ନୂଆଦିଲ୍ଲୀ: ଭାରତର ମେଟ୍ରୋ ବା ଟାୟାର-୧ (Tier-1) ସହରଗୁଡ଼ିକରେ ବାସ୍ତବରେ କେତେ ଦରମା ମିଳିଲେ ଜଣେ ସୁଖରେ ଚଳିପାରିବ, ସେ ନେଇ ଏବେ ସୋସିଆଲ ମିଡିଆରେ ଏକ ବଡ଼ ବିତର୍କ ସୃଷ୍ଟି ହୋଇଛି। ଶୁଭ ଜୈନ (Shubh Jain) ନାମକ ଜଣେ ଆଇଟି ପ୍ରଫେସନାଲ୍ ଏକ୍ସ  ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହା ଚାକିରିଆଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଭ ଜଣାଇଛନ୍ତି ଯେ, ସେ ମୁମ୍ବାଇରେ କାମ କରୁଥିବା ବେଳେ ମାସକୁ ପ୍ରାୟ ୧.୨ ଲକ୍ଷ ଟଙ୍କା  ଦରମା ପାଉଥିଲେ। କାଗଜପତ୍ରରେ ଏହି ୬ ଅଙ୍କ ବିଶିଷ୍ଟ ଦରମା ଦେଖିବାକୁ ବହୁତ ବଡ଼ ଲାଗୁଥିଲା, କିନ୍ତୁ ମାସ ଶେଷ ଆଡ଼କୁ ଏହି ଟଙ୍କା କୁଆଡ଼େ ଯାଏ ଜଣାପଡୁନଥିଲା।

ପରବର୍ତ୍ତୀ ସମୟରେ ସେ ମୁମ୍ବାଇ ଛାଡ଼ି ନିଜର ଛୋଟ ସହର ବା ଗାଁକୁ (Hometown) ଫେରିଆସିଥିଲେ। ଏବେ ସେ ସେଠାରେ ମାସିକ ୪୦,୦୦୦ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ମୁମ୍ବାଇ ଅପେକ୍ଷା ଏଠାରେ ସେ ନିଜକୁ ଅଧିକ "ଧନୀ" ଅନୁଭବ କରୁଛନ୍ତି ଏବଂ ଶାନ୍ତିରେ ଅଛନ୍ତି ।  ସେ ନିଜ ପୋଷ୍ଟରେ ମୁମ୍ବାଇରେ ରହିବା ସମୟର ଏକ ମାସିକ ଖର୍ଚ୍ଚର ତାଲିକା ଦେଇଛନ୍ତି, ଯାହା ଟାୟାର-୧ ଏବଂ ଟାୟାର-୩ ସହରର ପାର୍ଥକ୍ୟକୁ ଦର୍ଶାଉଛି । ଘର ଭଡ଼ା (1 BHK) ବାବଦକୁ ୩୦ ହଜାର ଟଙ୍କା, ଖାଦ୍ୟ ପାଇଁ ୬୦୦୦ ଟଙ୍କା, ରୋଷେୟା/ ଲଣ୍ଡ୍ରି ପାଇଁ ୩ ହଜାର ଟଙ୍କା, ବିଦ୍ୟୁତ ବିଲ୍‌ ୩୦୦୦ ଟଙ୍କା, ବାହାରୁ ଖାଦ୍ୟ ଅର୍ଡର ପାଇଁ ୭ ହଜାର ଟଙ୍କା, କ୍ୟାବ୍‌ ୫୦୦୦ ଟଙ୍କା ଏବଂ ବୁଲାବୁଲି ବାବଦକୁ ୭ ହାଜର ଟଙ୍କା ​‌ସେ ଖର୍ଚ୍ଚ କରୁଥିଲେ ।   ଏହା ବ୍ୟତୀତ ଆମାଜନ ଅର୍ଡର, କ୍ୱିକ୍ କମର୍ସ ଆପ୍ସ (Quick Commerce Apps), ହଠାତ୍ କଫି ପିଇବା କିମ୍ବା ନିଜର ମାନସିକ କ୍ଲାନ୍ତି ଦୂର କରିବା ପାଇଁ କରାଯାଉଥିବା ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ ।

ମୁମ୍ବାଇରେ ୧.୨ ଲକ୍ଷ ଟଙ୍କା ରୋଜଗାର କରିବା ପରେ ମଧ୍ୟ ଏକ ବଡ଼ ଅଂଶ କେବଳ ସେହି ସହରରେ ନିଜର ଅସ୍ତିତ୍ୱ ବଜାୟ ରଖିବା ବା ବଞ୍ଚି ରହିବାରେ ଶେଷ ହୋଇଯାଉଥିଲା। ମୁଁ ଟଙ୍କା ସଞ୍ଚୟ କରୁଥିଲି ସତ, କିନ୍ତୁ ଜୀବନ ସବୁବେଳେ ବହୁତ ବ୍ୟସ୍ତବହୁଳ ଏବଂ ବ୍ୟୟବହୁଳ ମନେହେଉଥିଲା। ଯେତେବେଳେ ଆପଣ ମାନସିକ ସ୍ତରରେ ଅଧିକ କ୍ଲାନ୍ତ ହୋଇପଡ଼ନ୍ତି, ସେତେବେଳେ ନିଜ ସୁବିଧା ପାଇଁ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୁଅନ୍ତି ବୋଲି ଶୁଭ ଲେଖିଛନ୍ତି ।

ଶୁଭ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ମୁମ୍ବାଇ ସହର ତାଙ୍କୁ କ୍ୟାରିୟର ଅଭିବୃଦ୍ଧି, ବଡ଼ ସୁଯୋଗ, ନେଟୱର୍କିଂ, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତା ଦେଇଛି, ଯାହା ହୁଏତ ତାଙ୍କ ନିଜ ସହର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଇପାରିନଥାନ୍ତା। କିନ୍ତୁ ଗୋଟିଏ ସମୟ ପରେ ସେ ଅନୁଭବ କଲେ ଯେ, ଅଧିକ ରୋଜଗାର କରିବା ସହ ତାଙ୍କର ମାନସିକ ଚାପ ମଧ୍ୟ ବଢ଼ିବାରେ ଲାଗିଛି। ଯେତେବେଳେ ସେ ନିଜ ସହରକୁ ଫେରିଲେ, ପ୍ରଥମେ ପ୍ରଥମେ କମ୍ ଦରମା (ପ୍ରାୟ ୪୦ ହଜାର) ମିଳୁଥିଲେ ମଧ୍ୟ ସେଠାରେ କମ୍ ଖର୍ଚ୍ଚ ଏବଂ ପରିବାର ସହ ସମୟ ବିତାଇବା କାରଣରୁ ସେ ମାନସିକ ସ୍ତରରେ ନିଜକୁ ଅଧିକ ସମୃଦ୍ଧ ଓ "ଧନୀ" ମନେ କରୁଛନ୍ତି।

ସୋସିଆଲ ମିଡିଆରେ ଏହି ପୋଷ୍ଟଟିକୁ ହଜାର ହଜାର ଲୋକ ଦେଖିବା ସହ ଅନେକ ଆଇଟି ପ୍ରଫେସନାଲ ଏହା ସହ ସହମତି ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁ, ମୁମ୍ବାଇ କିମ୍ବା ଦିଲ୍ଲୀ ଭଳି ବଡ଼ ସହରରେ ଅଧିକ ଦରମା ମିଳୁଥିଲେ ମଧ୍ୟ ସେଠାକାର ମହଙ୍ଗା ଜୀବନଶୈଳୀ ଯୋଗୁଁ ସାଧାରଣ ଲୋକଟିଏ କିଭଳି ଅଣନିଶ୍ୱାସୀ ହୋଇପଡ଼େ, ତାହା ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି।