LIVE TV

ପଥର ମାଡ଼ ଓ ପୁଲିସ ଲାଠି ଚାର୍ଜ ଯୋଗୁ ହୋଇଛି ଦଳ ଚକଟା: ଏହି ଅଭିଯୋଗ ନେଇ ହାଇକୋର୍ଟ ଯିବ ଟିଭିକେ

NEWS7
Police have filed cases against senior TVK leaders in Karur stamped

ଚେନ୍ନାଇ: ତାମିଲିଗା ଭେଟ୍ଟରି କାଝଗାମ(ଟିଭିକେ) ନେତା ବିଜୟ ଥାଲାପତିଙ୍କର ରାଲିରେ ହୋଇଥିବା ଦଳାଚକଟା ଘଟଣାରେ ଦଳ ମାଡ୍ରାସ ହାଇକୋର୍ଟରେ ମଦୁରାଇ ବେଞ୍ଚର ଦ୍ୱାରସ୍ଥ ହେବ ବୋଲି କହିଛି। ଘଟଣାରେ ନିରପକ୍ଷେ ତଦନ୍ତ ପାଇଁ ଟିଭିକେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ରବିବାର ସୂଚନା ଦେଇଛି।

ଗତକାଲି କରୁର ଠାରେ ବିଜୟଙ୍କର ଏକ ରାଲିରେ ଦଳାଚକଟା ଘଟି  ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୦ ଶିଶୁ ମଧ୍ୟ ରହିଛନ୍ତି। ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛି। ଟିଭିକେ କହିଛି ଏହା କୌଣସି ଦୁର୍ଘଟଣା ନୁହେଁ, ଏହା ଏହକ ଷଡ଼ଯନ୍ତ୍ର। ଲୋକଙ୍କ ଉପରେ ପଥର ମାଡ଼ ହେବା ଓ ପୁଲିସ ଲାଠି ଚାର୍ଜ କରିବା ପରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ଦଳ ଅଭିଯୋଗ କରିଛି।

ସେପେଟ ତାମିଲନାଡୁ ପୁଲିସ ଦଳର ଅଭିଯୋଗକୁ ଖଣ୍ଡନ କରିଛି। ଦଳ ନିୟମ ଅବମାନନା କରି ରାଲି କରିଥିଲା ବୋଲି ପୁଲିସ କହିଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଡେଭିଡସନ୍ ଦେବାଶିର୍ୱତମ ସି ପଥର ମାଡ଼ ନେଇ ଦଳ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେଭଳି କୌଣସି ସ୍ଥିତି ଘଟି ନଥିଲା ବୋଲି ସେ କହିଛନ୍ତି।

ଅନ୍ୟପଟେ ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଟିଭିକେକୁ କୌଣସି ସାର୍ବଜନୀନ ସମାବେଶ କରିବାରୁ ବାରଣ କରିବା ନେଇ ଅପରାହ୍ନ ୪:୩୦ ରେ ଜଷ୍ଟିସ୍ ଏନ ସେନ୍ଥିଲକୁମାର ଏକ ଜରୁରୀ ଆବେଦନର ଶୁଣାଣି କରିବେ ବୋଲି ଜଣାପଡିଛି।

ତେବେ ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀମାନେ ସେମାନଙ୍କର ବୟାନ ଦେଇଛନ୍ତି। ବିଜୟ ଆସିବା ପୂର୍ବରୁ ବିଦ୍ୟୁତ୍ କାଟ ହେବା, ହଠାତ ଭିଡ଼ ବୃଦ୍ଧି ପାଇବା ସହିତ ସଂକୀର୍ଣ୍ଣ ରାସ୍ତା କରିବା ଆଦି ଘଟଣା ବିଷୟରେ କହିଛନ୍ତି। ଏଭଳି ପରିସ୍ଥିତି ହେବା ପରେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଲୋକମାନେ ପରିବାର ଠାରୁ ଅଲଗା ହୋଇଯାଇଥିଲେ। ପିଲାମାନେ ଓ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲା। ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ  ବୋଲି ଲେଖା ହୋଇଛି। ପରଦିନ ସକାଳେ ସଭାସ୍ଥଳରେ ଜୋତା, ଚପଲ, ଚିରା ପୋଷାକ, ଭଙ୍ଗା ଖୁଣ୍ଟ ଏବଂ ଭଙ୍ଗା ବୋତଲ ଦଳାଚକଟାର ସ୍ଥିତି କେତେ ଭୟଙ୍କର ଥିଲା ତାହା ବୟାନ କରିଛି।

ଅନ୍ୟପଟେ ଅଭିନେତା ବିଜୟ ଘଟଣାରେ ସମର୍ଥକମାନଙ୍କ ପାଇଁ ବର୍ତ୍ତା ଦେଇଛନ୍ତି। ଦୁଃଖଦ ଘଟଣାରେ ତାଙ୍କ ହୃଦୟ ଭାଙ୍ଗିଯାଇଛି ବୋଲି କହିବା ସହିତ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏବଂ କହିଛନ୍ତି ଏହା ଏକ ଅପୂରଣୀୟ କ୍ଷତି। ଆପଣଙ୍କ ପରିବାରର ସଦସ୍ୟ ଭାବରେ, ମୁଁ ଏହି ଦୁଃଖରେ ଆପଣଙ୍କ ସହିତ ଛିଡ଼ା ହୋଇଛି।। ଏବଂ ଚିକିତ୍ସାଧୀନ ଲୋକଙ୍କ ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି।

ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୁର ପହଞ୍ଚି ହସ୍ପିଟାଲରେ ପୀଡିତମାନଙ୍କୁ ଭେଟି ପରିବାରକୁ ପୂର୍ଣ୍ଣ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।  ଲୋକଙ୍କ ମୃତ୍ୟୁ ଅସହନୀୟ ବୋଲି କହିବା ସହିତ ଆହତଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। ଏଥିସହିତ ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କୁ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି।

ଘଟଣା ପରେ ପୋଲିସ ଟିଭିକେ ଜିଲ୍ଲା ସମ୍ପାଦକ ମାଥିଆଜାଗନ, ଦଳର ସାଧାରଣ ସମ୍ପାଦକ ବସ୍ସି ଆନନ୍ଦ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ସିଟି ନିର୍ମଳ କୁମାରଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରିଛି।