କଂଗ୍ରେସରୁ ବିଦା ହେଲେ ମୋକିମ, ଦଳରୁ ବହିଷ୍କୃତ କଲେ ଭକ୍ତ ଦାସ

NEWS7
student-given-expire-medicine-at-school-in-paradeep9-student-hospitalised

ଭୁବନେଶ୍ୱର, ୧୪/୧୨:କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ । ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ୍ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପିସିସି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

ରିପୋର୍ଟ ଅନୁସାରେ, କିଛି ଦିନ ତଳେ ମୋକିମ୍ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ,​​​​​​​ ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ଦଳର ନେତୃତ୍ୱ ମିଳିଛି । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଦଳୀୟ ନେତାଙ୍କ ଠାରୁ ପୂରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ ।

ମୋକିମ୍ ଚିଠିରେ ଅସନ୍ତୋଷ ଝାଡି କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟରେ ହାରିଛି । ନୂଆପଡ଼ା ଭକ୍ତଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନୈରାଶ୍ୟଜନକ । ନିଜ ସଂସଦୀୟ କ୍ଷେତ୍ର ତାଙ୍କୁ ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ । ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର । ଏହାସହ ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଜିର ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି ଚିଠିରେ ମୋକିମ୍ ଉଲ୍ଲେଖ କରିଥିଲେ । 

ତେବେ ମୋକିମଙ୍କ ଚିଠି ପରେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା । ଯାହାର ପ୍ରତିକ୍ରିୟା ନିଜେ ରଖିଥିଲେ ପିସିସି ସଭାପତି ଭକ୍ତ । ଯେଉଁମାନେ ବିଜେପି ସହ ସଂସ୍ପର୍ଶରେ ଅଛନ୍ତି ସେମାନେ ଦଳ ଛାଡିଯାଆନ୍ତୁ ବୋଲି ଭକ୍ତ କହିଥିଲେ । ତେବେ ଭକ୍ତଙ୍କ ବୟାନର ଗାଟିଏ ଦିନ ମଧ୍ୟରେ ମୋକିମଙ୍କୁ ବହିଷ୍କାର କରାଯାଇଛି ।