କ’ଣ କୁଲଦୀପ ତୃତୀୟ ଟେଷ୍ଟ ଖେଳିବେନି ? ଏଜବାଷ୍ଟନର ପରିଣାମ ପରେ ଏହି ଉତ୍ତର ଦେଲେ ଗିଲ୍

Published By : Prameya-News7 Bureau | July 07, 2025 IST

livehindustan

ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ କାହିଁକି ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଗଲା ନାହିଁ ତାକୁ ନେଇ କିଛି ସମୟ ବିତର୍କ ଚାଲିଲା। ଏଜବାଷ୍ଟନରେ ଐତିହାସିକ ବିଜୟ ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି କୁଲଦୀପ ଯାଦବଙ୍କ ପରି ଓ୍ଵିକେଟ୍ ନେଉଥିବା ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବା ସର୍ବଦା ଆକର୍ଷକ ହୋଇଥାଏ।

ଗିଲ୍ କହିଛନ୍ତି, ମାତ୍ର ଲିଡ୍ସରେ ନିମ୍ନକ୍ରମ ବ୍ୟାଟରମାନେ ଦୁଇ ଥର ଶସ୍ତାରେ ଆଉଟ୍ ହେବା ପରେ ବ୍ୟାଟିଂରେ ଆହୁରି ଗଭୀରତା ଆଣିବା ପାଇଁ ଏଜବାଷ୍ଟନ ଟେଷ୍ଟରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ପ୍ରାଧ୍ୟାନ୍ୟ ଦିଆଗଲା। ଓ୍ଵାଶିଂଟନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବା ବିବାଦୀୟ ନିଷ୍ପତ୍ତି ଏବେ ସଠିକ୍ ସାବ୍ୟସ୍ତ ହୋଇଛି କାରଣ ଏହି ଅଲରାଉଣ୍ଡର ଖେଳାଳି ବ୍ୟାଟିଂ ଓ ବୋଲିଂରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଭାରତ ଲର୍ଡ୍ସ ଟେଷ୍ଟରେ ମଧ୍ୟ ଏହି ରଣନୀତି ସହ ମଇଦାନକୁ ଓହ୍ଲାଇବ। ଜୁଲାଇ ୧୦ରୁ ଲର୍ଡ୍ସରେ ତୃତୀୟ ଟେଷ୍ଟ ଆରମ୍ଭ ହେବ।

ଦ୍ଵିତୀୟ ଟେଷ୍ଟରେ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଏହା ପରେ ଗିଲ୍ କହିଛନ୍ତି, ଯେବେ ଆପଣଙ୍କ ପାଖରେ କୁଲଦୀପଙ୍କ ପରି ବୋଲର ଥିବେ ତେବେ ଏହା ଦଳ ପାଇଁ ବହୁତ ବଡ଼ ଶକ୍ତି। କିନ୍ତୁ ମୁଁ ଓ୍ଵାଶିଂଟନଙ୍କୁ ଏଥିପାଇଁ ଖେଳାଇବାକୁ ଚାହିଁଲି କାରଣ ତାଙ୍କ ଉପସ୍ଥିତିରେ ଆମର ବ୍ୟାଟିଂ ଆହୁରି ମଜବୁତ ହୋଇଛି। 

ଭାରତୀୟ ଅଧିନାୟକ କହିଛନ୍ତି ଲାଗୁଛି ମୋର ଏବଂ ଓ୍ଵାଶିଂଟନ ମଧ୍ୟରେ ଭାଗିଦାରୀ ବହୁତ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହି ଭାଗିଦାରୀ  ହୋଇ ନ ଥିଲେ ବୋଧହୁଏ ଅଗ୍ରଣୀ ୭୦ରୁ ୯୦ ରନ ଭିତରେ ରହିଥାନ୍ତା, ଯାହା ମାନସିକ ଭାବେ ୧୮୦ ରନ ଅଗ୍ରଣୀଠୁ ବହୁତ ଅଲଗା। ଗିଲ୍ କହିଛନ୍ତି, ଇଂଲଣ୍ଡରେ ବ୍ୟବହୃତ ଡ୍ୟୁକ ବଲ ଯେବେ ପୁରୁଣା ଓ ନରମ ହୋଇଯାଏ ତେବେ ସ୍ପିନରଙ୍କ ପାଖରେ ମ୍ୟାଚ୍‌କୁ ନିୟନ୍ତ୍ରିତ କରିବାର ଅଧିକ ସୁଯୋଗ ମିଳିଥାଏ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.