News7 Logo

ସୁମା ରିଅଲ୍ ମିଡିଆ ଫାର୍ମା ଶିଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୦୦ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

NEWS7
Cm

ଭୁବନେଶ୍ୱର ୧୫।୦୯ : ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ଫାର୍ମା ଶିଳ୍ପର ଶୁଭାରମ୍ଭ ଗୋଠପାଟଣାରେ ୨୦୦ କୋଟି ଟଙ୍କା ନିବେଶରେ ଏହି ଶିଳ୍ପରେ ପ୍ରାୟ ୧୨୮୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ସୋମବାର ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ରାଜ୍ୟରେ ସୃଷ୍ଟି ହେବ ନୂଆ ନିଯୁକ୍ତି । ବେକାର ଯୁବକ ଓ ଯୁବତୀଙ୍କୁ ମିଳିବ ସ୍ଥାୟୀ ଚାକିରି। ସୋମବାର ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଶିଳ୍ପ ପ୍ରତିଷ୍ଠା ବାବଦରେ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଯାହା ଦ୍ୱାରା ରାଜ୍ୟରେ ପାଖାପାଖି ୫୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସୋମବାର ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୭ ନୂଆ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠା ହେବ। ଝାରସୁଗୁଡା, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ସୁନ୍ଦରଗଡ, ଭଦ୍ରକ, ପୁରୀ, କଟକ ଏବଂ ସମ୍ୱଲପୁର ଜିଲ୍ଲାରେ ସ୍ଥାପନ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି ।

ଏହି ଉତ୍ସବରେ ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ଫାର୍ମା ଶିଳ୍ପର ଶୁଭାରମ୍ଭ ହୋଇଛି । ଗୋଠପାଟଣାରେ ୨୦୦ କୋଟି ଟଙ୍କା ନିବେଶରେ ଏହି ଶିଳ୍ପରେ ପ୍ରାୟ ୧୨୮୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ଏହାବ୍ୟତୀତ ଏସ୍‌ଇଏଫ୍‌ ଲିମିଟେକ୍ଟ, ଏପସିଲନ୍‌ କାର୍ବନ ଅଶୋକା ପ୍ରାଇଭେଟ୍‌ ଲିମିଟେଡ଼, ଗ୍ରୀନପ୍ଲାଏ ଗ୍ରୁପ୍‌, ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼, ସୋଭା ସୋଲାର ଲିମିଟେଡ୍ ପ୍ରମୁଖ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ ହୋଇଛି। ନୂଆ ସରକାର ଆସିବା ପରେ ରାଜ୍ୟରେ ୫୮ଟି ପ୍ରକଳ୍ପ ମାଧ୍ୟମରେ ୧ ଲକ୍ଷ ୧୧ ହଜାର ୮୯୯ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇପାରିଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀରେ ଅନୁଷ୍ଠିତ "ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭସମୟରେ ରାଜ୍ୟକୁ ମୋଟ୍ ୧୬.୭୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୯୩ଟି ନିବେଶ ନେଇ ପ୍ରତିଶ୍ରୁତି ମିଳିଥିଲା । ରାଜ୍ୟ ସରକାର ସମ୍ମିଳନୀ ବେଳେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ସହିତ ୧୨.୮୯ ଲକ୍ଷ କୋଟି ଟଙ୍କାର ୧୪୫ଟି ପୁଞ୍ଜି ନିବେଶ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ବୁଝାମଣାପତ୍ରଗୁଡ଼ିକ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖଣି, ନବୀକରଣଯୋଗ୍ୟ ଶକ୍ତି, ଆଇଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ଏହି ସମସ୍ତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଶିଳ୍ପ ବିଭାଗ ଆଶା ପ୍ରକାଶ କରିଛି।