ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବାସଭବନରୁ ୧୫ କୋଟି ନଗଦ ମିଳିବା ଘଟଣାରେ ତଦନ୍ତ ଆରମ୍ଭ କଲେ ସୁପ୍ରିମକୋର୍ଟ। ଘଟଣାରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଠାରୁ ରିପୋର୍ଟ ମଗାଯାଇଛି।
ଶୁକ୍ରବାର ଯଶବନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ଅଗ୍ନିଶମ ବାହିନୀ ଓ ପୁଲିସ ନିଆଁ ଲିଭାଉଥିବା ବେଳେ ଘରୁ ବିଡ଼ା ବଡ଼ା ଟଙ୍କା ମିଳିଥିଲା। ଏହାପରେ ଘଟଣା ବିଷୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ଅବଗତ କରାଯାଇଥିଲା। ଏତେ ଟଙ୍କା ମିଳିବା ପରେ ସୁପ୍ରିମକୋର୍ଟ କଲେଜିୟମ ପରାମର୍ଶରେ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି।
ପଢନ୍ତୁ- ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ, ଖୁବ୍ଶୀଘ୍ର ସମ୍ଭାଳିବେ ଦାୟିତ୍ବ
ଆଇନ ବିଶେଷଜ୍ଞଙ୍କ ମତରେ, ଯେତେବେଳେ ମଧ୍ୟ ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସେ, ସେତେବେଳେ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ପଡ଼ିଥାଏ। ଯଦି ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆସେ, ତେବେ ଭାରତର ପ୍ରଧାନ ବିଚାରପତିଙ୍କ ଉଦ୍ୟମରେ ସିଧାସଳଖ ଏକ ଇନ-ହାଉସ୍ କମିଟି ଗଠନ କରାଯାଏ। ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଶେଖର ଯାଦବ ଏବଂ ପୂର୍ବତନ କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସିଏସ୍ କର୍ଣ୍ଣନଙ୍କ ସହିତ ଜଡିତ ଏକ ମାମଲାରେ ମଧ୍ୟ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଥିଲା।
ଯଶବନ୍ତ ବର୍ମାଙ୍କ ଘରୁ ଟଙ୍କା ମିଳିବା ଖବର ପାଇବା ପରେ ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା କଲେଜିୟମର ଏକ ବୈଠକ ଡାକିଥିଲେ। ସର୍ବସମ୍ମତିକ୍ରମେ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଠାରେ ସେ ପୂର୍ବରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
ଅନ୍ୟପଟେ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଉପରେ ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏନେଇ ଆସୋସିଏସନ୍ ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖିଛି। ଚିଠିରେ ଆସୋସିଏସନ କହିଛି ଯେ ଆମେ ଡଷ୍ଟବିନ୍ ନୁହଁ, ଏବଂ ଆମେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ସହ୍ୟ କରିବୁ ନାହିଁ।
ଅନ୍ୟପଟେ କଲେଜିୟମର କିଛି ବିଚାରପତି ଯଶବନ୍ତ ବର୍ମାଙ୍କର ଟ୍ରାନ୍ସଫର ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କେବଳ ଜଷ୍ଟିସ୍ ବର୍ମାଙ୍କୁ ସ୍ଥାନାନ୍ତର କଲେ ନ୍ୟାୟପାଳିକାର ଭାବମୂର୍ତ୍ତି ଖରାପ ହେବ ଏବଂ ଆଇନ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ କମିଯିବ। ତେଣୁ ସେମାନେ ସ୍ୱେଚ୍ଛାକୃତ ଭାବରେ ଜଷ୍ଟିସ୍ ବର୍ମାଙ୍କ ଇସ୍ତଫା ମାଗିଥିଥିବା ଜଣାପଡ଼ିଛି। ଯଦି ବର୍ମା ମନା କରନ୍ତି, ତେବେ ସଂସଦରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।