ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି, ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

Published By : Prameya-News7 Bureau | June 10, 2025 IST

ପୁରୀ ୧୦/୦୬: ମଙ୍ଗଳବାର ଦେବସ୍ନାନ ପୂର୍ଣ୍ନିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ଏନେଇ ପାରମ୍ପରିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ ହୋଇଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ ହୋଇଛି ।

ସୋମବାର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିବା ସହ ସନ୍ଧ୍ୟାଧୂପ ପରେ ଠାକୁରଙ୍କର ବାହୁଟକଣ୍ଟ ନୀତି କରିଥିଲେ। ବଡ଼ସିଂହାର ବେଶ ପରେ କୋଠ ସୁଆଁସିଆ ସେବକ ମାନେ ରତ୍ନସିଂହାସନ ରେ ଚାରମାଳ ବନ୍ଧା କାର୍ଯ୍ୟ କରିଥିବା ବେଳେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ନୀତି କରାଯାଉଛି। ଏଥିପାଇଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ରଖାଯାଇଛି। 
ସେପଟେ ବିଶ୍ଵନିୟନ୍ତାଙ୍କ ସ୍ନାନ ଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଥିବାରୁ ଏଥିପାଇଁ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇଛି ପ୍ରଶାସନ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ AI କ୍ୟାମେରା, ପର୍ଯ୍ୟାପ୍ତ ସିସିଟିଭି, ସହିତ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.