ନୂଆଦିଲ୍ଲୀ ୨୪। ୧୧; ଦିଲ୍ଲୀର ଲାଲକିଲ୍ଲା ପାଖରେ ହେଇଥିବା ଭୟଙ୍କର ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣାରେ ୧୩ ଜଣ ନୀରିହ ଲୋକ ପ୍ରାଣ ହରାଇଥିଲା। ଆଉ ଏକାଧିକ ଲୋକ ଆହତ ବି ହୋଇଥିଲେ । ହେଲେ ଏହି ଦିଲ୍ଲୀ ବିସ୍ଫୋରଣ ଆଉ ପହଲଗାମ୍ ଆଟାକ୍ ନେଇ ଏବେ ସାମ୍ନାକୁ ଆସିଛି ଶାହରୁଖଙ୍କ ବୟାନ । ସୋସିଆଲ୍ ମିଡିଆରେ ଶାହାରୁଖଙ୍କ ବୟାନ ଏବେ ଭାଇରାଲ୍ ହେଉଥିବାବେଳେ, ଦିଲ୍ଲୀ ବ୍ଲାଷ୍ଟ ଆଉ ପହଲଗାମ୍ ଟେରର୍ ଆଟାକ୍ ନେଇ କିଛି ବଡ଼ ବୟାନ ରଖିଛନ୍ତି ।

ଶନିବାର ମୁମ୍ବାଇର ଗେଟଓ୍ୱେ ଅଫ୍ ଇଣ୍ଡିଆରେ ଗ୍ଲୋବାଲ୍ ପିସ୍ ଅନର୍ସ ୨୦୨୫ ଆୟୋଜିତ ହୋଇଥିଲା । ଏଥିରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ମଧ୍ୟ ସାମିଲ ହେଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇ ଶାହାରୁଖ ଶାନ୍ତି ଆଉ ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜର ମତ ରଖିଥିଲେ। ଆଉ ତାଙ୍କର ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ କହିଥିଲେ, "୨୬/୧୧ ଆତଙ୍କବାଦୀ ଆକ୍ରମଣ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ଏହି ଆକ୍ରମଣରେ ସହିଦ ହୋଇଥିବା ଆମର ସାହସୀ ସୁରକ୍ଷା କର୍ମୀଙ୍କୁ ମୋର ପ୍ରଣାମ। ଆଜି ମୋତେ ଦେଶର ସାହସୀ ସୈନିକ ଏବଂ ଯବାନମାନଙ୍କ ପାଇଁ ଏହି ଚାରୋଟି ସୁନ୍ଦର ଧାଡ଼ି ପଢ଼ିବାକୁ କୁହାଯାଇଛି । ଯେତେବେଳେ କେହି ତୁମକୁ ପଚାରେ ତୁମେ କଣ କର, ଗର୍ବର ସହିତ କୁହ ଯେ ମୁଁ ଦେଶକୁ ସୁରକ୍ଷା ଦିଏ। ଯଦି କେହି ତୁମକୁ ପଚାରେ ତୁମେ କେତେ ରୋଜଗାର କର, ତେବେ ଟିକେ ହସିକି କୁହ, ମୁଁ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଅର୍ଜନ କରେ ।

ଯଦି ସେମାନେ ପଛକୁ ବୁଲି ତୁମକୁ ପୁଣି ପଚାରନ୍ତି, ତେବେ ତୁମେ କେବେ ଭୟ ଅନୁଭବ କରୁନାହଁ କି? ସେମାନଙ୍କ ଆଖିକୁ ଦେଖି କୁହ, ଯେଉଁମାନେ ଆମ ଉପରେ ଆକ୍ରମଣ କରନ୍ତି ସେମାନେ ଏହା ଅନୁଭବ କରନ୍ତି। ଆସନ୍ତୁ ଆମେ ସମସ୍ତେ ଏକାଠି ଶାନ୍ତି ପାଇଁ ପଦକ୍ଷେପ ନେବା। ଆମେ ଜାତି, ଧର୍ମ ଏବଂ ଭେଦଭାବକୁ ଭୁଲି ମାନବିକତାର ପଥରେ ଚାଲିବା । ଯାହା ଦ୍ୱାରା ଆମ ଦେଶର ଶାନ୍ତି ପାଇଁ ଆମର ବୀରଙ୍କ ସହିଦତା ବ୍ୟର୍ଥ ନହୁଏ। ଯଦି ଆମ ମଧ୍ୟରେ ଶାନ୍ତି ଥାଏ, ତେବେ ଭାରତକୁ କିଛି ବି ହଲାଇ ପାରିବ ନାହିଁ।"