ଜଜଙ୍କ ଘରେ ଟଙ୍କାର ପାହାଡ, ନିଆଁ ଲାଗିବା ପରେ ଜଣାପଡିଲା ଅସଲ ସତ

Published By : Prameya-News7 Bureau | March 21, 2025 IST

ନୂଆଦିଲ୍ଲୀ ୨୧/୦୩: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଜଜ୍‌ଙ୍କ ଘରେ ନିଆଁ ଲାଗିବା ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଜଜ୍‌ଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା । ଯାହାକୁ ଦେଖିବା ପରେ ତାଜୁବ ସଭିଏଁ । ଖାସ୍ କରି ଅନ୍ୟ ବିଚାରପତି ବି ସହଜରେ ଗ୍ରହଣ କରିପାରୁନାହାଁନ୍ତି ଘଟଣାକୁ । ଆଉ ଘଟଣାର ସଠିକ୍ ତଦନ୍ତ ସହ ଜଜ୍ ସାହେବଙ୍କ ଇସ୍ତଫା ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ । 

also read....

ଦୁଇଗୁଣ ହେଲା ମୁଖ୍ୟମନ୍ତ୍ରୀଙ୍କ ଦରମା, ବିଧାୟକଙ୍କର ଦରମା ୮୦ ହଜାରକୁ ବୃଦ୍ଧି

ସୂଚନା ଥାଉକି, ବୁଧବାର ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡ ଖବର ପାଇ ପହଞ୍ଚିଥିଲେ ନିଆଁ ଲିଭାଳି । ନିଆଁକୁ ନିୟନ୍ତ୍ରଣ କରିବା ସମୟରେ ବିଚାରପତିଙ୍କ ଘରୁ ଠାବ ହୋଇଥିଲା ଧନର ପାହାଡ । ଏତେ ମାତ୍ରାରେ ନଗଦ ଟଙ୍କା ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀ ତାଜୁବ୍ ହୋଇଯାଇଥିଲେ। ଏନେଇ ତୁରନ୍ତ ସିଜେଇ ସଞ୍ଜିବ ଖାନ୍ନାଙ୍କୁ ସୂଚନା ଦିଆଯାଇଥିଲା । ସିଜେଇ ମାମଲାକୁ ଗୁରୁତ୍ଵ ଦେଇ ତୁରନ୍ତ କଲେଜିୟମ୍ ବୈଠକ ଡାକିଥିଲେ । 

କଲେଜିୟମର ନିଷ୍ପତ୍ତି ଅନୁସାରେ ଜଷ୍ଟିସ୍ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ମାମଲାରେ କିଛି ବିଚାରପତି ତାଙ୍କର ଇସ୍ତଫା ଦାବି କରିବା ସହ ଘଟଣାର ସଠିକ୍ ତଦନ୍ତ କରିବାକୁ ବି ଦାବି କରୁଛନ୍ତି । ସେପଟେ ନିଆଁ ଲାଗିବା ବେଳେ ଜଷ୍ଟିସ୍ ଯଶୱନ୍ତ ବର୍ମା ସହରରେ ନଥିଲେ । ତାଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଛି। 

ଅନ୍ୟ ପକ୍ଷରେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ନ୍ୟାୟପାଳିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ସମ୍ପୃକ୍ତ ଜଜ୍‌ଙ୍କ ଇସ୍ତଫା ଦାବି ଜୋର୍ ଧରିଛି। ସେ ଯଦି ଇସ୍ତଫା ନଦିଅନ୍ତି ତେବେ ଇନ-ହାଉସ୍ ଯାଞ୍ଚ ପାଇଁ ଦାବି କରାଯାଇଛି। ତେବେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ନ୍ୟାୟ ବ୍ୟବସ୍ଥା ଉପରକୁ ଲୋକଙ୍କୁ ବିଶ୍ଵାସ ତୁଟିଯିବ ବୋଲି ବହୁ ଜଜ୍ କହିଛନ୍ତି।  

୧୯୯୯ରେ ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ, ଯଦି କୌଣସି ଜଜ୍‌ଙ୍କ ବିରୋଧରେ ଭ୍ରଷ୍ଟାଚାର, ଅସଦାଚରଣ, ଅନୁଶାସନହୀନତାର ଅଭିଯୋଗ ଆସେ ତେବେ ସିଜେଆଇ ଉକ୍ତ ଜଜ୍‌ଙ୍କୁ ଜବାବ ତଲବ କରନ୍ତି। ସନ୍ତୋଷଜନକ ଉତ୍ତର ନମିଳିଲେ ପ୍ୟାନେଲ ଗଠନ କରାଯାଏ। ଏହି ପ୍ୟାନେଲରେ ଜଣେ ସୁପ୍ରିମକୋର୍ଟ ଜଜ୍ ଏବଂ ୨ଜଣ ହାଇକୋର୍ଟ ଜଜ୍‌ଙ୍କୁ ସାମିଲ କରାଯାଏ।  




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.