LIVE TV

ଶନିବାର ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୨୭ ଯାଏଁ ବର୍ଷା ନେଇ ପୂର୍ବାନୁମାନ

NEWS7
sachi-routray-bronze-statue-inaguarated-in-cuttack

ଭୁବନେଶ୍ୱର ୨୨।୧୧ : ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ରହିଛି । ଶନିବାର ଏହା ଲଘୁଚାପ ରୂପ ନେଇପାରେ । ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ ହୋଇପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ତେବେ ଆସନ୍ତା ୨୬/୨୭ ଯାଏଁ ଓଡ଼ିଶାରେ ବର୍ଷା ନେଇ କୌଣସି ପୂର୍ବାନୁମାନ ଦିଆଯାଇନାହିଁ।

ଅପରପକ୍ଷରେ ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ? ଏହାର ଗତିପଥ ଓ ତୀବ୍ରତାକୁ ନେଇ ବିଭିନ୍ନ ମଡେଲକୁ ନେଇ ବିଶେଷଜ୍ଞ ଆକଳନ କରିଛନ୍ତି । ମାତ୍ର ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଶନିବାର ସକାଳ ସୁଦ୍ଧା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଦକ୍ଷିଣ ଆଣ୍ଡାମାନ ସାଗରରେ ୨୪ ତାରିଖବେଳକୁ ଅବପାତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ୨୪ରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସମ୍ଭାବନା ଅଛି । ୨୬ରେ ବାତ୍ୟା (ସେନ୍-ୟାର)ରେ ପରିଣତ ହେବ । ଏହା ଶୀଘ୍ର ଘନୀଭୂତ ହୋଇ ଉତ୍ତର କିମ୍ବା ଉତ୍ତର-ପଶ୍ଚିମରେ ଗତି କରିପାରେ । ୨୮ ତାରିଖବେଳକୁ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପ ନେଇପାରେ । ମଡେଲ୍ କହୁଛି, ୨୯ କିମ୍ବା ୩୦ ତାରିଖରେ ଅତି ଭୀଷଣ ବାତ୍ୟା ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇପାରେ ।

ପ୍ରଫେସର ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏ ନେଇ ସେ କେତେକ କାରଣ ମଧ୍ୟ ଦର୍ଶାଇଛନ୍ତି । ତାଙ୍କ କହିବାନୁସାରେ ସମ୍ଭାବ୍ୟ ସିଷ୍ଟମର ଉତ୍ତରରେ ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଉତ୍ତର-ପୂର୍ବ ଭାରତ ଦେଇ ମିଆଁମାର ପର୍ଯ୍ୟନ୍ତ ଏକ ଶକ୍ତିଶାଳୀ ଗୁରୁଚାପ ବଳୟ ରହିଛି । ଏହା ସମ୍ଭାବ୍ୟ ବାତ୍ୟାକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଠେଲିବ । ଏହା ଗୁରୁଚାପ ବଳୟ ପରିସୀମା ବାହ୍ୟରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବା ହେତୁ ଆନ୍ଧ୍ର ଏବଂ ଓଡ଼ିଶାକୁ ମୁହାଁଇବା ସମ୍ଭାବନା ରହୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନଠାରୁ ନିର୍ଦ୍ଦିଷ୍ଟ ଭାବେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍)ର ସମୟ ଓ ସ୍ଥାନ ନେଇ ସ୍ପଷ୍ଟ ଆକଳନ କରିବା ସମ୍ଭବପର ନୁହେଁ । ଲ୍ୟାଣ୍ଡଫଲ୍ ପାଇଁ ଆହୁରି ସପ୍ତାହେରୁ ଅଧିକ ସମୟ ରହିଛି । ତେବେ ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍ କଲେ ମଧ୍ୟ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ତେଣୁ ଚାଷୀମାନେ ସତର୍କତା ପଦକ୍ଷେପ ନେବା ଆବଶ୍ୟକ । ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଇସିଏମଡବ୍ଲ୍ୟୁଏଫ ଦେଖାଇଥିବା ସମ୍ଭାବ୍ୟ ଚିତ୍ରରୁ ଜଣାପଡ଼ୁଛି, ସମ୍ଭାବ୍ୟ ବାତ୍ୟା ଡିସେମ୍ବର ପହିଲାରେ ଲ୍ୟାଣ୍ଡଫଲ୍ କରିପାରେ । ଏହା ଗୋପାଳପୁରରୁ ପାରାଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।