ଭୁବନେଶ୍ୱର: ବାଲେଶ୍ୱରରୁ କେନ୍ଦ୍ରାପଡା... ଏବେ ବରଗଡ଼। ନ୍ୟାୟ ପାଇଁ ଆପଣାଉଛନ୍ତି ଆତ୍ମହତ୍ୟାର ରାସ୍ତା। ହେଲେ ସେହି ରାସ୍ତା କେତେ ଠିକ୍ ? ଏଭଳି ଚରମ ପଦକ୍ଷେପ କଣ ପୀଡିତଙ୍କୁ ନ୍ୟାୟ ଦେବ ? ବରଗଡ଼ରେ ନାବାଳିକା ପୋଡ଼ି ଘଟଣାରେ ପୀଡିତାଙ୍କ ମୃତ୍ୟୁ ପରେ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର। ଏହି ଦୁଃଖଦ ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ସରକାର ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେଇଛନ୍ତି। ଏଭଳି ଘଟଣା କିଛି ଦିନ ହେବ ଯାହା ଘଟିଛି ସରକାର ସେ ନେଇ ଗୁରୁତ୍ଵ ଦେଉଛନ୍ତି। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ପୀଡିତ ଓ ପୀଡିତାଙ୍କୁ ଅନୁରୋଧ ଆଇନଗତ ଦିଗକୁ ଆପଣାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ଵାର ଖୋଲା ଅଛି। ଏଭଳି ଘଟଣାର ନିରାକରଣ କିଭଳି ହେବ ସରକାର ସେ ନେଇ ପଦକ୍ଷେପ ନେଉଛନ୍ତି।
ବିରୋଧୀ ଅଯଥା ରାଜନୀତି କରୁଥିବା ସେ କହିଛନ୍ତି। ବିରୋଧୀ କାମ ହେଲା ସତ ମିଛ କହି ସରକାରକୁ ଟାର୍ଗେଟ କରିବା । ଆମେ ବିରୋଧୀଙ୍କ ପାଇଁ ବ୍ୟଥିତ ନାହୁଁ । ଆମେ ବ୍ୟଥିତ ଏଥିପାଇଁ ଯେ ଯେଭଳି ଜୀବନହାନୀ ହେଉଛି । ପୋଲିସ ଯେଉଁ ସ୍ଥାନରେ FIR ରଖୁନାହିଁ ସେ ଘଟଣା ସାମ୍ନାକୁ ଆସିଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି।
ପ୍ରକାଶଥାଉକି- ବରଗଡ଼ ଜିଲ୍ଲା ଗାଏସିଲଟ ଥାନା ଫିରିଙ୍ଗିମାଳ ଗାଁରେ ଜଣେ ନାବାଳିକା ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ନାବାଳିକା ଜଣଙ୍କ ଆଖିବୁଜିଛନ୍ତି ।
ସେପଟେ ଘଟଣାକୁ ନେଇ ପୋଲିସ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ଏକ ଦିଆସିଲି ମିଳିଛି । ଜିଲ୍ଲା ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇଛି। ବାକି ତଦନ୍ତକୁ ଜୋରଦାର କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।