ଏବେ ବରଗଡ଼ ଜିଲ୍ଲାରେ ଆନ୍ଦୋଳନ ହେଉଛି, ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେଡି

NEWS7
src-give-report-to-govt-today-on-cyclone-titli-and-flood

ଭୁବନେଶ୍ବର ୧୩।୧: ନୂଆ ସରକାର ଦ୍ୱାରା ଚାଷୀ କୂଳ ଆଜି ପ୍ରତାରିତ । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେଡି ଉପ ସଭାପତି ସଞ୍ଜୟ ଦାସବର୍ମା । ସେ କହିଲେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଷୀ କୂଳକୁ ଆଶ୍ୱସ୍ତ କରିଥିଲେ ସମସ୍ତ ବିକ୍ରି ଯୋଗ୍ୟ ବଳକା ଧାନ କିଣି MSP ଓ ସବସିଡି ମିଶାଇ ୩୧୦୦ ଟଙ୍କା ଦେବୁ । ଏବେ ୧୮ଟି ଜିଲ୍ଲାରେ ମିଲରଙ୍କ ପାଖକୁ ଦାନାଟିଏ ମଧ୍ୟ ରବି ଧାନ ସଂଗ୍ରହ ହୋଇନାହିଁ । ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକରଣ କରିଥିଲେ । ହେଲେ ୩ ଲକ୍ଷ ୪୦ ହଜାର ୨୯୪ ଚାଷୀ ଧାନ ବିକିଛନ୍ତି ଯାହା ମାତ୍ର ୧୭ ପ୍ରତିଶତ । ୪ ହଜାର ୮୩ଟି ମଣ୍ଡି ଖୋଲିବା ପାଇଁ ନିଷ୍ପତି କରିଥିଲେ, ୧୮୮୩ଟି ମଣ୍ଡି ଚାଲିଛି । ଏଥିରୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ସରକାରଙ୍କ ବ୍ୟବସ୍ଥା ଜଣାପଡୁଛି ।

ମୁଖ୍ୟମନ୍ତ୍ରୀ କିଛି ଦିନ ଆଗରୁ ସମୀକ୍ଷା କରି ଜାନୁଆରୀ ୧୦ ସୁଦ୍ଧା ସବୁ ମଣ୍ଡି ଖୋଲାଯିବ ଓ ସବୁ ଧାନ ସଂଗ୍ରହ କରାଯିବ ବୋଲି କହିଥିଲେ । ହେଲେ ଏ ପର୍ଯ୍ୟନ୍ତ ପୁରୀ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ମଣ୍ଡି ଖୋଲା ଯାଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଆଜି ପାଣିର ଗାର । ଟୋକନ, ମଣ୍ଡି ଖୋଲିବା, ମଣ୍ଡିରୁ ଧାନ ଉଠିବା ସହ ପଇସା ଦେବା ସବୁରେ ଅବ୍ୟବସ୍ଥା । ଆଗକୁ ଚାଷୀ କୂଳଙ୍କ ସହ ବିଜେଡି ଏହାର ଜବାବ ଦେବ । ୭୩ ଲକ୍ଷ ମେଟ୍ରିକ ଟନ୍ରୁ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।

ଅପରପକ୍ଷରେ ପଡୋଶୀ ରାଜ୍ୟ ଛତିଶଗଡରେ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇ ସରିଲାଣି । ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନର MSP ଦେବୁ ବାକି ଧାନ ଅନ୍ୟ ଆଡ଼େ ବିକ୍ରି କର ବୋଲି ଯୋଗାଣ ମନ୍ତ୍ରୀ କହୁଛନ୍ତି । ଜିଓ ଟ୍ୟାଗ ଓ ସାଟଲାଇଟ ସର୍ଭେ ନାଁରେ ଯୋଗ୍ୟ ଚାଷୀଙ୍କୁ କାଟି ଦିଆଯାଉଛି । ଏବେ ବରଗଡ଼ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ ହେଉଛି । ଆଗକୁ ସାରା ରାଜ୍ୟରେ ଦଳ ଆନ୍ଦୋଳନ କରିବେ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।