ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ, ବର୍ଜ୍ୟରୁ ବଞ୍ଚିବାକୁ ଲାଗିଲା କବଚ

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ ୦୬/୦୭: ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ମହାକାଶ ଷ୍ଟେସନ୍‌ ବାହାରେ କବଚ ଲାଗିଛି । ଗତ ସପ୍ତାହ ରୁଷ୍‌ର ଏକ ପୁରୁଣା ଉପଗ୍ରହ ମହାକାଶରେ ଫାଟିଥିଲା । ତା’ର ବର୍ଜ୍ୟ ଦ୍ରୁତ ବେଗରେ ଚୀନ୍‌ର  ମହାକାଶ କେନ୍ଦ୍ର ତିଆଙ୍ଗଙ୍ଗ୍‌ ଆଡ଼କୁ ଆସୁଥିଲା । ବର୍ଜ୍ୟ ମହାକାଶ  କେନ୍ଦ୍ରରେ ଧକ୍କା ହେବା ପୂର୍ବରୁ ଚୀନ୍‌ ମହାକାଶ କେନ୍ଦ୍ର ନିଜ ଚତୁପାଶ୍ୱର୍କୁ କବଚ ଦ୍ୱାରା ଆବୃତ୍ତ କରିଦେଲା । ଚୀନ୍‌ର ଶେନଝୋଉ-୧୮ ମିଶନ୍‌ର ଦୁଇ ମହାକାଶଚାରୀ ଏହି କାମ  କଲେ । ଉଭୟ ମହାକାଶଚାରୀ ସାଢ଼େ ୬ ଘଣ୍ଟା ସ୍ପେସ୍‌ୱାକ୍‌ କରି  ମହାକାଶ କେନ୍ଦ୍ର ଚତୁପାଶ୍ୱର୍ରେ କବଚ ଲଗାଇଲେ । ଏହା ଦ୍ୱାରା  ଛୋଟ ଛୋଟ ବର୍ଜ୍ୟ ଧକ୍କା ହେଲେ ମହାକାଶ କେନ୍ଦ୍ରର କୌଣସି କ୍ଷତି  ହେବ ନାହିଁ । ଚାଇନା ଏରୋସ୍ପେସ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି  କର୍ପୋରେସନ୍‌ର ବୈଜ୍ଞାନିକ ଲିୟୁ ମିଙ୍ଗ କହିଛନ୍ତି,  ସ୍ପେସ୍‌ୱାକ୍‌ର ପ୍ରଥମ କାମ ଥିଲା ମହାକାଶ କେନ୍ଦ୍ର  ଚତୁପାଶ୍ୱର୍ରେ ସୁରକ୍ଷାତ୍ମକ ଉପକରଣ ଲଗାଇବା ।  ଏହା ଦ୍ୱାରା କେବଲ୍‌, ପାଇପ୍‌ଲାଇନ୍‌ ସୁରକ୍ଷିତ  ରହିପାରିବ । ଗତ ଜୁନ୍‌ ୨୬ ତାରିଖରେ ରୁଷ୍‌ର  ପୁରୁଣା ଆର୍ଥ୍‌ ଅବ୍‌ଜର୍ଭେସନ୍‌ ସାଟେଲାଇଟ୍‌ ରିସର୍ସ- ପି୧ କକ୍ଷରେ ଫାଟି ଯାଇଥିଲା ବୋଲି ଆମେରିକୀୟ  ମହାକାଶ ଏଜେନ୍ସି ସ୍ପଷ୍ଟ କରିଥିଲା । ଉପଗ୍ରହର  ୧୦୦ରୁ ଅଧିକ ଖଣ୍ଡ ହୋଇ ମହାକାଶରେ ଘୂରି  ବୁଲିଲା । ଏହି ବର୍ଜ୍ୟକୁ ଟ୍ରାକ୍‌ କରାଯାଇପାରେ ।  ନାସାକୁ ତୁରନ୍ତ ଏ ବିଷୟରେ ସୂଚନା ଦିଆଗଲା ।  କାରଣ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଏବେ  ୬ ଆମେରିକୀୟ ମହାକାଶଚାରୀ ଅଛନ୍ତି । ମହାକାଶ କେନ୍ଦ୍ର ଆଡ଼କୁ ଆସୁଥିବା  ବର୍ଜ୍ୟରୁ ରକ୍ଷା ପାଇବା ଲାଗି ନାସା  ସେଫ୍‌ ହେଭେନ୍‌ ପ୍ରକ୍ରିୟା ଆରମ୍ଭ କଲା ।  ଚୀନ୍‌ ମଧ୍ୟ ଏହି ବିପଦ ବିଷୟରେ  ଜାଣିପାରିଲା । ତୁରନ୍ତ ନିଜ ମହାକାଶ  କେନ୍ଦ୍ରରୁ ରୋବୋଟିକ୍‌ ଆର୍ମ ଜରିଆରେ  ମହାକାଶଚାରୀ ୟେ ଗୁଆନ୍‌ଫୁଙ୍କୁ କବଚ ଲଗାଇବା ଲାଗି  ବାହାରକୁ ପଠାଇଲା । ଏଥିରେ ତାଙ୍କୁ ସାହାଯ୍ୟ କଲେ ଲି  ଗୁଆଙ୍ଗସୁ । ସେ ରୋବୋଟିକ୍‌ ଆର୍ମ  ଓ ତିୟାନହେ କୋର୍‌ ମଡ୍ୟୁଲ  ଉପରେ ନଜର ରଖିଲେ ।  କବଚ ଲଗାଇବା ପରେ  ରୋବୋଟିକ୍‌ ଆର୍ମ  ସାହାଯ୍ୟରେ ସ୍ପେସ୍‌  ଷ୍ଟେସନ୍‌ର ଯାଞ୍ଚ୍‌  କରାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.