ନୂଆଦିଲ୍ଲୀ ୧୪।୮: ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗରେ ସୁପ୍ରମକୋର୍ଟରେ ଗୁରୁବାର ଜୋରଦାର ବିତର୍କ ହୋଇଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆଙ୍କ ପୀଠ ସମସ୍ତ ପକ୍ଷଙ୍କ ଶୁଣାଣି ପରେ ‘ଅନ୍ତରୀଣ ରୋକ’ ଲାଗି ରୁଜୁ ପିଟିସନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଏ ନେଇ ଚୂଡ଼ାନ୍ତ ରାୟ କେବେ ପ୍ରକାଶ ପାଇବ ସେ ନେଇ ପୀଠ କୌଣସି ନିଶ୍ଚିତ ତାରିଖ ଦେଇ ନାହାନ୍ତି।
ଜଷ୍ଟିସ୍ ବିକ୍ରମ ନାଥଙ୍କ ନେତୃତ୍ୱରେ ୩ ନ୍ୟାୟାଧୀଶଙ୍କ ପୀଠ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସୋଲିସିଟର ଜେନେରାଲ ଅର୍ଚ୍ଚନା ପାଠକ ଦବେଙ୍କୁ କହିଛନ୍ତି ଯେ ‘ଆପଣ ଆଇନ ଓ ନିୟମ କରୁଛନ୍ତି, ହେଲେ ସେଗୁଡିକୁ ଲାଗୁ କରୁ ନାହାନ୍ତି। ଗୋଟିଏ ପଟେ ମଣିଷ ହଇରାଣ ହେଉଛି ଅନ୍ୟପଟେ ପଶୁ ପ୍ରେମୀ ନିୟମର ପାଳନ ହେଉ ନଥିବା ଅଭିଯୋଗ କରୁଛନ୍ତି। ତେବେ ପଶୁ ବୋର୍ଡ ଓ ପ୍ରାଧିକରଣ କିଛି କରୁ ନାହାନ୍ତି। ସେ ତାଙ୍କ ନିୟମ ଲାଗୁ କରିବା କଥା, ହେଲେ ସେ କିଛି କରୁ ନାହାନ୍ତି।’
କୋର୍ଟଙ୍କ ଏହି ତାଗିଦ ଜଷ୍ଟିସ୍ ଜେ.ବି.ପାରଦିୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ଦ୍ୱାରା ୧୧ ଅଗଷ୍ଟରେ ଜାରି ନିର୍ଦ୍ଦେଶର ବୈଧତା ଓ ବ୍ୟବହାରିକତା ଉପରେ ଏକ ବିତର୍କ କାଳରେ ଆସିଛି। ଏହି ନିର୍ଦ୍ଦେଶରେ ଦିଲ୍ଲୀ, ନୋଏଡା, ଗାଜିୟାବାଦ ଓ ଗୁରୁଗ୍ରାମ ( ପରେ ଏକ ଲିଖିତ ଆଦେଶରେ ଏଥିରେ ଫରିଦାବାଦକୁ ମଧ୍ୟ ସାମିଲ କରାଯାଇଛି) ଆଦି ନଗର ନିଗମଙ୍କୁ ୮ ସପ୍ତାହରେ ସବୁ ବୁଲା କୁକୁରଙ୍କୁ ଧରି ସମର୍ପିତ ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ଏଥିରେ ଧରା ଯାଇଥିବା କୁକୁରଙ୍କୁ କୌଣସି ପରିସ୍ଥିତିରେ ବି ସଡକରେ ନ ଛାଡିବାକୁ କୁହାଯାଇଥିଲା।
ଏଥିରେ ଦିଲ୍ଲୀ ସରକାରଙ୍କ ପକ୍ଷ ଉପସ୍ଥାପନ କରି ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଲୋକେ ଚିକେନ, ଅଣ୍ଡା ଆଦି ଖାଉଥିବା ଆମେ ଦେଖୁ ଓ ସେମାନେ ପଶୁ ପ୍ରେମୀ ବୋଲି ନିଜକୁ ଦାବି କରନ୍ତି। ଏହା ଏକ ଏପରି ପ୍ରସଙ୍ଗ ଯାହାର ସମାଧାନ ହେବା ନିହାତି ଆବଶ୍ୟକ। ପିଲା ମରୁଛନ୍ତି, ଡବ୍ଲୁଏଚଓ ତଥ୍ୟ କହୁଛି ପ୍ରତି ବର୍ଷ ୩୦୫ ଜଣଙ୍କ ମୃତ୍ୟୁ ହେଉଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୧୫ ବର୍ଷରୁ କମ୍। ପଶୁଙ୍କ ପ୍ରତି କାହାର ଘୃଣା ନାହିଁ, ଶହଶହ ଜୀବଙ୍କ ମଧ୍ୟରେ କେବଳ ୪ଟି ବିଷାକ୍ତ। ଆମେ ତାଙ୍କୁ ଘରେ ରଖୁନେ, କୁକରଙ୍କୁ ମରାଯିବ ନାହିଁ ସେମାନଙ୍କୁ କେବଳ ଅଲଗା କରାଯିବ।
ତେବେ କୁକୁରଙ୍କ ସପକ୍ଷରେ ସ୍ୱରଉତ୍ତୋଳନ କରି ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି ଯେ ‘ପ୍ରଥମ ଥର ସୋଲିସିଟର ଜେନେରାଲଙ୍କ ମୁହଁରୁ ଶୁଣିଲି ଯେ ଆଇନ ଅଛି, ହେଲେ ଏହାକୁ ପାଳନ କରିବାର ଆବଶ୍ୟକତା ନାହିଁ’। ଶିବଲ ପଚାରିଥିଲେ କୁକୁରଙ୍କ ବନ୍ଧ୍ୟା କରଣ କରାଯାଇଛି କି? ଏଥି ପାଇଁ ପଇସା ଦିଆଯାଇଛି କି? କୌଣସି ସେଲ୍ଟର ବି ନାହିଁ, ଏପରି ଆଦେଶ ସ୍ୱତଃ ସଂଜ୍ଞାନ ନିଆଯାଇ ଦିଆଯାଇଛି। ଏଣୁ କୁକୁରଙ୍କୁ ଏବେ ଉଠାଇ ନିଆଯାଉଛି, ସେମାନେ ଯିବେ କୁଆଡ଼େ? ନ ଛାଡିବାକୁ ମଧ୍ୟ କୁହାଯାଇଛି। ଏହା ଅତ୍ୟନ୍ତ ଜଟିଳ ସ୍ଥିତି। ଏହା ଉପରେ ଗମ୍ଭୀରତାର ସହ ବିତର୍କ ହେବା ଦରକାର। ଏଣୁ ମୋର ନିବେଦନ ଏହା ଉପରେ ଷ୍ଟେ ଲଗାଇ ଦିଆଯାଉ।
କପିଲ ଶିବଲ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କାଲି ସନ୍ଧ୍ୟାରେ ଅପଲୋଡ କରାଯାଇଛି। ହେଲେ ଏହା ପୂର୍ବରୁ ୭୦୦ କୁକୁରଙ୍କୁ ଉଠାଇ ନିଆଗଲାଣି। ଏହି କୁକୁରମାନଙ୍କର କଣ ହେବ? କେବଳ ଭଗବାନ ହିଁ ଜାଣନ୍ତି। ସେମାନଙ୍କୁ ଉଠାଇ ନିଆଯାଇଛି ଓ ମାରି ଦିଆଯିବ ବୋଲି କପିଲ ଶିବଲ କହିଛନ୍ତି। ଏଥିରେ ବରିଷ୍ଠ ଅଧିବକ୍ତ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଯଦି ବୁଲା କୁକୁରଙ୍କ ଲାଗି ସେଲ୍ଟର ଥାନ୍ତା ତେବେ ନିର୍ଦ୍ଦେଶର ଅର୍ଥ ଥାନ୍ତା। ସମାଜକୁ ନେଇ ମୁଁ ଚିନ୍ତିତ। କୁକୁର କାମୁଡିବା ସମସ୍ୟା କଥା ଯାହା କୁହାଯାଉଛି ଆପଣ ସଂସଦୀୟ ଡାଟା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ୨୦୨୨-୨୦୨୫ ମଧ୍ୟରେ ଦିଲ୍ଲୀ, ଗୋଆ ଓ ରାଜସ୍ଥାନ ରାବିଜ ଶୂନ୍ୟ। କୁକୁର କାମୁଡିବା ବାସ୍ତବିକ ଦୁଃଖଦ ଘଟଣା। ହେଲେ ଆପଣ ଏପରି ଡରାଇବା ଭଳି ପରିସ୍ଥିତି ସୃଷ୍ଟି କରିପାରିବେନି। ଦୁଇ ସପ୍ତାହ ପୂର୍ବରୁ ସରକାର ସଂସଦରେ ଦେଇଥିବା ତାଙ୍କ ତଥ୍ୟକୁ ଦେଖିବା ଦରକାର।
ସୁପ୍ରିମକୋର୍ଟଙ୍କ ୧୧ ଅଗଷ୍ଟ ନିର୍ଦ୍ଦେଶ ବହୁ ସଂଖ୍ୟାରେ ପଶୁ ପ୍ରେମୀ ଓ ସମାଜର ଏକ ବିଶାଳ ବର୍ଗକୁ ନିରାଶ କରିଛି। ଏଣୁ ମାମଲାରେ ସୁପ୍ରିମକୋର୍ଟ ଦ୍ୱିତୀୟବାର ଶୁଣାଣି କରନ୍ତୁ ବୋଲି ଦାବି କରିଛନ୍ତି। ଏ ନେଇ ବୁଧବାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ମାମଲାରେ ତତ୍କାଳ ଶୁଣାଣି ଦାବି କରାଯାଇଥିଲା। ପ୍ରଧାନ ବିଚାରପତି ବି.ଆର.ଗବଇ ଓ ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ରନଙ୍କ ପୀଠରେ ଜନୈକ ଅଧିବକ୍ତା ‘କନଫରେନ୍ସ ଫର ହ୍ୟୁମାନ ରାଇଟସ୍ (ଇଣ୍ଡିଆ)ର ଆବେଦନକୁ ଉଲ୍ଲେଖ କରି ଏହା ଉପରେ ତତ୍କାଳ ଶୁଣାଣି ନିବେଦନ କରିଛନ୍ତି। ଏହା ଉପରେ ପ୍ରଧାନ ନ୍ୟାୟାଧୀଶ ବି.ଆର ଗବଇ ବିଚାର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।’
ଭୋଜନ ଅବକାଶ ପରେ କେତେକ ଓକିଲ ଦ୍ୱିତୀୟବାର ମୁଖ୍ୟ ନ୍ୟାୟାଧୀଶଙ୍କ ଆଗରେ ମାମଲାର ଉଲ୍ଲେଖ କରି କୋର୍ଟଙ୍କ ଆଦେଶର ନକଲ ଏ ପର୍ଯ୍ୟନ୍ତ ୱେବସାଇଟରେ ଅପଲୋଡ ହୋଇ ନଥିବା ଓ ଅଧିକାରୀ ଏବେଠୁ ରାସ୍ତାରୁ କୁକୁରଙ୍କୁ ଉଠାଇବାରେ ଲାଗିଥିବା ଅଭିଯୋଗ କରିଥିଲେ। ଏହା ଉପରେ ପ୍ରଧାନ ନ୍ୟାୟାଧୀଶ କହିଥିଲେ ଯେ ଆମେ ଏହା ଉପରେ ବିଚାର କରୁଛୁ।