ନୂଆଦିଲ୍ଲୀ: ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଓ୍ଵିୟାନ ମୁଲଡର। ମୁଲଡର ଟେଷ୍ଟ କ୍ରିକେଟ୍ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବୋଚ୍ଚ ସ୍କୋର କରିବାର ରେକର୍ଡ କରିଛନ୍ତି। ମୁଲଡର ଜିମ୍ବାଓ୍ଵେ ବିପକ୍ଷ ବୁଲାବାୟୋ ଟେଷ୍ଟରେ ତ୍ରିଶତକ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ହାସିମ ଅମଲାଙ୍କୁ ପଛରେ ପକାଇଛନ୍ତି। ମୁଲଡର ୩୩୪ ବଲରୁ ଅପରାଜିତ ୩୬୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୪୯ ଚୌକା ଓ ୪ ଛକା ସାମିଲ୍।
ଏହା ଟେଷ୍ଟ କ୍ରିକେଟ୍ରେ ଭ୍ରମଣକାରୀ ଦଳ ପକ୍ଷରୁ ସବୁଠୁ ବଡ଼ ସ୍କୋର। ମୁଲଡର ପାକିସ୍ତାନର ହନିଫ ମହମ୍ମଦଙ୍କୁ ପଛରେ ପକାଇଛନ୍ତି। ହନିଫ ୧୯୫୮ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ବାର୍ବାଡୋସ ଟେଷ୍ଟରେ ୩୩୭ ରନ କରିଥିଲେ। ଟେଷ୍ଟରେ ବ୍ରାଏନ ଲାରା(୪୦୦* ଓ ୩୭୫), ମାଥ୍ୟୁ ହେଡେନ(୩୮୦) ଓ ମହେଲା ଜୟବର୍ଦ୍ଧନେ(୩୭୪) ପରେ ସବୁଠୁ ଇନିଂସ ଖେଳିଛନ୍ତି ଓ୍ଵିୟାନ ମୁଲଡର।
Also read: କ’ଣ କୁଲଦୀପ ତୃତୀୟ ଟେଷ୍ଟ ଖେଳିବେନି ? ଏଜବାଷ୍ଟନର ପରିଣାମ ପରେ ଏହି ଉତ୍ତର ଦେଲେ ଗିଲ୍
ମୁଲଡର ଜୁଲାଇ ୭ ଦ୍ଵିତୀୟ ଦିନର ଖେଳରେ ଦ୍ଵିତୀୟ ସେସନ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ୬୨୬/୫ରେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପାଖରେ ବ୍ରାଏନ ଲାରାଙ୍କ ୪୦୦ ରନର ରେକର୍ଡ ଭାଙ୍ଗିବାର ସୁଯୋଗ ଥିଲା। ହେଲେ ମୁଲଡର ଦଳର ହିତରେ ପାଳି ସମାପ୍ତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। କେଶବ ମହାରାଜ ଆହତ କାରଣରୁ ଓ୍ଵିୟାନ ମୁଲଡର ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ନେତୃତ୍ଵ ନେଉଛନ୍ତି। ମୁଲଡର ଟେଷ୍ଟ କ୍ରିକେଟ୍ରେ ତ୍ରିଶତକ ଅର୍ଜନ କରିବାରେ ଦ୍ଵିତୀୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର। ଏହା ପୂର୍ବରୁ ହାସିମ ଆମଲା ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଓଭାଲ ଟେଷ୍ଟରେ ଅପରାଜିତ ୩୧୧ ରନ କରିଥିଲେ।
ଓ୍ଵିୟାନ ମୁଲଡୋର ୨୯୭ ବଲରେ ନିଜର ତ୍ରିଶତକ ପୂରା କରିଥିଲେ। ଏହା ଟେଷ୍ଟ ମ୍ୟାଚ୍ ଇତିହାସରେ ଦ୍ଵିତୀୟ ଦ୍ରୁତତମ ତ୍ରିଶତକ। ଭାରତର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ଵାଗଙ୍କ ନାଁରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ ରହିଛି। ସେହ୍ଵାଗ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦୮ରେ ଚେନ୍ନାଇରେ ୨୭୮ ବଲରୁ ତ୍ରିଶତକ ପୂରଣ କରିଥିଲେ।
ଏହା ପୂର୍ବରୁ ମୁଲଡୋର ୨୧୪ ବଲରୁ ନିଜର ଦ୍ଵିଶତକ ପୂରା କରିଥିଲେ। ମୁଲଡୋର ଖେଳର ପ୍ରଥମ ଦିନରେ ୨୬୪ ରନ କରିଥିଲେ। ଏହା ଟେଷ୍ଟ ଇତିହାସରେ କୌଣସି ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ଦିନରେ ସର୍ବାଧିକ ରନ। ମୁଲଡର ଅଧିନାୟକ ଭାବେ ଡେବ୍ୟୁ ଟେଷ୍ଟରେ ତ୍ରିଶତକ ମାରିବାରେ ଦୁନିଆର ଏକମାତ୍ର ବ୍ୟାଟର ହେବାର ରେକର୍ଡ କରିଛନ୍ତି।