ହାପୁଡ ୮।୯:  ଦିଲ୍ଲୀ ଲାଲକିଲ୍ଲାରୁ ଚୋରି ହୋଇଥିବା ସ୍ୱର୍ଣ୍ଣକଳସକୁ ନେଇ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି। ଏହି କଳସକୁ ଚୋରି କରିଥିବା ଭୂଷଣ ବର୍ମା ଏହାକୁ ହାପୁଡର ସ୍ୱର୍ଣ୍ଣାଳଙ୍କାର ବଜାରକୁ ନେଇ ଯାଇଥିଲା। ସେଠାରେ ତାକୁ ତରଳାଇ ଦିଆଯାଇଛି। ଏଥିରୁ ସୁନା ବ୍ୟତୀତ ଲାଗିଥିବା ୨୫୦ ଗ୍ରାମ ଓଜନର ଅନ୍ୟ ମହଙ୍ଗା ରତ୍ନକୁ ବାହାର କରି ନିଆଯାଇଛି। ଉଲ୍ଳେଖଯୋଗ୍ୟ ଯେ ଏହି ସ୍ୱର୍ଣ୍ଣକଳସଟି ଜୈନ ସମାଜର ଆସ୍ଥା ସହିତ ସମ୍ବଦ୍ଧିତ ଥିଲା। 

ଏହି କଳସକୁ ଜୈନ ଧର୍ମର ଲୋକେ ବିଶେଷ ପୂଜାରେ ଜଳାଭିଷେକ ପାଇଁ ବ୍ୟବହାର କରିଥାନ୍ତି। ଅଭିଯୁକ୍ତ ଭୂଷଣ ବର୍ମା ତା କାରରେ ଜୈନ ସମାଜ ଲୋକଙ୍କୁ ନେଇ ଦିଲ୍ଲୀରେ ଆୟୋଜିତ ଧାର୍ମିକ ଆୟୋଜନକୁ ଯାଇଥିଲା। ସେଠାରେ ସ୍ୱର୍ଣ୍ଣକଳସକୁ ଦେଖି ଏହାକୁ ଚୋରାଇବାର ଯୋଜନା କରିଥିଲା। ସେ କଳସକୁ ତୁରନ୍ତ ଉଠାଇ ନେଇ ସେଠାରୁ ଫେରାର ହୋଇଯାଇଥିବା ବେଳେ ପରେ ହାପୁଡ ସ୍ୱର୍ଣ୍ଣଳଙ୍କାର ବଜାରକୁ ଯାଇଥିଲା।

ଚୋରି ସୁନା ତରଳାଇବାରେ ହାପୁଡ ସ୍ୱର୍ଣ୍ଣାଳଙ୍କର ବଜାର ଦେଶରେ କୁଖ୍ୟାତ। ଏଣୁ ଦେଶରେ କେଉଁଠୁ ବି ଚୋରି ହେଲେ ପୋଲିସ ହାପୁଡ ସ୍ୱର୍ଣ୍ଣାଳଙ୍କର ବଜାରରେ ଚଢଉ କରିଥାଏ। ମାମଲାରେ ପୋଲିସ ହାପୁଡ ମହଲ୍ଲାର ବ୍ରହ୍ମାନନ୍ଦ କେ.ସର୍ରାଫ, ଗୌରବ ବର୍ମା ଓ ଜବାହାର ଗଞ୍ଜ ମହଲ୍ଲାର ଅଙ୍କିତ ପାଟିଲଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏମାନଙ୍କୁ ଦିଲ୍ଲୀ ପୋଲିସ ନିଜ ସାଙ୍ଗରେ ନେଇ ଯାଇଛି।

ଗୌରବ ବର୍ମା ସୁନା ତରଳାଇବା କାମ କରେ। ଆକଳନ କରାଯାଉଛି ଚୋରି କଳସ ଅଙ୍କିତ ପାଟିଲ ସହାୟତାରେ ଗୌରବ ବର୍ମା ନିକଟକୁ ପହଞ୍ଚିଥିଲା। ଏଣୁ ମୁଖ୍ୟ ଅଭିଯୁକ୍ତ ଭୂଷଣ ବର୍ମା ପୋଲିସକୁ ହାପୁଡ ସ୍ୱର୍ଣ୍ଣାଳଙ୍କର ବଜାର ନେଇଯିବା ବେଳେ ସୁନା କଳସ ତରଳାଯାଇ ସାରିଥିବ ବୋଲି ଅନୁମାନ କରାଯାଇଥିଲା। ଏହା ଏବେ ସତ୍ୟ ପ୍ରମାଣିତ ହୋଇଛି।