ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହିଂସାକୁ ନେଇ ୟୁନସଙ୍କୁ ତାଗିଦ କଲା ବ୍ରିଟେନ, ନିର୍ବାଚନର ନିରପେକ୍ଷତା ନେଇ ଉଠାଇଲା ପ୍ରଶ୍ନ

NEWS7
sacked-ips-officer-sanjiv-bhatt-gets-life-imprisonment-in-30-year-old-custodial-death-case

ଲଣ୍ଡନ ୧୬।୧: ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହିଂସା ଜାରି ରହିଛି। ଏହାକୁ ନେଇ ବ୍ରିଟେନ ସରକାର ଢାକାକୁ ତାଗିଦ କରିଛନ୍ତି। ଏଭଳି ପରିସ୍ଥିତିରେ ଦେଶରେ ନିରପେକ୍ଷ ନିର୍ବାଚନ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବ୍ରିଟେନର ହାଉସ୍ ଅଫ କମନସ୍ ରେ କିଛି ସଦସ୍ୟ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ହତ୍ୟା ପ୍ରସଙ୍ଗକୁ ଜୋରଦାର ଉଠାଇଛନ୍ତି। ବିରୋଧୀ କଞ୍ଜରଭେଟିଭ ପାର୍ଟିର ସାଂସଦ ବବ୍ ବ୍ଲାକମ୍ୟାନ୍ ଲେବର ସରକାରଙ୍କୁ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ଫେବୃଆରୀରେ ନିର୍ଦ୍ଧାରିତ ନିର୍ବାଚନର ନିରପେକ୍ଷତା ଓ ସ୍ୱତନ୍ତ୍ରତା ସୁନିଶ୍ଚିତ କରିବାକୁ ହସ୍ତକ୍ଷେପ କରିବା ନିମନ୍ତେ ଆଗ୍ରହ କରିଛନ୍ତି।

ହିନ୍ଦୁଙ୍କ ଲାଗି ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ଥିବା ଅଲ ପାର୍ଟି ପାର୍ଲ୍ୟାମେଣ୍ଟାରୀ ଗ୍ରୁପ (ଏପିପିଜି) ଅଧ୍ୟକ୍ଷ ବ୍ଲାକମ୍ୟାନ୍ ୟୁକେ ସଂସଦକୁ କହିଛନ୍ତି ଯେ ସେ ହିନ୍ଦୁମାନଙ୍କ ହତ୍ୟା ଓ ସେମାନଙ୍କ ମନ୍ଦିର ପୋଡାଜଳା ଭଳି ବିନାଶକାରୀ ସ୍ଥିତିରେ ସେ ଭୟଭୀତ ଅଛନ୍ତି। ସେ କହିଛନ୍ତି ଯେ ହିନ୍ଦୁ ପୁରୁଷଙ୍କୁ ବିଚ୍ ରାସ୍ତାରେ ହତ୍ୟା କରାଯାଉଛି, ସେମାନଙ୍କ ଘରେ ନିଆଁ ଲଗାଇ ଦିଆଯାଉଛି ଓ ସେମାନଙ୍କ ମନ୍ଦିର ପୋଡି ଦିଆଯାଉଛି। ସେହିପରି ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ଏହି ପ୍ରକାର ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଆଗାମୀ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବ। ଏଥିରେ ଏହି ନିର୍ବାଚନ କିପରି ସ୍ୱତନ୍ତ୍ର ଓ ନିରପେକ୍ଷ ହେବ ସେ ନେଇ ପ୍ରଶ୍ନ ଉଠୁଛି।

ସେ କହିଛନ୍ତି ଯେ ବାଂଲାଦେଶର ମୁଖ୍ୟ ରାଜନୈତିକ ଦଳ ଆବାମୀ ଲିଗ୍ କୁ ନିର୍ବାଚନରେ ପ୍ରତିବନ୍ଧିତ କରାଯାଇଛି, ଓପିନିୟନ ପୋଲରେ ଏହି ଦଳ ପାଇଁ ଦେଶରେ ୩୦% ଜନ ସମର୍ଥନ ରହିଛି। ସେହିପରି କିଛି ଇସ୍ଲାମିକ ଚରମପନ୍ଥୀ ଏକ ଜନମତ ସଂଗ୍ରହ (ରେଫରେଣ୍ଡମ) ଦାବି କରୁଛନ୍ତି, ଯାହା ବାଂଲାଦେଶର ସମ୍ବିଧାନକୁ ସବୁଦିନ ପାଇଁ ବଦଳେଇଦେବ। କମନସ୍ ର ନେତା ଏଲେନ କ୍ୟାମ୍ପବେଲ ଓ ବିଦେଶ ସଚିବ ଏଭେଟ କୋପରଙ୍କୁ ବାଂଲାଦେଶରେ ବ୍ରିଟେନ ସମାବେସୀ ନିର୍ବାଚନ ଓ ସଂଖ୍ୟାଲଘୁ ସଂରକ୍ଷଣ ନିମନ୍ତେ ପଦକ୍ଷେପ ନେବ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିବେଦନ କରିଛନ୍ତି।

ତେବେ ସରକାରଙ୍କ ପକ୍ଷରୁ ଏଲେନ କ୍ୟାମ୍ପବେଲ କହିଛନ୍ତି ଯେ ବାଂଲାଦେଶ ସମ୍ପର୍କରେ ଆମେ ମାନବିକ ସ୍ଥିତି ଉପରେ ସକ୍ରିୟ ରୂପେ କାମ କରୁଛୁ ଓ ଅନ୍ତରୀଣ ସରକାରଙ୍କୁ ଦେଶରେ ଶାନ୍ତିପୂର୍ଣ୍ଣ ତଥା ବିଶ୍ୱସନୀୟ ନିର୍ବାଚନରେ ସମର୍ଥନ ଦେଉଛୁ। ତେବେ ବିଦେଶ ସଚିବଙ୍କ ଧ୍ୟାନ ତାଙ୍କ ସଂସଦୀୟ ବୟାନ ଆଡକୁ ଆକର୍ଷିତ କରିବେ ବୋଲି ବ୍ଲାକ୍ ମ୍ୟାନଙ୍କୁ କ୍ୟାମ୍ପବେଲ ଆଶ୍ୱସ୍ତ କରିଛନ୍ତି। ବିଦେଶ ସଚିବ ପ୍ରିତି ପଟେଲ ଏଭେଟ କୋପରଙ୍କୁ ପତ୍ର ଲେଖିବାର ପ୍ରାୟ ସପ୍ତାହ ପରେ ବବ୍ ବ୍ଲାକ୍ ମ୍ୟାନ ଏହି ହସ୍ତକ୍ଷେପ ଲୋଡିଛନ୍ତି।

ପତ୍ରରେ କୁହାଯାଇଛି ଯେ ବାଂଲାଦେଶରେ ଧାର୍ମିକ ସ୍ୱତନ୍ତ୍ରତାର ରକ୍ଷା ହେବା ଉଚିତ ଓ ହିନ୍ଦୁଙ୍କ ପ୍ରତି ନିର୍ଯାତନା ଓ ହତ୍ୟା ଅଟକିବା ଦରକାର। ଭାରତୀୟ ମୂଳର ଟୋରି ସାଂସଦ କହିଛନ୍ତି ଯେ ଏଥି ପାଇଁ ବ୍ରିଟେନ ସରକାର ନିଜର ପ୍ରଭାବ ଓ ସମନ୍ୱୟ ଶକ୍ତି ଉପଯୋଗ କରନ୍ତୁ, ଯାହାଦ୍ୱାରା ବାଂଲାଦେଶର ସ୍ଥିରତା ଓ ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ ବୋଲି କହିଛନ୍ତି।