ନୂଆଦିଲ୍ଲୀ ୨୦।୩: ଦୀର୍ଘ ୧୩ ମାସ ପରେ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି ଶମ୍ଭୁ ବର୍ଡର। ଫଳରେ ପଞ୍ଜାବ ଓ ଅମ୍ବାଲା ସଡ଼କରେ ପାଖାପାଖି ୪୦୪ ଦିନ ପରେ ଯାନବାହନ ଚଳାଚଳ କରୁଥିବାର ଦେଖାଯାଇଛି। ଏଥି ପାଇଁ ବୁଧବାର ରାତିରେ ପଞ୍ଜାବର ୫ ହଜାର ଜବାନ କାର୍ଯ୍ୟାନୁଷ୍ଠାନ କରି ଶମ୍ଭୁ ଓ ଖନୌରୀ ବର୍ଡରରୁ ଚାଷୀଙ୍କୁ ହଟାଇବା ସହ ସେମାନଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ ନିର୍ମାଣକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ।୧୩ ମାସ ହେଲା ଚାଷୀଙ୍କ ବିରୋଧ ପ୍ରଦର୍ଶନ ନିମନ୍ତେ ରାସ୍ତାକୁ ଅବରୋଧ କରା ଯାଇଥିଲା ।
ଚାଷୀଙ୍କ ଆନ୍ଦୋଳନ ଯୋଗୁ ଏହି ରାସ୍ତା ଅବରୋଧ ହୋଇଥିଲା। ଫଳରେ ସରକାରଙ୍କର ୨୫୦ କୋଟି ଟଙ୍କାର ଟୋଲ ଟ୍ୟାକ୍ସ କ୍ଷତି ହୋଇଛି। ସେହିପରି ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ଫୋର୍ସଙ୍କ ନିମନ୍ତେ ୪୦ କୋଟି ଟଙ୍କା ବ୍ୟୟ ହୋଇଛି। ତେବେ ଆସନ୍ତୁ ଜାଣିବା ଚାଷୀଙ୍କ ଆନ୍ଦୋଳନ ଯୋଗୁ ସରକାର ଓ ବ୍ୟବସାୟୀଙ୍କର କେତେ କ୍ଷତି ହୋଇଛି ?
ଶମ୍ଭୁ ଓ ଖନୌରୀ ବର୍ଡରରୁ ବିକ୍ଷୋଭକାରୀ ଚାଷୀଙ୍କୁ ହଟାଇବା ପରେ ହରିୟାଣା ପୋଲିସର ଜବାନମାନେ ଗୁରୁବାର ରାସ୍ତାରେ ରଖାଯାଇଥିବା ସିମେଣ୍ଟ ବାରିକେଡକୁ ହଟାଇ ଦେଇଛନ୍ତି। ପଞ୍ଜାବର ଚାଷୀ ଯେପରି ଦିଲ୍ଲୀ ଯାଇ ନ ପାରନ୍ତି ସେମାନଙ୍କୁ ଅଟକାଇବା ଲାଗି ଏହି ଅବରୋଧକ ସବୁ ଲଗାଯାଇଥିଲା। ଶମ୍ଭୁ ଓ ଖନୌରୀ ବର୍ଡରରେ ଶମ୍ଭୁ-ଅମ୍ବାଲା ଓ ସଙ୍ଗରୁର-ଜିନ୍ଦ ସଡ଼କକୁ ସଫା କରିବା ଓ ରାସ୍ତାରୁ କଂକ୍ରିଟ ଅବରୋଧ ହଟାଇବା ପାଇଁ ଗୁରୁବାର ଦିନ ତମାମ ଜେସିବି ଓ ଅନ୍ୟ ମେସିନ ସବୁ ବ୍ୟବହାର କରାଯାଇଥିଲା। ପ୍ରଦର୍ଶନକାରୀ ଚାଷୀ ଏହି ରାସ୍ତାରେ ଡେରା ପକାଇବା ଯୋଗୁ ବର୍ଷାଧିକ କାଳ ହେଲା ରାସ୍ତା ବନ୍ଦ ଥିଲା।
Shambhu Border: The road from Shambhu border to Ambala has been opened, with authorities currently inspecting the National Highway pic.twitter.com/PF7T9G3935
— IANS (@ians_india) March 20, 2025
ଚାଷୀଙ୍କ ‘ଦିଲ୍ଲୀ ଚଲ୍ଲୋ’ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ହରିୟାଣାର ସୁରକ୍ଷା ଅଧିକାରୀମାନେ ପଞ୍ଜାବ ସହିତ ରାଜ୍ୟ ସୀମାକୁ ସିମେଣ୍ଟ ବ୍ଲକ, ଲୁହା କଣ୍ଟା ଓ କଣ୍ଟାତାରରେ ମଜଭୁତ କରିଦେଇଥିଲେ। ଫଳରେ ରାସ୍ତାରେ ଯାନବାହନ ଯାତାୟାତ ପ୍ରଭାବିତ ହେବା ସହ ସରକାରଙ୍କର ୨୫୦ କୋଟି ଟଙ୍କାର ଟୋଲ ଟ୍ୟାକ୍ସ କ୍ଷତି ହୋଇଥିଲା। ଏହା ଛଡା ଫୋର୍ସଙ୍କ ଉପରେ ୪୦ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ବ୍ୟବସାୟୀଙ୍କର ପାଖାପାଖି ୧ ହଜାର କୋଟି ଟଙ୍କା କ୍ଷତି ହୋଇଛି।
ଏହାଛଡା ରୋଡୱେଜ ବସ୍ ୫୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବା ବେଳେ ଚଣ୍ଡିଗଡ଼କୁ ୪୦ ମିନିଟର ରାସ୍ତା ଦେଢରୁ ଦୁଇଘଣ୍ଟା ଲାଗୁଥିଲା। ଅମ୍ବାଲା-ରାଜପୁରା ୨୦ ମିନିଟର ରାସ୍ତା ପାର ହେବା ପାଇଁ ଲୋକଙ୍କୁ ୨ ଘଣ୍ଟା ସମୟ ଲାଗୁଥିଲା। ଏହି ଆନ୍ଦୋଳନ ସ୍ଥଳର ସୁରକ୍ଷା ନିମନ୍ତେ ପ୍ରଥମେ ପ୍ରଥମେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହେଉଥିଲେ। ପରେ ଏହି ସୁରକ୍ଷା ହ୍ରାସ କରାଯିବା ସହ ୪ କମ୍ପାନୀ ଫୋର୍ସଙ୍କୁ ଶେଷ ବେଳକୁ ମୁତୟନ କରାଯାଉଥିଲା।
ରାସ୍ତା ଅବରୋଧ ହେବା ଯୋଗୁ ଏହି ମାର୍ଗରେ ଥିବା ପେଟ୍ରୋଲ ପମ୍ପ, ଲାଇସେନ୍ସୀ ମଦ ଦୋକାନ, କର ସଂଗ୍ରହ କେନ୍ଦ୍ର ଆଦି ବନ୍ଦ ହୋଇ ଯାଇଥିବା ବେଳେ ପାଖାପାଖି ୧ ମାସ ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା। ପ୍ରତି ଦିନ ୬୫ରୁ ୭୦ ହଜାର ବାହନ ଚାଳକ ଏହି ରାସ୍ତା ପାର କରିବା ପାଇଁ ବିପଦ ସଙ୍କୁଳ ରାସ୍ତା ଆପଣାଉଥିଲେ।