ପ୍ରାଚୀନ ମନ୍ଦିର ତଳେ ଅନେକ ଭୟଙ୍କର ସୁଡ଼ଙ୍ଗ; ଗବେଷକ ଭୟଭୀତ, ରହସ୍ୟ ଭେଦିବାକୁ ଚାଲିଛି ପ୍ରୟାସ

NEWS7
sonu sood's greatness

Labyrinth under Peru temple: ଆମ ଗ୍ରହ ରହସ୍ୟରେ ଭରପୂର । ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ଏପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରି ନାହିଁ । ଏହି ରହସ୍ୟଗୁଡ଼ିକୁ ଉନ୍ମୋଚନ କରିବାକୁ ଚେଷ୍ଟା କରୁଥିବା ବୈଜ୍ଞାନିକମାନେ ସେମାନଙ୍କ ଗବେଷଣାରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରୁଛନ୍ତି। ଏବେ, ଏହି କ୍ରମରେ ବୈଜ୍ଞାନିକମାନେ ଏକ ପ୍ରାଚୀନ ମନ୍ଦିର ତଳେ ରହସ୍ୟମୟ ଭୟଙ୍କର ଗୁମ୍ଫାର ଆବିଷ୍କାର କରିଛନ୍ତି। ମନ୍ଦିର ତଳେ ଅଙ୍କାବଙ୍କା ଭୟଙ୍କର ଗର୍ତ୍ତ । ଏହାକୁ ଭୁଲଭୁଲେୟା ସୁଡ଼ଙ୍ଗ କହିପାରିବା । ଏହା ସୁଦୀର୍ଘ ଏବଂ ଭୟଙ୍କର । ଦୀର୍ଘ ୫୦୦ ବର୍ଷ ଧରି ହୋଇଆସିଥିବା ଚର୍ଚ୍ଚାରେ ସତ୍ୟତା ରହିଛି ବୋଲି ଭୂବିଜ୍ଞାନୀ ସ୍ପଷ୍ଟ କରିଛନ୍ତି।

ପ୍ରତ୍ନତତ୍ତ୍ୱବିତମାନେ ପେରୁଭିଆନ୍ ଆଣ୍ଡିଜ୍ର କସ୍କୋରେ ଥିବା ଇନକାନ୍ ସଭ୍ୟତାରେ ଗଢ଼ି ଉଠିଥିବା ସୂର୍ଯ୍ୟ ମନ୍ଦିର (ଇନକାନ ଟେମ୍ପୁଲ ଅଫ୍ ଦି ସନ୍) ତଳେ ଭୟଙ୍କର ସୁଡ଼ଙ୍ଗର ଆବିଷ୍କାର କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କିଛି ୧.୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଏବଂ ବହୁ ବର୍ଷ ଧରି ସନ୍ଦେହ କରାଯାଉଥିବା ଭୁଲଭୁଲେୟା(Labyrinth) ସୁଡ଼ଙ୍କକୁ ସ୍ପଷ୍ଟ କରୁଛି । ଏହାକୁ ଚିନକାନା କୁହାଯାଏ । ଅସ୍ପଷ୍ଟ ସଙ୍କେତ ବ୍ୟତୀତ ଏଥିରେ ବିଶେଷ ଲେଖା ନାହିଁ । ଐତିହାସିକ ଲେଖାଗୁଡ଼ିକ ମଧ୍ୟରୁ ଗୋଟିଏ ୧୬ ଶତାବ୍ଦୀର। ତେବେ ଭୁଲଭୁଲେୟା ସୁଡ଼ଙ୍ଗ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ ବୋଲି ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ।

ପ୍ରତ୍ନତତ୍ତ୍ୱବିତ୍ ଜର୍ଜ କାଲେରୋ ଫ୍ଲୋରେସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହାର ଏକ ମୁଖ୍ୟ ଶାଖା ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସାକ୍ସାହୁଆମାନ ଦୁର୍ଗ ସହିତ ସଂଯୋଗ କରୁଛି । ତାଙ୍କ ଦଳ ତିନୋଟି ଛୋଟ ଶାଖା ପାଇଛନ୍ତି । ଗୋଟିଏ ସାନ୍ କ୍ରିଷ୍ଟୋବାଲ୍ ଚର୍ଚ୍ଚ ନିକଟରେ, ଅନ୍ୟଟି ଦୁର୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଏବଂ ତୃତୀୟଟି କାଲିସପୁକ୍ୱିଓ ନାମରେ ପରିଚିତ ଅଞ୍ଚଳରେ ମିଳିଛି ।।

ଫ୍ଲୋରେସ୍ ଆହୁରି କହିଛନ୍ତି ଯେ, ସୁଡ଼ଙ୍ଗ ପ୍ରଣାଳୀ ପ୍ରାୟ ୮.୫ ଫୁଟ ଚଉଡା ଏବଂ ୫.୨ ଫୁଟ ଉଚ୍ଚ। ଆମେ ସନ୍ଦେହ କରୁଛୁ ଯେ, ଇନ୍କା ସଭ୍ୟତାର ଲୋକମାନେ ସେଠାରେ ଅଳିଆ ଆବର୍ଜନା ପକାଉଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇନ୍କା ଲୋକମାନେ ଏହି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ କରିଥିଲେ। ନିର୍ମାଣରେ ଖାତ ଖୋଳିବା ଏବଂ ତା'ପରେ ପଥର କାନ୍ଥ ଏବଂ ବିମ୍ ସିଲିଂ ଯୋଡିବା ଅନ୍ତର୍ଭୁକ୍ତ । ଫ୍ଲୋରେସଙ୍କ ଟିମ୍ ଅନୁଯାୟୀ, ସୁଡ଼ଙ୍ଗଗୁଡ଼ିକ ପ୍ରାଚୀନ ଇନ୍କା ସହର କୁସ୍କୋର ଭୂମି ଉପରେ ରାସ୍ତାର ନେଟୱାର୍କକୁ ପ୍ରତିଫଳିତ କରୁଛି।

ଟିମ୍ ୧୬ଶ ଶତାବ୍ଦୀର ଜେସୁଇଟ୍ ପାଠ୍ୟ ଏବଂ ଆନେଲୋ ଡି ଅଲିଭା ନାମକ ଜଣେ ଐତିହାସିକଙ୍କ ଦ୍ୱାରା ଲିଖିତ ଅନ୍ୟ ଏକ ଦଲିଲରେ ସୁଡ଼ଙ୍ଗ ବିଷୟରେ ସୂଚନା ପାଇଥିଲା। ପ୍ରଥମଟିରେ ଜଣେ ଅଜ୍ଞାତ ସ୍ପାନିସ୍ ଜେସୁଇଟଙ୍କ ବିବରଣୀ ଥିଲା ଯିଏ ୧୫୯୪ ମସିହାରେ ବିଶପଙ୍କ ବାସସ୍ଥାନକୁ କୁସ୍କୋ କ୍ୟାଥେଡ୍ରାଲ୍ ସହିତ ସଂଯୋଗ କରୁଥିବା ଏକ ସୁଡ଼ଙ୍ଗ ବିଷୟରେ ଲେଖିଥିଲେ। ଏହା ଏକ ସଙ୍କେତ ଥିଲା ଯେ, ଏହି ଭୁଲଭୁଲେୟା ସୁଡ଼ଙ୍ଗ ସୂର୍ଯ୍ୟ ମନ୍ଦିରରୁ ଆରମ୍ଭ ହୋଇଥିଲା। ଡି ଅଲିଭାଙ୍କ ଦସ୍ତାବିଜରେ ସହରରେ ଅନେକ ଭୂତଳ ରାସ୍ତା ବିଷୟରେ ଆଲୋଚନା କରାଯାଇଥିଲା।

ଚିନକାନାର ଏକ ନିର୍ଦ୍ଦିଷ୍ଟ ମାନଚିତ୍ର ତିଆରି କରିବା ପାଇଁ, ଗବେଷକମାନେ ପ୍ରଥମେ ଆକୋଷ୍ଟିକ୍ ପ୍ରୋସ୍ପେକ୍ଟିଂ ବ୍ୟବହାର କରି ଫମ୍ପା ଅଞ୍ଚଳଗୁଡ଼ିକ ଯାଞ୍ଚ କରିଥିଲେ। ସୁଡ଼ଙ୍ଗର ପ୍ରହେଳିକାକୁ ବୁଝିବା ଲାଗି ସେମାନେ ଏହି ଅଞ୍ଚଳରେ ଭୂମି-ଭେଦକାରୀ ରାଡାର ନିୟୋଜିତ କରିଥିଲେ । ଗବେଷକମାନେ ଏବେ ଏହି ସୁଡ଼ଙ୍ଗଗୁଡ଼ିକ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି।