ଘଣ୍ଟାକରେ ୨୧, ୦୦୦ ଶସ୍ତା ହେଲା ରୂପା, ରେକର୍ଡ ହାଇରୁ ଖସିଲା ତଳକୁ

NEWS7
skeleton-found-near-khurda-collector-office

ନୂଆଦିଲ୍ଲୀ ୨୯।୧୨: ରୂପା ଦର ୨୯ ଡିସେମ୍ବର ସୋମବାର ଅଚାନକ ହ୍ରାସ ହୋଇଛି। ଏଣୁ ବଜାରରେ ହଇଚଇ ସୃଷ୍ଟି ହୋଇଛି। ସୁରକ୍ଷିତ ନିବେଶ ମନେ କରାଯାଉଥିବା ରୂପା ମୁନାଫା ଅସୁଲି ଯୋଗୁ ଏପରି ସ୍ଥିତିକୁ ପହଞ୍ଚିଛି। ଏଣୁ ମାତ୍ର କିଛି ଘଣ୍ଟାରେ ରୂପା ଦର ନିବେଶକଙ୍କୁ ଚକିତ କରିଛି। ଅନ୍ତର୍ଜାତୀୟ ସଂକେତ ଓ ଭୂ-ରାଜନୈତିକ ଉତ୍ତେଜନାରେ ଦେଖା ଯାଇଥିବା ଏହି ପରିସ୍ଥିତିର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ପଡିଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ମାର୍ଚ୍ଚରେ ଡେଲିଭରୀ ହେବାକୁ ଥିବା ଚାନ୍ଦୀର ଫ୍ୟୁଚର୍ସରେ ଜୋରଦାର ହ୍ରାସ ଦେଖାଯାଇଛି।

ସୋମବାର ମଧ୍ୟାହ୍ନରେ ହୋଇଥିବା ଏହି ହ୍ରାସ ମାତ୍ର ଘଣ୍ଟାକରେ ରୂପା କେଜି ପିଛା ଦର ୨୧ ହଜାର ଟଙ୍କା ଶସ୍ତା ହୋଇଯାଇଛି। ଫଳରେ ପ୍ରତି କେଜି ଦର ଏବେ ୨ଲକ୍ଷ ୩୩ ହଜାର ୧୨୦ ଟଙ୍କାର ଇଣ୍ଟ୍ରାଡେ ଲୋ ରେ କାରବାର ହେଉଛି। ଏହା ପୂର୍ବ ଦିନ ଅର୍ଥାତ ରବିବାର ପ୍ରତି କେଜି ରୂପା ୨ଲକ୍ଷ ୫୪ ହଜାର ୧୭୪ ଟଙ୍କା ଦରରେ କାରବାର ହେଉଥିଲା। ଏଣୁ ରୂପା ଦର ଅଲଟାଇମ ହାଇରେ ଥିଲା। ରୂପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିବା ପରେ ଟ୍ରେଡର୍ସ ଲାଭ ଅସୁଲିରେ ଲାଗି ଯାଇଥିଲେ। ଏଣୁ ଦର ତଳକୁ ଖସିଥିବା ବେଳେ ଇଣ୍ଟ୍ରାଡେ ଲୋ କୁ ପହଞ୍ଚିଛି।

ବେଶ୍ୱିକ ବଜାରରେ ମଧ୍ୟ ଚାନ୍ଦି ମୂଲ୍ୟ ତଳ ଉପର ହେଉଛି। ସୋମବାର ପ୍ରତି ଆଉନ୍ସ ଚାନ୍ଦି ମୂଲ୍ୟ ୮୦ ଡଲାରକୁ ପହଞ୍ଚିଥିଲା। ହେଲେ ବୈଶ୍ୱିକ ସ୍ତରରେ ମଧ୍ୟ ଏହି ଦର ଅଧିକ ସମୟ ରହି ପାରି ନାହିଁ। କିଛି ସମୟ ପରେ ପ୍ରତି ଆଉନ୍ସ ଦର ୭୫ ଡଲାରକୁ ହ୍ରାସ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ଆମେରିକା ଓ ୟୁକ୍ରେନ ମଧ୍ୟରେ ସମ୍ଭାବିତ ଶାନ୍ତି ବୁଝାମଣାକୁ ନେଇ ସକରାତ୍ମକ ସଂକେତ ବୋଲି କୁହାଯାଉଛି। ଭୂ-ରାଜନୈତିକ ଉତ୍ତେଜା ହ୍ରାସ ହେବା ସମ୍ଭାବନାରେ ସେଫ ହେଭେନ ଡିମାଣ୍ଡ ନରମ ପଡିଛି। ଏଣୁ ସୁନା ଓ ରୂପା ଭଳି ମୂଲ୍ୟବାନ ଧାତୁ ମୂଲ୍ୟ ତଳ ଉପର ହେଉଛି, ଫଳରେ ନିବେଶକ ଏବେ ସତର୍କତା ଅବଲମ୍ବନ କରୁଛନ୍ତି।

ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ୨୦୨୬ରେ ସିଲଭର ଏମସିଏକ୍ସ ରେ ୨,୭୫,୦୦୦ ପ୍ରତି କିଲୋଗ୍ରାମ ଓ ବୈଶ୍ୱିକ ସ୍ତରରେ ପ୍ରତି ଆଉନ୍ସ ମୂଲ୍ୟ ୮୦ରୁ ୮୫ ଆମେରିକା ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରେ। ୟୁଏସ ଫେଡେରାଲର ସମ୍ଭାବିତ ସୁଧହାର ହ୍ରାସ, ଗ୍ଲୋବାଲ ଟ୍ରେଡ ଟେନସନ ଓ ଚାଇନା ପକ୍ଷରୁ ୧ ଜାନୁୟାରୀ ୨୦୨୬ରୁ ଲାଗୁ ହେବାକୁ ଥିବା ଏକ୍ସପର୍ଟ ରେଷ୍ଟ୍ରିକ୍ସନ ଭଳି ଫ୍ୟାକ୍ଟର ଆଗାମୀ ସମୟରେ ଗୋଲ୍ଡ ଓ ସିଲଭର ଉଭୟ ମୂଲ୍ୟକୁ ପ୍ରଭାବିତ କରିପାରେ।