LIVE TV

ଟଳି ଯାଇଛି ବାତ୍ୟା ବିପଦ, ଫସଲ କ୍ଷେତରେ ଛାଡି ଯାଇଛି ପ୍ରଳୟର ପଦଚିହ୍ନ

NEWS7
sensex-jumped-452-points-closed-above-46000-level

ଭୁବନେଶ୍ଵର: ଓଡ଼ିଶାରେ ବାତ୍ୟା ବିପଦ ଟଳି ଯାଇଛି ସତ। ହେଲେ ବର୍ଷା-ବପନରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ପନିପରିବାଠୁ ଆରମ୍ଭ କରି ଧାନ ଫସଲ ନଷ୍ଟ କରିଛି ବାତ୍ୟା ମୋନ୍ଥା। କେଉଁଠି ଦରପାଚିଲା ଧାନ ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି ତ କେଉଁଠି ପଟାଳି ଭଳି ଶୋଇ ଯାଇଛି କ୍ଷୀର ଢୋକୁଥିବା ଧାନ। ଗଜପତି, ଗଂଜାମ, ସୋନପୁର, କୋରାପୁଟ, ନବରଙ୍ଗପୁରରେ ବ୍ୟାପକ ଚାଷ ଉଜାଡିଛି ବାତ୍ୟା ମୋନ୍ଥା।   

ଟଳି ଯାଇଛି ବାତ୍ୟା ବିପଦ। ହେଲେ ଫସଲ କ୍ଷେତରେ ଛାଡି ଯାଇଛି ପ୍ରଳୟର ପଦଚିହ୍ନ। ବର୍ଷା ଏବଂ ପବନରେ ଅନେକ ଜିଲ୍ଲାରେ ଉଜୁଡିଛି ଫସଲ। ଯେମିତି ଫସଲ କ୍ଷେତକୁ ମନ୍ଥି ଦେଇଛି ମନ୍ଥା। କେଉଁଠି ପନିପରିବା ତ କେଉଁଠି ପାଣିରେ ଲୋଟିଛି ଦରପାଚିଲା ଧାନ। ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ। ଏ ଦୃଶ୍ୟ ଗଂଜାମ ଜିଲ୍ଲା ଆସିକାର। ପାଣିରେ ଶୋଇ ଯାଇଛି ହେକ୍ଟର ହେକ୍ଟର ଦରପାଚିଲା ଧାନ। ପାଣିରେ ବୁଡ଼ି ଯାଇଛି ଧାନ କେଣ୍ଡା। ସ୍ଥିତି ଏମିତି ଯେ ୮ ଦିନ ଭିତରେ ବି ବିଲରୁ ପାଣି ଛାଡିବା ସମ୍ଭାବନା କମ୍। ତେଣୁ ଅମଳ ଅଶା ଛାଡି ଦେଇଛି ଚାଷ ପୁଅ।

ଗଂଜାମ ଜିଲ୍ଲାର ଭଂଜନଗର ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏଠି ବି ଚାଷୀ ପାଇଁ କାଳ ସାଜିଛି ବର୍ଷା, ପବନ। ଖଲ୍ଲିକୋଟରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଚାଷୀଙ୍କ କହିବା କଥା ହେଲା ଏବର୍ଷ ଭଲ ଫସଲ ହୋଇଥିଲା। ଭଲ ଅମଳ ଆଶା ରଖିଥିଲେ ସମସ୍ତେ। କିନ୍ତୁ ଅମଳର କେଇ ଦିନ ପୂର୍ବରୁ ସୁନାର ଫସଲକୁ ଉଜାଡି ଦେଇଛି ବାତ୍ୟା।

ସୁବର୍ଣ୍ଣପୁର ଜିଲ୍ଲାରେ ବି ବର୍ଷା ସହ ପବନ ପାଇଁ ଚାଷ ବିଶେଷ ପ୍ରଭାବିତ ହୋଇଛି। ପାଣିରେ ଲୋଟୁଛି ସୁନାର ଫସଲ । ପବନ ପାଇଁ ଧାନ ଗଛ ଗୁଡିକ ଜମିରେ ଶୋଇ ଯାଇଛି। ଗଜପତି, କୋରାପୁଟ, ନବରଙ୍ଗପୁରର ଅନେକ ସ୍ଥାନରେ ବି ଫସଲ ନଷ୍ଟର ଚିତ୍ର ସାମ୍ନାକୁ ଆସିଛି।

ଚାଷ କ୍ଷୟକ୍ଷତି ନେଇ ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଏଥିପାଇଁ ରିପୋର୍ଟ ପ୍ରସ୍ତୁତ ଚାଲିଛି। ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଫସଲ କେତେ ପରିମାଣର ନଷ୍ଟ ହୋଇଛି ତାହା ଆକଳନ ପରେ କ୍ଷତି ପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ।