ନୂଆଦିଲ୍ଲୀ: ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ଉପରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଉଠୁଥିବା ପ୍ରଶ୍ନ ଉପରେ ସରକାର ସ୍ପଷ୍ଟୀକରଣ ଦେବା ଉଚିତ। ସଚିନ ପାଇଲଟ୍ କହିଛନ୍ତି, ପ୍ରଶ୍ନ ସେନାର ସାହସିକତା ଉପରେ ନୁହେଁ ବରଂ ସରକାରଙ୍କ ନୀତିକୁ ନେଇ କରାଯାଉଛି। ବିରୋଧୀ ଦଳର ଦାବି ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାନ୍ତୁ। ଭାରତ-ପାକିସ୍ତାନ ପ୍ରସଙ୍ଗରେ ସରକାର ଆମେରିକାର ଭୂମିକା ଉପରେ ଉତ୍ତର ଦେବା ଉଚିତ।
ସଚିନ ପାଇଲଟ୍ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଏହାର ଉଚିତ ଜବାବ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। କିନ୍ତୁ ଆମେ ଚାହୁଁଛୁ ଯେ ଭବିଷ୍ୟତରେ ଏମିତି ଘଟଣା ନ ଘଟୁ। ତେଣୁ ଆତଙ୍କୀ ଘଟଣା ଘଟାଉଥିବା ଶକ୍ତିଗୁଡ଼ିକୁ ସବୁଦିନ ପାଇଁ ଧ୍ୱଂସ କରାଯାଉ। ସେନାର ବୀରତ୍ୱ ଏବଂ ସାହସ ଅତୁଳନୀୟ। ସମଗ୍ର ବିଶ୍ୱ ଏବଂ ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଉଚିତ।
Also read: ପାକିସ୍ତାନକୁ ଋଣ ମଞ୍ଜୁର କରିବା ପରେ ଚିନ୍ତାରେ IMF, ଲଗାଇଲେ ୧୧ଟି ସର୍ତ୍ତ, ଜାଣନ୍ତୁ କ’ଣ?
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ପରେ ସେନାର ବୀରତ୍ଵକୁ ଆଧାର କରି ବିଜେପି ରାଜନୀତି କରୁଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ବିଶେଷ କରି କଂଗ୍ରେସ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛି। ସେପଟେ ବିଜେପି ପକ୍ଷରୁ ଏହାର ଉଚିତ୍ ଜବାବ ଦିଆଯାଉଛି। ବିଶେଷ କରି ଦୁନିଆ ସାମ୍ନାରେ ପାକିସ୍ତାନର ଅସଲ ମୁଖା ଖୋଲିବା ପାଇଁ କେନ୍ଦ୍ର ସରକାର ସବୁ ଦଳକୁ ନେଇ ଏକ ପ୍ରତିନିଧିମଣ୍ଡଳ ଗଠନ କରିଛନ୍ତି। ଏହି ସବୁ ପ୍ରତିିନିଧି ଅନେକ ଦେଶ ଗସ୍ତ କରି ଅପରେସନ ସିନ୍ଦୂରର ସଫଳତା ସହିତ ପାକିସ୍ତାନର ଆତଙ୍କବାଦ ନୀତି ଉପରୁ ପରଦା ହଟାଇବେ। ତେବେ ଏଥିରେ ଶଶି ଥରୁରଙ୍କୁ ସାମିଲ କରିବା ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ଏହାର ତୀବ୍ର ବିରୋଧ କରିଛି।