା ସଂଗ୍ରହ ହୋଇଛି ନା ସେମାନଙ୍କୁ କୌଣସି କାଗଜପତ୍ର ମଗାଯାଇଛି। 

ଏଣୁ ଏଥିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ୬୫ ଲକ୍ଷ ଲୋକଙ୍କୁ କାହିଁକି ଟାର୍ଗେଟ୍ କରାଯାଇଛି? କୋର୍ଟ କହିଛନ୍ତି ଏହି କଥା ହିଁ ଗୁରୁତର ବିବାଦର କାରଣ ପାଲଟିଛି, ଏଣୁ ଲୋକେ ଜାଣିବାକୁ ଚାହୁଁଛନ୍ତି କିଏ ଜୀବିତ ଓ ଆଉ କିଏ ମୃତ? ଏହି ମାମଲାର ପରବର୍ତ୍ତି ଶୁଣାଣି ଖୁବ୍ ଶୀଘ୍ର ହେବ। ହେଲେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଏବେ ନିର୍ବାଚନ ଆୟୋଗ ଓ ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.