ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା ପରେ ୭ ଯୁବକଙ୍କୁ ଅଟକ

Published By : Prameya-News7 Bureau | June 16, 2025 IST

ବ୍ରହ୍ମପୁର: ଗୋପାଳପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏନେଇ ପୀଡ଼ିତା ଥାନାରେ ଏତଲା ଦେଇଥିବାବେଳେ ପୁଲିସ ୭ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁର ଏସପି ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ରବିବାର ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ ଏବଂ ପାନ୍ଥନିବାସ ପଛ ପାଖ ବେଳାଭୂମିରେ ବସିଥିଲେ। ତେବେ ସନ୍ଧ୍ୟାବେଳେ କିଛି ଯୁବକ ଉଭୟଙ୍କୁ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଆଉ ଏହା ପରେ ଯୁବତୀଙ୍କୁ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଜଣକ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ୩ ଜଣ ଯୁବକ ଦୁଷ୍କର୍ମ କରି ସେଠାରୁ ଚମ୍ପଟ ମାରିଥିଲେ l ଘଟଣାପରେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଥାନାରେ ପହଞ୍ଚି ଘଟଣା ବିଷୟରେ ପୁଲିସକୁ କହିଥିଲେ l ପୁଲିସ ତୁରନ୍ତ ପୁରୁଷ ବନ୍ଧୁଙ୍କୁ ଧରି ଖୋଜା ଖୋଜି ଆରମ୍ଭ କରିଥିଲା l ଖୋଜା ଖୋଜି ସମୟରେ ଡୁରା ଓଭରବ୍ରିଜ ନିକଟରୁ ୨ ଜଣ ଓ ପରେ ୫ ଜଣକୁ କାବୁ କରି ଥାନାରେ ଅଟକ ରଖିଛି। ଏମାନେ ସମସ୍ତେ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି। 

ଦୁଷ୍କର୍ମ କରିଥିବା ଅନ୍ୟ ୨ ଓ ସହଯୋଗୀକୁ ପୁଲିସ ଖୋଜା ଖୋଜି କରୁଥିବା ଜଣାପଡ଼ିଛି l ବ୍ରହ୍ମପୁର ଏସପି, ବ୍ରହ୍ମପୁର ଏସଡିପିଓ, ଡିଏସପି, ଅତିରିକ୍ତ ଏସପି ଗୋପାଳପୁର ଥାନାରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ଯୁବତୀଙ୍କ ଘର ବାହାର ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.