ଇରାନ କରୁଛି ମିସାଇଲ ମାଡ଼, ବନ୍ଦ ହେଲା ସାଉଦି ଆରବର ସବୁଠୁ ବଡ଼ ତୈଳ ବିଶୋଧାନଗାର

NEWS7
sonu sood's greatness

ନୂଆଦିଲ୍ଲୀ: ଆମେରିକା- ଇସ୍ରାଏଲର ଇରାନ ଉପରେ ଆକ୍ରମଣ ସାରା ବିଶ୍ବ ପାଇଁ ଅସ୍ଥିରତା ସୃଷ୍ଟି କରିଛି। ଏହି ଆକ୍ରମଣରେ ଯୋଗୁ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ହୋଇଥିବା ବେଳେ, ଏହାର ପ୍ରତିଶୋଧରେ ରକ୍ତମୁଖା ହୋଇଉଠିଛି ଇରାନ। ଆମେରିକାର ବିଭିନ୍ନ ସୈନ୍ୟ ବେସକୁ ଟାର୍ଗେଟ କରି ଇରାନ ଘନଘନ ମିଶାଇଲ ମାଡ଼ କରୁଛି। ଖାଲି ସେତିକି ନୁହେଁ ବିଶ୍ବର ସବୁଠୁ ଗୁରୁତ୍ବପୂର୍ଣ୍ଣ ଷ୍ଟ୍ରେଟ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଛି ଇରାନ। ଏହା ଯୋଗୁ ବିଶ୍ବ ତୈଳ ଯୋଗାଣ ବଡ଼ ବିପଦ ସୃଷ୍ଟି ହୋଇଛି। ଫଳରେ ଆଗକୁ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ନେଇ ଆଶଙ୍କା ଉପୁଜିଛି।

ଏହିକ୍ରମରେ ସୋମବାର ସାଉଦି ଆରବ ସୋମବାର ଏହାର ସବୁଠୁ ବଡ଼ ଘରୋଇ ତୈଳ ବିଶୋଧାନାଗାର ଆରମକୋକୁ ବନ୍ଦ କରିଛି।ଡ୍ରୋନ ଆକ୍ରମଣ ପରେ ସାଉଦି ଆରବ ଏହି ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ, ଆରାମକୋର ରାସ ଟନୁରା ରିଫାଇନାରୀ ନିକଟରେ ଏକ ଆକ୍ରମଣ ହୋଇଥିଲା। ସାଉଦ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଅଲ ଅରବିୟା ଟିଭିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଫେସିଲିଟିରେ ଦୁଇ ଡ୍ରୋନକୁ ରୋକାଯାଇଛି। ଏଥିରେ କେହି ମୃତାହତ ହୋଇନାହାଁନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି।

ସେହିଭଳି ସାଉଦି ଆରବ ସରକାରୀ ସମାଚାର ଏଜେନ୍ସୀ ଏସପିଏ ଶକ୍ତି ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଠାରୁ ନେଇଥିବା ପ୍ରତିକ୍ରିୟା ଅନୁସାରେ, ସୁରକ୍ଷା ଦୃଷ୍ଟିରୁ ରିଫାଇନାରୀର କିଛି ୟୁନିଟକୁ ବନ୍ଦ କରାଯାଇଥିଲା। କିନ୍ତୁ ସ୍ଥାନୀୟ ବଜାରରେ ପେଟ୍ରୋଲିୟମ ଏବଂ ଏହାର ଉତ୍ପାଦର ଆମଦାନୀ ପ୍ରଭାବିତ ହୋଇନାହିଁ।

ତେବେ ଏହା ସତ୍ତ୍ବେ ବି ଅଶୋଧିତ ତେଲ ଯୋଗାଣ ଚିନ୍ତା ବଢ଼ାଇଛି। କାରଣ ଯୁଦ୍ଧ ଯୋଗୁ ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ପ୍ରଭାବିତ ହୋଇଛନ୍ତି। କାରଣ ଏହି ପ୍ରଣାଳୀ ଦେଇ ବିଶ୍ବର ଅନେକ ଦେଶ ତେଲ ଆମଦାନୀ ରପ୍ତାନୀ କରିଥାନ୍ତି।

ଗୁଇନ୍ଦା ସଂସ୍ଥା ଭେରିସ୍କ ମାପଲେକ୍ରଫ୍ଟର ପ୍ରମୁଖ ମଧ୍ୟପ୍ରାଚ୍ୟ ବିଶ୍ଲେଷକ, ଟୋର୍ବଜର୍ଣ୍ଣ ସୋଇଟଭେଡ୍ଟ କହିଛନ୍ତି, ‘‘ ସାଉଦି ଆରବର ରାସ୍ ଟାନୁରା ରିଫାଇନାରୀ ଉପରେ ଆକ୍ରମଣ ଖୁବ୍ ସମ୍ବେଦନଶୀଳ। ଏହି ଆକ୍ରମଣ ସାଉଦି ଆରବ ଏବଂ ପଡ଼ୋଶୀ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ସାମରିକ ଅଭିଯାନରେ ଯୋଗଦେବାକୁ ଆହୁରି ନିକଟତର କରିପାରେ।’’

ସୂଚନାଥାଉକି, ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ମଧ୍ୟ ସାଉଦି ଆରବର ଉଚ୍ଚ ଶକ୍ତି କ୍ଷମତା ସଂପନ୍ନ ପ୍ଲାଣ୍ଟ ଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ସେତେବେଳେ ଅବକାଇକ୍ ଏବଂ ଖୁରାଇସ୍ ପ୍ଲାଣ୍ଟ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର କରାଯାଇଥିଲା। ଏହି ଆକ୍ରମଣ ଯୋଗୁ ରାଜ୍ୟର ସର୍ବାଧିକ ଅଶୋଧିତ ତେଲ ଉତ୍ପାଦନ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା। ୨୦୨୧ରେ ମଧ୍ୟ ଇରାନ ସହଯୋଗୀ ହୁତିମାନେ ରାସ ଟାନୁରା ଉପରେ ଆକ୍ରମଣ କରିଥିଲେ।

ଏସବୁ ଦେଶରେ ମଧ୍ୟ ବନ୍ଦ ହୋଇଛି ଅଏଲ ରିଫାଇନାରୀ

ଯୁଦ୍ଧ ଯୋଗୁ ଇରାକ, ଇସ୍ରାଏଲ ମଧ୍ୟ ସେମାନଙ୍କର ଅନେକ ତେଲ ରିଫାଇନାରୀକୁ ବନ୍ଦ କରିଛନ୍ତି। ଫଳରେ ବିଶ୍ବରେ କ୍ରୁଡ୍ ଅଏଲ ଯୋଗାଣାରେ ବାଧା ଉପୁଜିଛି। ବ୍ରେଣ୍ଟ କ୍ରୁଡ୍ ଅଏଲରେ ପ୍ରାୟ ୧୦% ବୃଦ୍ଧି ପାଇ ପ୍ରତି ବ୍ୟାରେଲ ମୂଲ୍ୟ ୮୨ ଡଲାରରେ ପହଞ୍ଚିଛି।

ଇସ୍ରାଏଲ ସରକାର ନିଜ ଦେଶର ବଡ଼ ତୈଳ ବିଶୋଧନାଗାର ଶେଭ୍ରନକୁ ଏହାର ଲେଭିଆଥନ ଗ୍ୟାସ ଫିଲ୍ଡ ଓ ତାମାର ଗ୍ୟାସ ଫିଲ୍ଡକୁ ଅସ୍ଥାୟୀ ଭାବରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଭ୍ରନ କମ୍ପାନି ମିଶର ସହ ୩୫ ବିଲିୟନ ଡଲାରର ରପ୍ତାନୀ ବୁଝାମଣା କରିଛି। ତେବେ ଶେଭରନ କମ୍ପାନି ପ୍ରବକ୍ତା, ଦୁଇ ପ୍ଲାଣ୍ଟ ସୁରକ୍ଷିତ ଥିବା କହିଛନ୍ତି। ଏନର୍ଜେନ ମଧ୍ୟ ଏହାର ଏକ ଛୋଟ ଗ୍ୟାସ ଫେସିଲିଟିକୁ ବନ୍ଦ କରିଛି।

ସୂଚନାଥାଉକି, ପେଟ୍ରୋଲିୟମ ରପ୍ତାନିକାରୀ ଦେଶର ସଂଗଠନ (ଓପେକ)ରେ ତୃତୀୟ ସବୁଠୁ ବଡ଼ ଉତ୍ପାଦକ ଇରାନ, ବିଶ୍ବ ତେଲ ଯୋଗାଣର ପ୍ରାୟ ୪.୫% ଉତ୍ପାଦନ କରୁଛି। ଇରାନର ଉତ୍ପାଦନ ପ୍ରତିଦିନ ପ୍ରାୟ ୩୩ ଲକ୍ଷ ବ୍ୟାରେଲ କଞ୍ଚା ତେଲ ସହ ୧୩ ଲକ୍ଷ ବ୍ୟାରେଲ କଣ୍ଡେନସେଟ ଏବଂ ଅନ୍ୟ ତରଳ ପଦାର୍ଥ ରହିଛି।