କୋଲକାତା: ଭାରତର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ପୋଲିସ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ପହଞ୍ଚି ସେ ଅଭିଯୋଗ ଦାଖଲ କରିଛନ୍ତି । କୋଲକାତାର ଜଣେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ନିକଟରେ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ନୃତ୍ୟ କରିଥିଲେ । ଏହାକୁ ନେଇ ଫେସବୁକରେ ତାଙ୍କୁ କେହି ଦୁର୍ବୃତ୍ତ ଅଶ୍ଲୀଳ କମେଣ୍ଟ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ୟୁଜର ବିରୋଧରେ ବଡି ସେମିଂ ଏବଂ ଅଶାଳୀନ ମନ୍ତବ୍ୟ ଦେଉଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ଡୋନା ଗାଙ୍ଗୁଲି ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ଗତ ୪୫ ବର୍ଷ ଧରି ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ସାରା ବିଶ୍ୱରେ ଭାରତୀୟ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କୁ ଏକ ଫେସବୁକ୍ ପୃଷ୍ଠାରେ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ଏହା ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଛି। ଏହି ପୋଷ୍ଟଗୁଡ଼ିକୁ ତାଙ୍କୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ସେୟାର କରାଯାଇଛି । ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଡୋନା ଗାଙ୍ଗୁଲି ପୋଲିସକୁ ଫେସବୁକ୍ ପୃଷ୍ଠାର ଏକ ସ୍କ୍ରିନସଟ୍ ଏବଂ ଏହା ସହିତ ଲିଙ୍କ୍ ହୋଇଥିବା ଏକ ମୋବାଇଲ୍ ନମ୍ବର ପ୍ରଦାନ କରିଛନ୍ତି। ପୋଲିସ ଅଜ୍ଞାତ ୟୁଜର ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାଇବର ଟିମ୍କୁ ଆଲର୍ଟ କରାଯାଇଛି।

ଏହି ବର୍ଷ, ଡୋନା ଗାଙ୍ଗୁଲି କୋଲକାତା ପୋଲିସର ସାଇବର ସେଲରେ ଆଉ ଏକ ଅଭିଯୋଗ ଦାଖଲ କରିଥିଲେ । ଯେଉଁଥିରେ ଜଣେ ମହିଳା ୟୁଟ୍ୟୁବର ସୋସିଆଲ ମିଡିଆରେ ତାଙ୍କର ଏବଂ ତାଙ୍କ ପରିବାରର ଛବିକୁ ଖରାପ କଲା ଭଳି ପୋଷ୍ଟ କରିଥିବା ନେଇ ସେ ଦାବି କରିଥିଲେ ।

୨୦୨୧ ମସିହାରେ ଡୋନା ଗାଙ୍ଗୁଲିଙ୍କ ସହିତ ସମାନ ଘଟଣା ଘଟିଥିଲା। ଚାରି ବର୍ଷ ପୂର୍ବରୁ ସେ ତାଙ୍କ ନାମରେ ଏକ ନକଲି ଫେସବୁକ୍ ପେଜ୍ ଖୋଲାଯାଇଛି ବୋଲି ରିପୋର୍ଟ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ସୌରଭ ଗାଙ୍ଗୁଲି, ଝିଅ ଏବଂ ତାଙ୍କର ଫଟୋ ଅନୁମତି ବିନା ଏହି ନକଲି ପେଜ ସେୟାର କରାଯାଇଥିଲା।