ଯେଶାକୁ ତେଶା ନୀତିରେ ଆମେରିକା ଉପରେ ବି ଲାଗୁ ହେଉ ଶୁଳ୍କ: କେନ୍ଦ୍ର ସରକାରଙ୍କୁ ଥରୁରଙ୍କ ଆହ୍ୱାନ

Published By : Prameya-News7 Bureau | August 07, 2025 IST

internet

ନୂଆଦିଲ୍ଲୀ: ଆମେରିକା ବିରୁଦ୍ଧରେ ଯେଶାକୁ ତେଶା ନୀତି ଆପଣାଇବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର। ଭାରତ ମଧ୍ୟ ଆମେରିକା ଶୁଳ୍କ ଉପରେ ଜବାବୀ ଶୁଳ୍କ ଲଗାଇ ଭାରତୀୟ ପ୍ରଡକ୍ଟ ପାଇଁ ବିକଳ୍ପ ବଜାର ସନ୍ଧାନ କରି ଏଭଳି ଆକ୍ରମଣର ମୁକାବିଲା କରିବା ଦରକାର ବୋଲି କହିଛନ୍ତି ଥିରୁଅନନ୍ତପୁରମ ସାଂସଦ। 

ଅଗଷ୍ଟ ୬ ତାରିଖରେ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ ଉପରେ ମୋଟ ଟାରିଫ ୫୦ ପ୍ରତିଶଥ ହୋଇଥଲା। ଯାହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଥରୁର ଏଭଳି କହିଛନ୍ତି। 

ସେ କହିଛନ୍ତି “ମୁଁ ଭାବୁଛି ଏହା ବିଭିନ୍ନ ଦୃଷ୍ଟିରୁ ଅନ୍ୟାୟ ଏବଂ ଅନୁଚିତ। ଅଭିଯୋଗ ହେଉଛି ଯେ ଆମେ ରୁଷୀୟ ତେଲ ଏବଂ ଗ୍ୟାସ କିଣୁଛୁ। ନିୟମ ସହ ଖୋଲା ବଜାରରେ ବିକୁଛି। ଏବଂ ମୂଲ୍ୟ ସୀମା ପାଳନ କରୁଛୁ।” ତେଣୁ ଏଥିରେ ଆମେରିକା ଶୁଳ୍କ ଅନାବଶ୍ୟକ। କାରଣ ଚୀନ ଓ ୟୁରୋପିୟନ ୟୁନିୟନ ମଧ୍ୟ ମସ୍କୋ ସହ ଅଧିକ ବାଣିଜ୍ୟ କରୁଛନ୍ତି। ହେଲେ ଆମେରିକା ଏମାନଙ୍କ ଉପରେ ସେଭଳି ଦଣ୍ଡାତ୍ମକ ଶୁଳ୍କ ଲାଗୁ କରୁ ନାହିଁ ବୋଲି ଥରୁର କହିଛନ୍ତି।  ତେବେ ବିଡ଼ମ୍ବନାର ବିଷୟ ହେଲା ଆମେରିକା ନିଜେ ତାର ଶିଳ୍ପ ପାଇଁ ରୁଷରୁ ୟୁରାନିୟମ ହେକ୍ସାଫ୍ଲୋରାଇଡ, ପାଲାଡିୟମ୍ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ କିଣୁଛି ବୋଲି ଥରୁର କହିଛନ୍ତି। 

ତେଣୁ ଆମେରିକା ଉପରେ ସମାନ ଜବାବୀ ଶୁଳ୍କ ଲାଗୁ କରିବା ସହିତ ଆମେରିକା ବାହାରେ ବିକଳ୍ପ ବଜାର ସନ୍ଧାନ କରିବା ଦରକାର ବୋଲି ଥରୁରୁ କହିଛନ୍ତି। ସେ କହିଛନ୍ତି “ଆମେ ଧମକ ଦେଇ ବୁଲୁଥିବା ରାଷ୍ଟ୍ର ନୁହେଁ। କିନ୍ତୁ ମୋ ମତରେ, ଅନ୍ୟ ବଜାରକୁ ବିକଳ୍ପ ଭାବେ ବାଛିବା ବ୍ୟତୀତ, ଆମକୁ ଆମର ଆମେରିକୀୟ ବନ୍ଧୁମାନଙ୍କୁ ଏହା ସ୍ପଷ୍ଟ କରିବାକୁ ପଡିବ ଯେ ଯଦି ସେମାନେ ଆମ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରେବେ, ତେବେ ଆମେରିକା ଉପରେ ଆମର ବର୍ତ୍ତମାନର ଶୁଳ୍କ, ଯାହା ହାରାହାରି ୧୭ ପ୍ରତିଶତ ରହିଛି, ତାହା ମଧ୍ୟ ୫୦ ପ୍ରତିଶତକୁ ବୃଦ୍ଧି ପାଇବ।”

ତେବେ ଟ୍ରମ୍ପଙ୍କ ଆହୁରି କଟକଣା ଲାଗୁ କରିବାର ଧମକ ଉପରେ ଥରୁର କହିଛନ୍ତି ଯେ ତାଙ୍କର ଆକ୍ରମଣାତ୍କମ ଆଭିମୁଖ୍ୟ ଭାରତ-ଆମେରିକା ସମ୍ପର୍କକୁ ଭାଙ୍ଗିପାରେ। ତେବେ ତାହା ଠିକ୍ ଅଛି। ଏହାର ମାନେ ଏହା ନୁହେଁ ଯେ ଆମ ପାଖରେ ଆଉ ବନ୍ଧୁ ନାହାନ୍ତି, ଆମ ପାଖରେ ଆଉ ସମ୍ବଳ ନାହିଁ କି ଆମ ପାଖରେ ବିକଳ୍ପ ବଜାର ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.