ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଏପର୍ଯ୍ୟନ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରିଲା ନାହିଁ। କଥା ଅଟକିଛି କୃଷି ଓ କ୍ଷୀର ବ୍ୟବସାୟ ଉପରେ। ଆମେରିକା ଚାହୁଁଛି ଭାରତ ଏହାର ଦୁଗ୍ଧ ବଜାରକୁ ଆମଦାନୀ ପାଇଁ ଖୋଲି ଦେଉ। ହେଲେ ଭାରତ କିନ୍ତୁ ଅଟକିଛି କୃଷକଙ୍କ ସ୍ୱାର୍ଥ ଓ ସାଂସ୍କୃତିକ ମୂଲ୍ୟବୋଧ ପାଖରେ। ଯଦି ଭବିଷ୍ୟତରେ ଆମେରିକାରୁ ଦୁଗ୍ଧ ଆମଦାନୀ ହେଲା ତେବେ ଏହା ସାକାହାରୀ ଖାଦ୍ୟ ଖାଉଥିବା ଗାଈଙ୍କ କ୍ଷୀର ହୋଥିବା ଆବଶ୍ୟକ। ରକ୍ତ ମାଂସ ଖାଉଥିବା ପ୍ରାଣୀଙ୍କ ଠାରୁ ନୁହେଁ ବୋଲି ଭାରତ ଜୋର୍ ଦେଉଛି ବୋଲି ଇଣ୍ଡିଆଟୁଡେରେ ରିପୋର୍ଟ ପ୍ରକାଶ ପାଇଛି। ଏମିତିରେ ୨୦୩୦ ବେଳକୁ ଦୁଇ ଦେଶ ମଧ୍ୟରେ ୫୦୦ ବିଲିଅନ ଡଲାର ବ୍ୟାପାରର ଲକ୍ଷ୍ୟ କିଭଳି ସାଧନ ହେବ ସେ ନେଇ ଚିନ୍ତା ଘାରିଛି।
ଏପଟେ ଆମେରିକା ସହ ଡିଲ୍ କରିବା ପୂର୍ବରୁ ଚେତାବନୀ ଦେଲାଣି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଯଦି ଭାରତ ଆମେରିକା ପାଇଁ ଏହାର କ୍ଷୀର ମାର୍କେଟ୍ ଖୋଲିଦିଏ ତେବେ ବାର୍ଷିକ ୧.୦୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ଓ ହଜାର ହଜାର କୃଷକଙ୍କ ଜୀବିକା ଯିବ, କ୍ଷୁଦ୍ର ଉଦ୍ୟୋଗ ଭୁଶୁଡ଼ି ପଡ଼ିବ ବୋଲି ଏସ୍ବିଆଇ ଚେତାଇଛି। ଏସ୍ବିଆଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଦୁଗ୍ଧ କ୍ଷେତ୍ର ଖୋଲାଯାଏ, ତେବେ ଭାରତରେ କ୍ଷୀରର ମୂଲ୍ୟ ଅତି କମରେ ୧୫ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ଦୁଗ୍ଧ ଚାଷୀମାନଙ୍କର ବାର୍ଷିକ ₹୧.୦୩ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ କ୍ଷତି ଘଟାଇପାରେ। ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାରେ କୃଷି ଏବଂ ଦୁଗ୍ଧ ପ୍ରମୁଖ ପ୍ରସଙ୍ଗ ରହିଛି ବୋଲି ଏସ୍ବିଆଇ ରିପୋର୍ଟରେ ଉଲ୍ଲେଖ କରିଛି।
ଏହି ରିପୋର୍ଟରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ସାମ୍ନାରେ ଭାରତୀୟ ଚାଷୀଙ୍କ ଦୁର୍ବଳତାକୁ ଉଜାଗର କରାଯାଇଛି। ଏବଂ ସତର୍କ କରି କୁହାଯାଇଛି ଯେ କ୍ଷୀର ଆମଦାନୀ ବାର୍ଷିକ ପ୍ରାୟ ୨୫ ନିୟୁତ ଟନ୍ ବୃଦ୍ଧି ପାଇପାରେ। ବର୍ତ୍ତମାନ ଭାରତରେ ଦୁଗ୍ଧ କ୍ଷେତ୍ର ଗ୍ରସ ଭାଲ୍ୟୁ ଆଡେଡ୍ରେ (GVA) ରେ ପ୍ରାୟ ୨.୫ ରୁ ୩ ପ୍ରତିଶତ ଅବଦାନ ଦେଉଛିଯ ଯାହାର ମୂଲ୍ୟ ୭.୫ ରୁ ୯ ଲକ୍ଷ କୋଟି ଟଙ୍କା। ଏବଂ ଏହି କ୍ଷେତ୍ର ପ୍ରାୟ ୮ କୋଟି ବ୍ୟକ୍ତିଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରୁଛି। ପ୍ରାୟ ପ୍ରତି ୧ ଲକ୍ଷ ଜିଭିଏ ପାଇଁ ଗୋଟିଏ ଚାକିରି।
ଆମଦାନୀ ହେଲେ ଭାରତରେ କ୍ଷୀର ମୂଲ୍ୟରେ ୧୫ ପ୍ରତିଶତ ହ୍ରାସ କେବଳ ଯେ କୃଷି ଆୟକୁ ଦମନ କରିବ ତାହା ନୁହେଁ, ବରଂ ଏହି କ୍ଷେତ୍ରର ସାମଗ୍ରିକ ଅର୍ଥନୈତିକ ଯୋଗଦାନକୁ ମଧ୍ୟ ହ୍ରାସ କରିବ। ଖାଦ୍ୟ, ଇନ୍ଧନ, ପରିବହନ ଏବଂ ଅବୈତନିକ ପାରିବାରିକ ଶ୍ରମ ଭଳି ଖର୍ଚ୍ଚ ଆଡଜଷ୍ଟ କରିବା ପରେ ଜିଭିଏ କ୍ଷତି ₹୦.୫୧ ଲକ୍ଷ କୋଟି ବୋଲି ଆକଳନ କରିଛି ଏସ୍ବିଆଇ।
ଆମେରିକା ସହ କ’ଣ ଲାଭ ହେବ ?
ଦୁଗ୍ଧ ବଜାରକୁ ନେଇ ଏହି ଚିନ୍ତା ସତ୍ତ୍ୱେ, ରିପୋର୍ଟରେ ଆମେରିକା ସହ ବାଣିଜ୍ୟରେ କିଛି ଲାଭ ବିଷୟରେ ବି ଉଲ୍ଲେଖ କରାଯାଇଛି। ଆମେରିକା ସହିତ ବାଣିଜ୍ୟ ସମ୍ପର୍କ ଅନ୍ୟାନ୍ୟ କ୍ଷେତ୍ରରେ ବୃଦ୍ଧି କରାଯିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି। ଏ ନେଇ ଭାରତ ପାଇଁ ସମ୍ଭାବ୍ୟ ସୁଯୋଗ ମଧ୍ୟ ରହିଛି। ବର୍ତ୍ତମାନ, ଭାରତ ଆମେରିକାକୁ ଜୈବିକ ଖାଦ୍ୟ ଏବଂ ମସଲା ସମେତ ୧ ବିଲିୟନ ଆମେରିକୀୟ ଡଲାରରୁ କମ୍ ମୂଲ୍ୟର ଉଚ୍ଚ-ମୂଲ୍ୟର କୃଷି ଉତ୍ପାଦ ରପ୍ତାନି କରୁଛି। ଚାହିଦା ପୂରଣ ହେଲେ ଏବଂ ସାନିଟାରୀ ଏବଂ ଫିଡୋସାନିଟାରୀ (SPS) କଟକଣା ଉଠାଇ ଦିଆଗଲେ, ଏହି ସଂଖ୍ୟା ୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ଆମ୍ବ, ଲିଚୁ, କଦଳୀ ଏବଂ ଭେଣ୍ଡି ଭଳି ଫଳ ଏବଂ ପନିପରିବାଗୁଡ଼ିକୁ ମଧ୍ୟ ରପ୍ତାନି ହେବାର ସମ୍ଭାବନା ରହିଛି।
ଆୟୁଷ ଉତ୍ପାଦ ଏବଂ ଜେନେରିକ୍ ଔଷଧକୁ ପ୍ରଭାବିତ କରୁଥିବା ଅଣ-ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ ଦୂର କରି ଆହୁରି ଲାଭ ହାସଲ କରାଯାଇପାରିବ। ଏ ଦିଗରେ ୧-୨ ବିଲିୟନ ଆମେରିକୀୟ ଡଲାର ଅତିରିକ୍ତ ରପ୍ତାନି ସମ୍ଭାବନା ଆକଳନ କରାଯାଇଛି। ସେହିପରି ଆନୁଷଙ୍ଗିକ ଲାଭରେ ଭିସା ନିୟମାବଳୀକୁ ଶିଥିଳ କରିବା, ଆଉଟସୋର୍ସିଂ ସୁଯୋଗ ବୃଦ୍ଧି କରିବା, କୋଲ୍ଡ ଚେନ୍ ଭିତ୍ତିଭୂମି ଏବଂ ସଠିକ୍ କୃଷି କ୍ଷେତ୍ରରେ ଆମେରିକୀୟ ନିବେଶ ଏବଂ ଖାଦ୍ୟ, ଯନ୍ତ୍ରପାତି ଏବଂ ପଶୁଚିକିତ୍ସା ସାମଗ୍ରୀ ସମେତ କୃଷି ଖର୍ଚ୍ଚ କମିପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଭାରତ-ଆମେରିକା ସହଯୋଗର ରଣନୈତିକ ଏବଂ ଆର୍ଥିକ ଲାଭକୁ ସ୍ୱୀକାର କରିବା ସହିତ, ବାଣିଜ୍ୟ ନୀତି ବିଚାରରେ ଲକ୍ଷ ଲକ୍ଷ ଗ୍ରାମୀଣ ଜୀବିକା ପ୍ରତି ବିପଦକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ବୋଲି ଏସ୍ବିଆଇ କହିଛି।