ନୂଆଦିଲ୍ଲୀ: ଅନ୍ୟ ଚାକିରିରେ କର୍ମଚାରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ଏଣିକି ସେକ୍ସ ୱାର୍କରଙ୍କୁ ମଧ୍ୟ ମିଳିବ । ଦୁନିଆର ପ୍ରଥମ ଦେଶ ଭାବେ ବେଲ୍ଜିୟମ୍ ଏହି ନିୟମ ଆସିଛି । ବେଲ୍ଜିୟମ୍ର ନୂଆ ଆଇନ ଅନୁସାରେ ସେକ୍ସ ୱାର୍କର୍ସ ଅନୁବନ୍ଧ ଅଧିନରେ କାର୍ଯ୍ୟ କରିବେ । ଏଥିରେ ସ୍ୱାସ୍ଥ୍ୟ ବୀମା, ପେନ୍ସନ୍, ସିକ୍ ଲିଭ୍ (ଅସୁସ୍ଥ ହେଲେ ଛୁଟି) ଏବଂ ମାତୃତ୍ୱ ଛୁଟି ପ୍ରଦାନ ସାମିଲ ରହିଛି । ଅର୍ଥାତ୍ ଗଣିକା ବୃତ୍ତିକୁ ଏଣିତି ଅନ୍ୟ ଚାକିରି ପରି ମାନ୍ୟତା ପ୍ରଦାନ କରାଯିବ । ୨୦୨୨ରେ ବେଲ୍ଜିୟମ୍ ଏହି ବୃତ୍ତିକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲା । ବେଲ୍ଜିୟମ୍ ବ୍ୟତୀତ ପେରୁ ଏବଂ ତୁର୍କୀ ମଧ୍ୟ ଏହି ପେଶାକୁ ବୈଧ ଘୋଷଣା କରିଥିଲେ ।
ଏହା ପୂର୍ବରୁ, ଇରୋଟିକ୍ ମସାଜ ପାର୍ଲର ଏବଂ ଅନ୍ୟ ସ୍ଥାନରେ ବେଆଇନ ଭାବେ ସେକ୍ସ ୱାର୍କର୍ସଙ୍କୁ କାମ କରିବାକୁ ପଡ଼ୁଥିଲା । ଏଥିପାଇଁ ସେମାନଙ୍କୁ ନଗଦରେ ଟଙ୍କା ମିଳୁଥିଲା । ଏହା ଶୋଷଣର ଅବାଧ ମାର୍ଗ ଥିଲା । ଆଇନ ଅନୁସାରେ ସେକ୍ସ ୱାର୍କର୍ସଙ୍କ ନିଯୁକ୍ତି ସମୟରେ ଅପରାଧ ରେକର୍ଡ ଯାଞ୍ଚ କରାଯିବ । ଏହାସହ କର୍ମଚାରୀଙ୍କୁ ଯେପରି ସମ୍ମାନ ମିଳିବ ତାହା ନିଯୁକ୍ତିଦାତାର ଦାୟିତ୍ୱ ହେବ ।
ତେବେ ଅନେକ ସଂଗଠନ ଏହି ନୂଆ ଆଇନକୁ ସମାଲୋଚନା କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଏହାଦ୍ୱାରା ଗଣିକା ବୃତ୍ତି ଅଧିକ ବଢିବ ଏବଂ ମାନବ ଚାଲାଣ ପରି ଘଟଣା ମଧ୍ୟ ବୃଦ୍ଧି ପାଇବ । ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ ସେକ୍ସ ୱାର୍କର ଆଜି ଦିନରେ ସମାଜର ଏକ ନିଚ୍ଛକ ସତ । ତେଣୁ ସେମାନଙ୍କୁ ମଧ୍ୟ ସମ୍ମାନ ଏବଂ ସୁରକ୍ଷିତ ଜୀବନ ବଞ୍ଚିବାର ଅଧିକାର ରହିଛି ।
ସେକ୍ସ ୱାର୍କର୍ସଙ୍କ କହିବା ଅନୁସାରେ ଅନେକ ଥର ସେମାନଙ୍କ ଇଚ୍ଛା ବିରୋଧରେ ବି ଶୋଷଣର ଶିକାର ହେବାକୁ ପଡ଼ୁଛି । ଯଦି ଆଇନ ତାଙ୍କ ସପକ୍ଷରେ ଆସେ ତେବେ ସହଜରେ ଏହାକୁ ବିରୋଧ କରିପାରିବେ । ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତ ଖରାପ ବ୍ୟବହାର କଲେ ଆଇନର ଆଶ୍ରୟ ମଧ୍ୟ ନେଇପାରିବେ । ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ସମୟରେ କାମର ଅଭାବ ଯୋଗୁଁ ସେକ୍ସ ୱାର୍କର୍ସ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ଏହାପରେ ଦେଶବ୍ୟାପୀ ପ୍ରଦର୍ଶନ ହୋଇଥିଲା ଏବଂ ସରକାର ଏହାକୁ ଆଇନସମ୍ମତ କରିବା ପାଇଁ ବାଧ୍ୟ ହୋଇଥିଲେ ।